ଦକ୍ଷିଣ ଆଫ୍ରିକା ୨-୦ରେ ଶୃଙ୍ଖଳା ଜିତିଲା

Advertisment

ଦ୍ୱିତୀୟ ଟେଷ୍ଟ୍‌ରେ ବାଂଲାଦେଶ ୨୫୪ ରନ୍‌ରେ ପରାସ୍ତ

ଦ୍ୱିତୀୟ ଟେଷ୍ଟ୍‌ରେ ବାଂଲାଦେଶ ୨୫୪ ରନ୍‌ରେ ପରାସ୍ତ

ଦକ୍ଷିଣ ଆଫ୍ରିକା ୨-୦ରେ ଶୃଙ୍ଖଳା ଜିତିଲା

ବ୍ଲୋଏମ୍ଫଟେନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବାଂଲାଦେଶ ଦଳ ଟେଷ୍ଟ ଶୃଙ୍ଖଳାରେ କ୍ରମାଗତ ଦ୍ୱିତୀୟ ବୃହତ୍‌ ପରାଜୟ ବରଣ କଲା। ପ୍ରଥମ ଟେଷ୍ଟକୁ ୩୩୩ ରନ୍‌ରେ ହାରି ଯାଇଥିବା ବାଂଲା ଦଳ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟକୁ ଅଢ଼େଇ ଦିନ ମଧ୍ୟରେ ଏକ ପାଳି ଓ ୨୫୪ ରନ୍‌ରେ ହାରିଗଲା। ବିଶେଷକରି ଡିନ୍‌ ଏଲ୍‌ଗାର (୧୧୩), ମର୍କରାମ୍‌ (୧୪୩), ହାସିମ୍‌ ଆମ୍‌ଲା (୧୩୨) ଓ ଫାଫ୍‌ ଡୁପ୍ଲେସିସ୍‌ (ଅପରାଜିତ ୧୩୫)ଙ୍କ ଶତକ ସାଙ୍ଗକୁ ଦ୍ରୁତ ବୋଲର କାଗିସୋ ରବାଡା (୩୩/୫ ଓ ୩୦/୫)ଙ୍କ ଉଭୟ ପାଳିରେ ୧୦ ଓ୍ଵିକେଟ୍‌ ଦଖଲ ଘରୋଇ ଦକ୍ଷିଣ ଆଫ୍ରିକାକୁ ବଡ଼ ବିଜୟ ଭେଟି ଦେଇଛି। ରବାଡା ମଧ୍ୟ ଟେଷ୍ଟରେ ତୃତୀୟ ଥର ପାଇଁ ୧୦ ଓ୍ଵିକେଟ୍‌ ସଫଳତା ପାଇଲେ। ଏଥି ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ମୂଳପୋଛ କରିନେଇଛି। ୬୩ ରନ୍‌ରେ ୧୦ ଓ୍ଵିକେଟ୍‌ ଅକ୍ତିଆର କରିଥିବା ରବାଡା ଦ୍ୱିତୀୟ ଟେଷ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ଏଲ୍‌ଗାର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଚାରି ଚାରିଟା ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୫୭୩/୪ (୧୨୦ ଓଭର)ର ବିଶାଳ ସ୍କୋର୍‌ ଛିଡ଼ା କରିବା ପରେ ବାଂଲା ପ୍ରଥମ ପାଳିକୁ ୧୪୭ ରନ୍‌ରେ ଶେଷ କରିଦେଇଥିଲା। ପ୍ରଥମ ପାଳିରେ ୪୨.୫ ଓଭର ତିଷ୍ଠି ପାରିଥିବା ବାଂଲା ଦଳ ଦ୍ୱିତୀୟ ପାଳିରେ ମଧ୍ୟ ୪୨.୪ ଓଭର ଖେଳି ୧୭୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରଥମ ପାଳିରେ ଇମ୍ରୁଲ୍‌ କେୟସ (୨୬), ଲିଟନ୍‌ ଦାସ (୭୦), ତାଇଜୁଲ୍‌ ଇସ୍‌ଲାମ (୧୨) ଓ ରୁବେଲ୍‌ ହୋସେନ୍‌ (୧୦) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲା ବେଳେ ଫଲୋଅନ୍‌ ଖେଳିଥିବା ଭ୍ରମଣକାରୀ ଦଳ ପକ୍ଷରୁ ଦ୍ୱିତୀୟ ପାଳିରେ କେୟସ (୩୨), ମୋମିନୁଲ୍‌ ହକ୍‌ (୧୧), ଅଧିନାୟକ ମୁସ୍‌ଫିକର ରହିମ୍‌ (୨୬), ମହମୁଦୁଲ୍ଲା (୪୩), ଲିଟନ୍‌ ଦାସ (୧୮) ଓ ଶୁଭାଶିଷ ରାୟ (୧୨) ଦୁଇ ଅଙ୍କ ଛୁଇଁବାରେ ସମର୍ଥ ହୋଇଥିଲେ। ଫଲୋଅନ୍‌ ପାଳିରେ ରବାଡାଙ୍କ ବ୍ୟତୀତ ଫେଲୁକ୍ୱାୟୋ ୩୬ ରନ୍‌ରେ ୩ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe