ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

Advertisment
ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ମାଞ୍ଚେଷ୍ଟର: ଚଳିତ ବିଶ୍ବକପ୍‌ ଶେଷ ଲିଗ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା‌ ୧୦ ରନ୍‌ରେ ହରାଇ ଦେଇଛି। ଏଥି ସହିତ ଭାରତ ଗ୍ରୁପ୍ ବିଜେତା ହୋଇ ଜୁଲାଇ ୯ ତାରିଖରେ ନ୍ୟୁଜିଲାଣ୍ଡ୍ ସହିତ ମାଞ୍ଚେଷ୍ଟରରେ ପ୍ରଥମ ସେମିଫାଇନାଲ୍‌‌ରେ ଖେଳିବାକୁ ନିଶ୍ଚିତ କରିଛି। ଦ୍ବିତୀୟ ସେମିଫାଇନାଲରେ ଜୁଲାଇ ୧୧ରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା ବର୍ମିଂହାମରେ ଖେଳାଯିବ। ଶନିବାର ଡୁ ପ୍ଲେସିସଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ୩୨୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଡେଭିଡ୍ ୱାର୍ନରଙ୍କ ଜବାବୀ ଶତକ ବଳରେ ଅଷ୍ଟ୍ରେଲିଆ ଲଢ଼ିଥିଲେ ମଧ୍ୟ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା।

ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ଦକ୍ଷିଣ ଆଫ୍ରିକା ଶେଷ ମ୍ୟାଚ୍‌ରେ ଚଳିତ ବିଶ୍ବକପ୍‌ର ଶ୍ରେଷ୍ଠ ବ୍ୟାଟିଂ କରିଥିଲା। ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ (୧୦୦) ଏହାର ନେତୃତ୍ବ ନେଇଥି‌ଲେ। ତାଙ୍କ ଶତକୀୟ ପାଳି ସହ ରେଶି ଭାନଡର ଦୁସେନ (୯୫) ଏବଂ କ୍ବିଣ୍ଟନ୍ ଡି’କକ୍ (୫୨)ଙ୍କ ଦାୟିତ୍ବବାନ ଏବଂ ଦ୍ରୁତ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ପୂରା ୫୦ ଓଭର ଖେଳି ୬ ୱିକେଟ୍ ବିନିମୟରେ ୩୨୫ ରନ୍ କରି ନେଇଥିଲା। ଚଳିତ ବିଶ୍ବକପ୍‌ରେ ଏହା ମଧ୍ୟ ଦକ୍ଷିଣ ଆଫ୍ରିକାର ସର୍ବବୃହତ୍ ଦଳଗତ ‌ସ୍କୋର ଥିଲା। ଡୁପ୍ଲେସିସ୍ ବି ଚଳିତ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିଲେ। ଏହା କିନ୍ତୁ ମୋଟ ଉପରେ ତାଙ୍କର ତ୍ରୟୋଦଶ ଶତକ ଥିଲା। ଶନିବାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏଦେନ ମର୍କରାମ (୩୪) ଓ ଡି’ କକ୍ ପ୍ରଥମ ୱିକେଟ୍‌ରେ ୭୯ ରନ୍ ଯୋଡ଼ିଥିଲେ। ମର୍କରାମଙ୍କୁ ନିଜ ପ୍ରଥମ ଶିକାର କରି ନାଥନ ଲାୟନ ଯୋଡ଼ି ଭାଙ୍ଗିଥିଲେ। ଡି’ କକ୍ ମଧ୍ୟ ଅର୍ଧଶତକର ୨ ରନ୍ ପରେ ତାଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ତୃତୀୟ ୱିକେଟରେ ଡୁ’ପ୍ଲେସିସ୍ ଓ ଦୁସେନ୍ ୧୫୧ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟ ଦକ୍ଷିଣ ଆଫ୍ରିକା ପାଳିର ସବୁଠାରୁ ବଡ଼ ଭାଗୀଦାରି ଥିଲା। ଭଲ ବ୍ୟାଟିଂ କରୁଥିବା ଦୁସେନ ପାଳିର ଶେଷ ବଲ୍‌ରେ ଆଉଟ୍ ହୋଇ ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଜବାବରେ ‌ଡେଭିଡ୍ ୱାର୍ନର (୧୨୨, ୧୧୭ ବଲ, ୧୫ ଚୌକା, ୨ ଛକା) ଏବଂ ଆଲେକ୍ସ କ୍ୟାରି (୮୫, ୬୯ ବଲ, ୧୧‌ ଚୌକା, ୧ ଛକା) ଲଢ଼ିଥିଲେ। ୱାର୍ନର ଚଳିତ ବିଶ୍ବକପ୍‌ରେ ନିଜ ତୃତୀୟ ଶତକ ହାସଲ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଜିତି ନପାରିବାରୁ ଭାରତ ଗ୍ରୁପ୍ ବିଜେତା ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୩୨୫/୬ (ଫାପ୍ ଡୁ ପ୍ଲେସିସ୍-୧୦୦, ଭାନ୍ ଡର୍ ଦୁସେନ-୯୫, କ୍ବିଣ୍ଟନ୍ ଡି’କକ୍-୫୨, ନାଥନ୍ ଲାୟନ-୨/୫୩, ମିଚେଲ ଷ୍ଟାର୍କ-୨/୫୯, ବେହରନଡର୍ଫ-୧/୫୫, ପ୍ୟାଟ୍ କମିନ୍ସ-୧/୬୬)। ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୧୫ (ଡେଭିଡ୍‌ ୱାର୍ନର-୧୨୨, ଆଲେକ୍ସ କ୍ୟାରି-୮୫, କାଗିସୋ ରବାଦା-୩/୫୬, ଆନ୍ଦିଲ ଫେଲୁକ୍ବାୟୋ-୨/୨୨, ପ୍ରିଟୋରିୟସ-୨/୨୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe