ୱଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା ଦୃଢ଼

ୱଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା ଦୃଢ଼

Report Wire

ଜୋହାନେସବର୍ଗ: ଜୋହାନେସବର୍ଗ ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକା ଦୃଢ଼ ସ୍ଥିତିରେ ରହିଛି। ଭାରତ ଦେଇଥିବା ୨୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ବୁଧବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ବିନିମୟରେ ୧୧୮ ରନ୍ କରିନେଇ ଧୀରେଧୀରେ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଅଧିନାୟକ ଡିନ୍ ଏଲଗାର (୪୬*) ଅପରାଜେୟ ରହିବା ମଧ୍ୟ ଦଳର ଆଶା ଓ ଆତ୍ମବିଶ୍ବାସ ବଢ଼ାଇଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଏଲଗାରଙ୍କ ସହ ରଶି ଭାନଡର ଦୁସେନ ୧୧ ରନ୍ କରି ଅପରାଜିତ ରହିଛନ୍ତି। ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ଆଉ ମାତ୍ର ୧୨୨ ରନ୍‌ ଦରକାର ଥିଲା ବେଳେ ହାତରେ ୮ ୱିକେଟ୍ ବାକି ରହିଛି। ସେଥିପାଇଁ ଗୁରୁବାର ଦକ୍ଷିଣ ଆଫ୍ରିକା ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ନହେଲେ ଭାରତ ମ୍ୟାଚ୍ ବଞ୍ଚାଇବା କଷ୍ଟକର ହେବ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ଶୀର୍ଷକ୍ରମର ଦାୟିତ୍ବବାନ ବ୍ୟାଟିଂ ପାଇଁ ବି ପ୍ରଥମ ପାଳିରେ ୨୭ ରନ୍‌ରେ ପଛୁଆ ଥିବା ଭାରତ ଏବେ ଆଶା, ଆଶଙ୍କାରେ ରହିଛି। ଲମ୍ବା ବ୍ୟବଧାନ ପରେ ଦୁଇ ଅଭିଜ୍ଞ ତାରକା ଚେତେଶ୍ବର ପୂଜାରା (୫୩) ଓ ଅଜିଙ୍କ୍ୟ ରାହାଣେ (୫୮) ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିବା ସତ୍ତ୍ବେ ଦ୍ବିତୀୟ ପାଳିରେ ମାତ୍ର ୨୬୬ ରନ୍ କରିବା ହିଁ ଭାରତ ପାଇଁ କାଳ ହୋଇଛି।

ଏବେ ଭ୍ରମଣକାରୀ ଦଳ ହାତରୁ ମ୍ୟାଚ୍ ଖସି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜି କାଗିସୋ ରବାଦା ମାତ୍ର ୧୦ ବଲ୍ ଭିତରେ ରାହାଣେ ଓ ପୂଜାରାଙ୍କ ସହ ତିନି ଜଣ ଭାରତୀୟ ବ୍ୟାଟର୍‌ଙ୍କୁ ଆଉଟ୍ କରିବା ପରେ ମ୍ୟାଚ୍‌ର ମୋଡ଼ ଏକପ୍ରକାର ବଦଳି ଯାଇଥିଲା। ଲଗାତାର ତିନିଟି ଝଟ୍‌କା ପରେ ହନୁମା ବିହାରୀ (୪୦*) ଓ ଶାର୍ଦୁଳ ଠାକୁର (୨୮)ଙ୍କ ଛଡ଼ା ଅନ୍ୟସବୁ ନିମ୍ନକ୍ରମ ବ୍ୟାଟର୍‌ଙ୍କ ବିଫଳତା ପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ବିଜୟ ଲକ୍ଷ୍ୟ ଦେବାରେ ଭାରତ ବିଫଳ ହୋଇଥିଲା। ସବୁଠାରୁ ବେଶି ନିରାଶ ୱିକେଟ୍ ରକ୍ଷକ ଋଷଭ ପନ୍ତ (୦) କରିଥିଲେ। ଦଳ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଦରକାର କରୁଥିଲା ବେଳେ ଅତ୍ୟନ୍ତ ଦାୟିତ୍ବହୀନ ସଟ୍ ଖେଳି ସେ କଂବଦନ୍ତି ସୁନିଲ ଗାଭାସ୍କରଙ୍କ ରୋଷର ଶିକାର ହୋଇଥିଲେ। ସେହିଭଳି ବୋଲିଂ ବାହିନୀ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ଙ୍କ ଏକାଗ୍ରତା ଭାଙ୍ଗିବାରେ ସେତେଟା ସଫଳ ହୋଇନଥିଲା। ଏଦେନ ମର୍କରାମ (୩୧)ଙ୍କୁ ଶାର୍ଦୁଳ ଦଶମ ଓଭରରେ ଆଉଟ୍ କରିବା ପରେ କିଗାନ ପିଟରସନ୍ (୨୮)ଙ୍କ ରୂପରେ ଭାରତକୁ ଦ୍ବିତୀୟ ୱିକେଟ୍ ମିଳିଥିଲା। ତାଙ୍କୁ ଅଶ୍ବିନ ପ୍ୟାଭିଲିୟନ ଫେରାଇଥିଲେ। ଉଭୟ ମର୍କରାମ ଓ ପିଟରସନ୍ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ବୁଧବାର ଖେଳର ଦ୍ବିତୀୟ ଅଧିବେଶନରେ ଉଭୟ ଦଳର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମାର୍କୋ ଜାନସେନ୍ ପିଚ୍ ମଝିରେ କଥାକଟା କଟି ହେବା ଖେଳରେ ଉଷ୍ମତା ଭରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe