ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ଅପରାଜେୟ ରହିଛି। ତା’ ସହିତ ଦୃଢ଼ ମନୋବଳ ନେଇ ସେମିଫାଇନାଲ୍ ଲାଗି ପ୍ରସ୍ତୁତ ହୋଇଛି। ଲିଗ୍ ପର୍ଯ୍ୟାୟରେ ୪ରୁ ୪ ମ୍ୟାଚ୍ ଜିତିଥିବା ଐଦେନ ମାର୍କରାମଙ୍କ ଦଳ ସୁପର୍-୮ ପର୍ଯ୍ୟାୟରେ ମଧ୍ୟ ୩ରୁ ୩ ଜିତି ଅପରାଜେୟ ଧାରା ଜାରି ରଖିଛି। ରବିବାର ଗ୍ରୁପ୍-୧ ମ୍ୟାଚ୍ରେ ଏହି ଦଳ ୫ ୱିକେଟ୍ରେ ଜିମ୍ବାୱେକୁ ପରାସ୍ତ କରିଛି। ପରାଜୟ ସତ୍ତ୍ବେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା (୭୩ ରନ୍, ୩/୨୯) ନିଜ ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
୧୫୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର୍ କ୍ବିଣ୍ଟନ ଡି’କକ୍ (୦) ଓ ମାର୍କରାମ (୪)ଙ୍କୁ ପ୍ୟାଭିଲିୟନ୍ ପଠାଇ ସିକନ୍ଦର ରାଜା ପ୍ରାରମ୍ଭିକ ଝଟକା ଦେଇଥିଲେ। ଏହି ଦୁଇ ବ୍ୟାଟର୍କୁ ମାତ୍ର ୧୪ ରନ୍ରେ ହରାଇ ସଙ୍କଟରେ ପଡ଼ିଥିଲା ଦକ୍ଷିଣ ଆଫ୍ରିକା। ତେବେ ଡିୱାଲ୍ଡ ବ୍ରେଭିସ୍ (୪୨), ରିଆନ୍ ରିକେଲଟନ୍ (୩୧), ଜର୍ଜ ଲିଣ୍ଡେ (୩୦*), ଡେଭିଡ ମିଲର (୨୨) ଓ ତ୍ରିଷ୍ଟ ଷ୍ଟବ୍ସ (୨୧*) ଭଲ ଖେଳି ଦଳକୁ ୧୩ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ।
ଆହୁରି ପଢ଼ନ୍ତୁ: Murder: ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାର ପର୍ଦାଫାସ, ପୁତୁରା ଗିରଫ
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଅଧିନାୟକ ସିକନ୍ଦର ରାଜା (୪୩ ବଲ୍ରୁ ୭୩) ଅର୍ଦ୍ଧଶତକ ଓ କ୍ଲାଇବ୍ ମଦାଣ୍ଡେଙ୍କ ଅପରାଜିତ ୨୬* ରନ୍ କରିବାରୁ ଜିମ୍ବୱେ ଏହି ସମ୍ମାନଜନକ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକାର କ୍ବେନା ମାଫକା ଓ କର୍ବିନ ବସ୍ ୨ଟିଲେଖାଏଁ ୱିକେଟ୍ ନେଇଥିଲେ।
Follow Us