ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତିଲା ଦକ୍ଷିଣ ଆଫ୍ରିକା: ଡି’ କକ୍‌ଙ୍କ ଶତକ ଆଗରେ ଚାର୍ଲସଙ୍କ ଶତକ ଫିକା

ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତିଲା ଦକ୍ଷିଣ ଆଫ୍ରିକା: ଡି’ କକ୍‌ଙ୍କ ଶତକ ଆଗରେ ଚାର୍ଲସଙ୍କ ଶତକ ଫିକା

Times of India

ସେଞ୍ଚୁରିଅନ୍‌ : ରବିବାର ଏଠାରେ ଖେଳାଯାଇଥିବା ହାଇ ସ୍କୋରିଂ ଟ୍ବେଣ୍ଟି-୨୦ ମୁକାବିଲାରେ ଘରୋଇ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ଫଳରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ୩ ୱିକେଟ୍‌ରେ ହାରିଥିବା ଦକ୍ଷିଣ ଆଫ୍ରିକା ରବିବାର ଦ୍ବିତୀୟ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ୩ ମ୍ୟାଚ୍‌ ଶୃଙ୍ଖଳା ସ୍ଥିତିକୁ ୧-୧ରେ ପହଞ୍ଚାଇ ଦେଇଛି। ଦ୍ବିତୀୟ ମ୍ୟାଚ୍‌ରେ କ୍ବିଣ୍ଟନ ଡି’ କକ୍‌ଙ୍କ ଶତକ ଆଗରେ ଜନ୍‌ସନ୍‌ ଚାର୍ଲସଙ୍କ ଶତକ ଫିକା ପଡ଼ିଗଲା। ୪୪ ବଲ୍‌ରେ ଶତକ ହାସଲ କରିଥିବା ଡି’ କକ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ବ୍ୟାଟିଂକୁ ସୁହାଉଥିବା ପିଚ୍‌ରେ ଟସ୍‌ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ପାଇଁ ଇଣ୍ଡିଜ୍‌ ଦଳକୁ ଆମନ୍ତ୍ରଣ କରିଥିଲା। ତେବେ ଚାର୍ଲସ (୧୧୮, ୪୬ ବଲ୍‌, ୧୦ ଚୌକା‌, ୧୧ ଛକା), କାଇଲ ମାୟର୍ସ (୫୧, ୨୭ ବଲ୍‌, ୫ ଚୌକା, ୧ ଚକା) ଏବଂ ରୋମାରିଓ ସିଫର୍ଡ (୪୧, ୧୮ ବଲ୍‌, ୧ ଚୌକା, ୪ ଛକା)ଙ୍କ ନିର୍ଦୟ ପ୍ରହାର ବଳରେ ଇଣ୍ଡିଜ୍‌ ଦଳ ୫ ୱିକେଟ୍‌ ବିନିମୟରେ ୨୫୮ ରନ୍‌ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋଭ୍‌ମାନ ପାୱେଲ (୨୮, ୧୯ ବଲ୍‌, ୧ ଚୌକା, ୨ ଛକା) ଏବଂ ଓଡେନ୍‌ ସ୍ମିଥ୍‌ (୧୧, ୫ ବଲ୍‌, ୧ ଛକା) ଉପଯୋଗୀ ସ୍କୋର୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ‌ ଜାନ୍‌ସେନ ୫୨ ରନ୍‌ରେ ୩ ଏବଂ ୱେନ୍‌ ପାର୍ନେଲ ୪୩ ରନ୍‌ରେ ୨ ୱିକେଟ୍‌ ପାଇଥିଲେ।

ଜବାବରେ କ୍ବିଣ୍ଟନ ଡି’ କକ୍‌ ଏବଂ ରିଜା ହେଣ୍ଡ୍ରିକ୍ସ ଧୂଆଁଧାର ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍‌ରେ ୧୫୨ ରନ୍‌ ଯୋଡ଼ିଥିଲା ବେଳେ ୧୧ତମ ଓଭରର ପଞ୍ଚମ ବଲ୍‌ରେ ଡି’ କକ୍‌ (୧୦୦, ୪୪ ବଲ୍‌, ୯ ଚୌକା, ୮ ଛକା) ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ରନ୍‌ ଗତି କମିବାର ନା ଧରିନଥିଲା। ହେଣ୍ଡ୍ରିକ୍ସ (୬୮, ୨୮ ବଲ୍‌, ୧୧ ଚୌକା, ୨ ଛକା) ଏବଂ ଅଧିନାୟକ ଏଦେନ ମାର୍‌କ୍ରମ (୩୮*, ୨୧ ବଲ୍‌, ୪ ଚୌକା, ୧ ଛକା)ଙ୍କ ବ୍ୟତୀତ ରିଲି ରୁଷୋ (୧୬, ୪ ବଲ୍‌, ୧ ଚୌକା, ୨ ଛକା), ଡେଭିଡ୍‌ ମିଲର (୧୦, ୧୦ ବଲ୍‌, ୧ ଚୌକା), ଏବଂ ହେନ୍‌ରିକ୍‌ କ୍ଲାସେଁ ( ୧୬*, ୭ ବଲ୍‌, ୩ ଚୌକା)ଙ୍କ ଦ୍ରୁତ ପାଳି ବଳରେ ଦକ୍ଷିଣ ଆଫ୍ରିକା ୭ ବଲ୍‌ ପୂର୍ବରୁ (୧୮.୫ ଓଭର) ହାତରେ ୬ ୱିକେଟ୍‌ ଥାଇ ବିଜୟ ଲକ୍ଷ୍ୟ ୨୫୯ରେ ପହଞ୍ଚିଯାଇଥିଲା। ଜାସନ ହୋଲ୍‌ଡର, ଓଡେନ୍‌ ସ୍ମିଥ୍‌, ରେମନ ରାଇଫର ଓ ରୋଭ୍‌ମାନ ପାୱେଲ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ୨୧୬ ରନ୍‌ରେ ଚତୁର୍ଥ ୱିକେଟ୍‌ର ପତନ ଘଟିଥିଲା ବେଳେ ମାର୍‌କ୍ରମ ଓ କ୍ଲାସେଁ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୧୯ ବଲ୍‌ରୁ ୪୩ ରନ୍‌ ସଂଗ୍ରହ କରି ଘରୋଇ ଦଳକୁ ଗୁରୁତ୍ବପୂର୍ଣ୍ଣ ବିଜୟ ଭେଟି ଦେଇଥି‌ଲେ। ଏହି ହାଇସ୍କୋରିଂ ମ୍ୟାଚ୍‌ରେ ମୋଟ ୪୬ ଚୌକା ଏବଂ ୩୫ ଛକା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe