ଭୁବନେଶ୍ବର: ନେପାଳର ତିନିଟି ସ୍ଥାନ ଯଥା କାଠମାଣ୍ଡୁ, ଜନକପୁର ଏବଂ ପୋଖରାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ା ବା ସାଗ୍ କ୍ରୀଡ଼ାରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ଚମକ ଦେଖିବାକୁ ମିଳିଛି। ମଙ୍ଗଳବାର ସେ ମହିଳା ୧୦ ମିଟର ଏୟାର ରାଇଫଲ୍ ବନ୍ଧୁକ ଚାଳନାରେ ରୌପ୍ୟ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି। ଏହି ବର୍ଗରେ ଭାରତ ସମସ୍ତ ତିନିଟି ଯାକ ପଦକ ପୋଛି ନେବାର କୀର୍ତ୍ତିମାନ ବି କରିଛି। ଭାରତର ମେହୁଲି ଘୋଷ୍ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ତାଙ୍କ ପଛକୁ ଶ୍ରୀୟଙ୍କା ଏବଂ ଶ୍ରେୟା ଅଗ୍ରୱାଲ ରହିଛନ୍ତି। ମେହୁଲିଙ୍କ ହାସଲ ସ୍କୋର ୨୫୩.୩ ବିଶ୍ବ କୀର୍ତ୍ତିମାନଠାରୁ ଭଲ (୦.୪ ଅଧିକ)। ହେଲେ ବିଶ୍ବ ବନ୍ଧୁକଚାଳନା ମହାସଂଘ (ଆଇଏସ୍ଏସ୍ଏଫ୍) ‘ସାଗ୍’ କ୍ରୀଡ଼ାକୁ ସ୍ବୀକୃତି ଦେଉ ନଥିବାରୁ ଏହା ବିଶ୍ବ କୀର୍ତ୍ତିମାନ ଭାବେ ଧରାଯିବ ନାହିଁ। ସ୍ବୀକୃତି ମିଳିଥିଲେ ମେହୁଲି ଅନ୍ୟତମ ଭାରତୀୟ ଅପୂର୍ବୀ ଚାନ୍ଦିଲାଙ୍କ କୀର୍ତ୍ତିମାନ ଭାଙ୍ଗିଥାଆନ୍ତେ। ଅନ୍ୟପକ୍ଷରେ ଶ୍ରୀୟଙ୍କା ୨୫୦.୮ ସ୍କୋର ସହ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଶ୍ରେୟା ୨୨୭.୨ ସ୍କୋର ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରୀୟଙ୍କା ପୂର୍ବରୁ ଅନେକ ଅନ୍ତର୍ଜାତୀୟ ପଦକ ଜିତିଥିଲା ବେଳେ ଏଥିରେ ଆଉ ଏକ ‘ସାଗ୍’ ସଫଳତାକୁ ଯୋଡ଼ିଥିଲା।
ଦକ୍ଷିଣ ଏସୀୟ କ୍ରୀଡ଼ା: ଶ୍ରୀୟଙ୍କାଙ୍କୁ ରୌପ୍ୟ
Advertisment
Follow Us