କୋଲକାତା (ଇଡେନ୍‌ ଗାର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ): ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର୍‌ ମାର୍କୋ ଜାନସେନ ଅହେତୁକ ସଫଳତା ପାଇଛନ୍ତି। ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଅପରାଜେୟ ରଖିବାରେ ସେ ନିର୍ଣ୍ଣାୟକ ଭୂମିକା ନେଇ ଆସୁଥିଲେ। ବିଶେଷ କରି ନିଜ ବୋଲିଂରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହି ଅପ୍ରତ୍ୟାଶିତ ସଫଳତାର ରହସ୍ୟ ଇଡେନ୍‌ ଗାର୍ଡେନ୍ସରେ ବୁଧବାର ପ୍ରଥମ ସେମିଫାଇନାଲ୍‌ ପୂର୍ବରୁ ଖୋଲିଛନ୍ତି ସେ। ହଠାତ୍‌ ତାଙ୍କ ବୋଲିଂର ମାନ ବଢ଼ିଯିବାର ଶ୍ରେୟ ଜାନସେନ ଘରୋଇ ଦଳ ଅର୍ଥାତ୍‌ ଭାରତର ପ୍ରମୁଖ ବୋଲର୍‌ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଦେଇଛନ୍ତି।

Advertisment

ସେ କହିଛନ୍ତି, ବୁମ୍‌ରାଙ୍କ ବୋଲିଂ କୌଶଳ ମୋ ବୋଲିଂକୁ ଉନ୍ନତ କରିବାରେ ପ୍ରମୁଖ ଭୂମିକା ନେଇଛି। ମୁଁ ନିୟମିତ ଭାବେ କ୍ରିଜ୍‌ରେ ତାଙ୍କ ବଲ୍‌ କିଭଳି ଏବଂ କେଉଁ ଦିଗରୁ ସିମ୍‌ ଓ ସୁଇଂ ହେଉଛି, ସେକଥା ଅନୁଧ୍ୟାନ କରି ଆସୁୂଛି। ଫଳରେ ମୋ ବଲ୍‌କୁ ଖେଳିବା ପ୍ରତିପକ୍ଷ ବ୍ୟାଟର୍‌ଙ୍କ ପାଇଁ କ୍ରମଶଃ କଷ୍ଟକର ହେଉଛି। ସୂଚନାଯୋଗ୍ୟ ଯେ ଜାନସେନ୍‌ ଏପର୍ଯ୍ୟନ୍ତ ୫ ମ୍ୟାଚ୍‌ରୁ ୧୬.୭୨ ହାରରେ ୧୧ ୱିକେଟ୍‌ ନେଇ ସାରିଛନ୍ତି।

ଆହୁରି ପଢ଼ନ୍ତୁ: T20 World Cup: ଟି୨୦ ବିଶ୍ବକପ୍‌ ସେମିଫାଇନାଲରେ ଭାରତ-ଇଂଲଣ୍ଡ: କିଏ କେତେ ଶକ୍ତିଶାଳୀ?

ସେ ଆହୁରି କହିଛନ୍ତି ଗତ ଗସ୍ତରେ କୋଲକାତାରେ ଆମେ ଖେଳିଥିବା ପ୍ରଥମ ଟେଷ୍ଟ୍‌ରେ ମୁଁ ବୁମ୍‌ରାଙ୍କ ବୋଲିଂକୁ ରିପ୍ଲେ ମାଧ୍ୟମରେ ବାରମ୍ବାର ଦେଖିଥିଲି। ତାଙ୍କ ହାତ ଚାଳନାକୁ ଲକ୍ଷ୍ୟ କରି ସେହିଭଳି ବୋଲିଂ କରିବାକୁ ନିୟମିତ ଅଭ୍ୟାସ କରିଥିଲି। ତାଙ୍କ ନକଲ କରିବାକୁ ଚେଷ୍ଟା କରି କେତେକାଂଶରେ ସଫଳ ବି ହୋଇଥିଲି। ଏହା ଦ୍ବାରା ବଲ୍‌ ସତରେ ୱିକେଟ୍‌ରୁ ସାମାନ୍ୟ ବାହାରକୁ ଯାଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡ଼ୁଆରେ ପକାଉଥିବା ହୃଦୟଙ୍ଗମ କରିଥିଲି। ବିଶ୍ବକପ୍‌ରେ ମଧ୍ୟ ଏହି ନୀତି ଆପଣାଇ ସଫଳ ହୋଇଛି।