ଆମେରିକାକୁ ହରାଇଲା ଦକ୍ଷିଣ ଆଫ୍ରିକା

Advertisment
ଆମେରିକାକୁ ହରାଇଲା ଦକ୍ଷିଣ ଆଫ୍ରିକା

ନର୍ଥ ସାଉଣ୍ଡ୍: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ‘ପ୍ରଥମ ସୁପର-୮’ ମ୍ୟାଚ୍‌ରେ ସହଆୟୋଜକ ଆମେରିକାକୁ ୧୮ ରନ୍‌ରେ ହରାଇଛି ଦକ୍ଷିଣ ଆଫ୍ରିକା। ତା’ସହ ଲଗାତାର ପଞ୍ଚମ ବିଜୟ ହାସଲ କରିବାର ଅନନ୍ୟ ସଫଳତା ଲାଭ କରିଛି। ଦକ୍ଷିଣ ଆଫ୍ରିକା ଗୁରୁବାର ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଲିଗ୍ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ କରି କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତିଥିବା ଆମେରିକା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା। ଏପରିକି ୭୬ ରନ୍‌ରେ ଅଧାଦଳ ହରାଇବା ସତ୍ତ୍ବେ ଆଣ୍ଡ୍ରିଆସ୍ ଗୌସ୍ (୮୦*ରନ୍ , ୪୭ ବଲ୍) ଓ ଭାରତୀୟ ବଂଶୋଦ୍ଭବ ହର୍ମିତ ସିଂହ (୩୮ ରନ୍, ୨୨ ବଲ୍)ଙ୍ଗ ବିସ୍ଫୋରକ ବ୍ୟାଟିଂ ପାଇ ଏକଦା ଦକ୍ଷିଣ ଆଫ୍ରିକା ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିବା ସ୍ଥିତିରେ ପହଞ୍ଚି ଯାଇଥିଲା। ତେବେ କାଗିସୋ ରବାଡ଼ା ଊନ୍ନବିଂଶ ଓଭରର ପ୍ରଥମ ବଲ୍‌ରେ ହର୍ମିତଙ୍କୁ ଆଉଟ୍ କରି ଯୋଡ଼ି ଭାଙ୍ଗିବା ପରେ ୬ ୱିକେଟ୍ ହରାଇ ୧୭୬ ରନ୍‌ରେ ଅଟକି ଯାଇଥିଲା ଆମେରିକା। ମାତ୍ର ୪୦ ବଲ୍‌ରୁ ୭୪ ରନ୍‌ର ଦ୍ରୁତ ପାଳି ଖେଳିଥିବା କ୍ବିଣ୍ଟନ୍ ଡି’କକ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆମେରିକା ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆରମ୍ଭରୁ ରିଜା ହେଣ୍ଡ୍ରିକ୍ସ (୧୧ ରନ୍‌)ଙ୍କୁ ହରାଇବା ସତ୍ତ୍ବେ କ୍ବିଣ୍ଟନ ଡି’କକ୍‌ ଓ ଅଧିନାୟକ ଐଦେନ ମାରକ୍ରମ ପାୱାର ପ୍ଲେରେ ୬୪ ରନ୍‌ ଯୋଡ଼ି ବଡ଼ ସ୍କୋର୍‌ ଦିଗରେ ଦଳକୁ ନେଇଥିଲେ। ଡି’କକ୍ (୭୪ ରନ୍‌) ଓ ଡେଭିଡ୍‌ ମିଲର (୦)ଙ୍କୁ ହର୍ମିତ ସିଂହ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ଯୁଗଳ ଝଟ୍‌କା ଦେଇଥିଲେ। ମାରକ୍ରମ (୪୬) ଆଉଟ ହେବା ପରେ ହେନରିକ୍‌ କ୍ଲାସେଁ (୩୬*) ଓ ତ୍ରିଷ୍ଟନ ଷ୍ଟବ୍ସ (୨୦*) ଅପରାଜିତ ରହି ଦଳୀୟ ସ୍କୋର୍‌ ୧୯୪ରେ ପହଞ୍ଚାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୯୪/୪ (କ୍ବିଣ୍ଟନ ଡି’କକ୍‌ ୭୪, ଐଦେନ ମାରକ୍ରମ ୪୬, ହେନରିକ କ୍ଲାସେଁ ୩୬*, ତ୍ରିଷ୍ଟନ ଷ୍ଟବ୍ସ ୨୦*, ସୌରଭ ନେତ୍ରାଭଲକର ୨/୨୧, ହର୍ମିତ ସିଂହ ୨/୨୪)। ଆମେରିକା ୨୦ ଓଭରରେ ୧୭୬/୬ (ଆଣ୍ଡ୍ରିଆସ୍ ଗୌସ୍ ୮୦*, ହର୍ମିତ ସିଂହ ୩୮, ଷ୍ଟିଭେନ୍ ଟେଲର ୨୪, କାଗିସୋ ରବାଡ଼ା ୩/୧୮, କେଶବ ମହାରାଜ ୧/୨୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe