ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ ଟେଷ୍ଟ୍ ବିଜୟ: ମହାରାଜଙ୍କୁ ୭, ବାଂଲାଦେଶ ୫୩

Advertisment
ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ ଟେଷ୍ଟ୍ ବିଜୟ: ମହାରାଜଙ୍କୁ ୭, ବାଂଲାଦେଶ ୫୩

ଡର୍ବାନ୍‌: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଦକ୍ଷିଣ ଆଫ୍ରିକା ୨୨୦ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଛି। ଏଥି ସହ ୨ ମ୍ୟାଚ୍‌ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଆଗୁଆ ହୋଇଛି। ଚମତ୍କାର ବୋଲିଂ କରିଥିବାରୁ କେଶବ ମହାରାଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ଗୁରୁବାରଠାରୁ ଦ୍ବିତୀୟ ଟେଷ୍ଟ୍ ପୋର୍ଟ ଏଲିଜାବେଥ୍‌ରେ ଖେଳାଯିବ। ସୋମବାର ବାମହାତୀ ସ୍ପିନର୍‌ କେଶବ ମହାରାଜଙ୍କ ୭ ୱିକେଟ୍ ଦଖଲ କାରଣରୁ ବାଂଲାଦେଶ ଦ୍ବିତୀୟ ପାଳି ମାତ୍ର ୧୯ ଓଭର ଓ ୫୩ ରନ୍‌ରେ ସୀମିତ ‌ହୋଇଯାଇଥିଲା। କିଙ୍ଗ୍ସମିଡ୍‌ରେ ଏହା ସର୍ବନିମ୍ନ ସ୍କୋର୍‌ ହୋଇଥିଲା। ପୂର୍ବରୁ ଏହି ପଡ଼ିଆରେ ସର୍ବନିମ୍ନ ସ୍କୋର୍‌ ଭାରତ (୬୬, ୧୯୯୬) ନାମରେ ଥିଲା। ବାଂଲାଦେଶର କିନ୍ତୁ ଦ୍ବିତୀୟ ସର୍ବନିମ୍ନ। ପୂର୍ବରୁ ୨୦୧୮ରେ ନର୍ଥ ସାଉଣ୍ଡରେ ଏହି ଏସୀୟ ଦଳକୁ ୱେଷ୍ଟଇଣ୍ଡିଜ୍ ମାତ୍ର ୪୩ ରନ୍‌ରେ ଅଲ୍ଆଉଟ୍ କରି ଦେଇଥିଲା। ସୋମବାର ପଞ୍ଚମ ତଥା ଶେଷ ଦିନରେ କେଶବ ମହାରାଜ (୭/୩୨) ଓ ସାଥି ସ୍ପିନର୍‌ ସାଇମନ୍‌ ହାର୍ମର (୩/୨୧) ବାଂଲାଦେଶ ପାଳିକୁ ପୋଛି ନେଇଥିଲେ।

ମ୍ୟାଚ୍‌ରେ ଏହି ଯୋଡ଼ି ମିଳିତ ଭାବେ ୧୪ ୱିକେଟ୍ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ଦୁଇ ଜଣଙ୍କ ଛଡ଼ା ଦ୍ବିତୀୟ ପାଳିରେ ଅନ୍ୟ କେହି ବୋଲିଂ କରିନଥିଲେ। ଅପରିବର୍ତିତ ସ୍ପେଲ୍‌ରେ ଉଭୟ ବାଂଲା ପାଳିକୁ ଶେଷ କରି ଦେଇଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ପ୍ରଥମ ଏବଂ ବାଂଲାଦେଶ ବିପକ୍ଷରେ କୌଣସି ଦେଶର ପ୍ରଥମ। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ୨୮ତମ ଥର ପାଇଁ ଏଭଳି ଘଟଣା ଘଟିଛି। ଶେଷ ଥର ପାଇଁ ୨୦୧୯ରେ ଲର୍ଡସରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ୱକ୍ସ ଅପରିବର୍ତ୍ତିତ ସ୍ପେଲ୍‌ରେ ଆୟର୍ଲାଣ୍ଡ ପାଳିକୁ ଶେଷ କରି ଦେଇଥିଲେ। ସେହିଭଳି ତୃତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକା ସ୍ପିନ୍‌ ଯୋଡ଼ି ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍ ବାଣ୍ଟି ନେଇଥିଲେ। ୧୯୫୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ୧୯୪୮ରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଏଭଳି ନଜିର ଦେଖିବାକୁ ମିଳିଥିଲା। ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍‌ ଏକ ପାଳିରେ ଗୋଟିଏ ବଲ୍‌ ବି ବୋଲିଂ କରିନଥିଲେ। କେଶବ ମହାରାଜ ତାଙ୍କ ୭ ୱିକେଟ୍ ନେବାକୁ ମାତ୍ର ୬୦ ବଲ୍ ବୋଲିଂ କରିଥିଲେ। ୬୫ ବର୍ଷରେ ଏହା ଦକ୍ଷିଣ ଆଫ୍ରିକା ପାଇଁ ଶ୍ରେଷ୍ଠ। ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା: ୩୬୭ ଓ ୨୦୪। ବାଂଲାଦେଶ: ୨୯୮ ଓ ୫୩।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe