ଲଢ଼ୁଛନ୍ତି ଅନାଥ ଓ ସ୍ବତନ୍ତ୍ର ଅଲିମ୍ପିକ୍‌ କ୍ରୀଡ଼ାବିତ୍‌

ଲଢ଼ୁଛନ୍ତି ଅନାଥ ଓ ସ୍ବତନ୍ତ୍ର ଅଲିମ୍ପିକ୍‌ କ୍ରୀଡ଼ାବିତ୍‌

ଭୁବନେଶ୍ବର: କରୋନା ମହାମାରୀ ଲଢ଼େଇରେ ପ୍ରତିଟି ବ୍ୟକ୍ତି ଜଣେ ଜଣେ ଯୋଦ୍ଧାର ଭୂମିକା ତୁଲାଉଥିବାବେଳେ ଆଗଧାଡିରେ ରହିଛନ୍ତି ଡାକ୍ତର, ପାରାମେଡିକାଲ୍ ସହଯୋଗୀ, ପୁଲିସ୍‌, ସୁରକ୍ଷାକର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ। କ୍ରୀଡ଼ା ଦୁନିଆର ଅନେକ ବ୍ୟକ୍ତି ମଧ୍ୟ ନିଜକୁ ଗୃହାବଦ୍ଧ ଅବସ୍ଥାରେ ଫିଟ୍‌ନେସ୍‌ ରହିବା ସହିତ ସମାଜିକ ଗଣମାଧ୍ୟମ ଜରିଆରେ ନିଜର ଭୂମିକା ତୁଲାଉଛନ୍ତି। ଏହି ଘଡିସନ୍ଧୀ ମୁହୂର୍ତରେ କିନ୍ତୁ ରାଜ୍ୟର ମାନସିକ ଅନଗ୍ରସର ଅନାଥଙ୍କ ଥଇଥାନ କେନ୍ଦ୍ର ଭାବେ ପରିଚିତ ଓପନ୍‌ ଲର୍ଣ୍ଣିଂ ସ୍କୁଲ୍‌ (ଓଏଲ୍‌ଏସ୍‌)ର ଅନ୍ତେବାସୀମାନେ ପୂର୍ବଭଳି ନିଜ କାମକୁ ଜାରି ରଖିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ସହିତ ନିୟମିତ ଭାବେ ସେମାନେ ବ୍ୟାୟାମ, ଯୋଗ ଏବଂ ନିଜ ନିଜ ଖେଳରେ ଉତ୍କର୍ଷତା ଆଣିବାର ପ୍ରୟାସ କରୁଛନ୍ତି। ଆଗକୁ ସ୍ବତନ୍ତ୍ର ଅଲିମ୍ପିକ୍ସର ଜାତୀୟ ଏବଂ ବିଶ୍ବ ପ୍ରତିଯୋଗିତା ଥିବାରୁ କେନ୍ଦ୍ରର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥଙ୍କ ତତ୍ବାବଧାନରେ ସବୁକିଛି ଯଥାରୀତି ଚାଲିଛି ବୋଲି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ଅଲିମ୍ପିକ୍ସର ଅନ୍ୟତମ ପ୍ରତିଷ୍ଠିତ ପ୍ରଶିକ୍ଷିକା ଅର୍ପିତା ମହାପାତ୍ର। ଅନ୍ୟ ସାଧାରଣ କ୍ରୀଡ଼ା ଛାତ୍ରାବାସ ଗୁଡିକ ଲକ୍‌ ଡାଉନ୍ ପରେ ବନ୍ଦ ହୋଇଯିବାରୁ ସେମାନେ ଘରକୁ ଯିବାର ସ‌ୁଯୋଗ ପାଇଛନ୍ତି। କିନ୍ତୁ ଅନାଥମାନଙ୍କର କିଏ ଅଛି ବୋଲି ପ୍ରଶ୍ନ କରିଥିଲେ ରାଜ୍ୟର ଅନ୍ୟତମ ଦୁଃସାହସୀ ମହିଳା କ୍ରୀଡ଼ାବିତ୍‌ ଅର୍ପିତା।

ଏହା ବ୍ୟତୀତ ରାଜ୍ୟର କିଛି ପ୍ରମୁଖ ସ୍ବତନ୍ତ୍ର ଅଲିମ୍ପିକ୍ସ କ୍ରୀଡ଼ାବିତ୍‌ଙ୍କ ସମୟ କିଭଳି କଟୁଛି ବୋଲି 'ସମ୍ବାଦ' ଜାଣିବାକୁ ଚାହିଁଥିଲା। ଆଗକୁ ଥିବା ସ୍ବତନ୍ତ୍ର ଅଲିମ୍ପିକ୍ସର ଜାତୀୟ ଓ ବିଶ୍ବ ପ୍ରତିଯୋଗିତା ଲାଗି ସେମାନେ ବି ନିଜ ନିଜ ଘରେ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ସ୍ବତନ୍ତ୍ର ଅଲିମ୍ପିକ୍ସର ଅନ୍ତର୍ଜାତୀୟ ତାରକା ସରିତା ରାଉତରାୟ, ପ୍ରଭାତ ବରାଳ, ରାଜଶ୍ରୀ ମହାପାତ୍ର, ସୋନାଲି ବେହେରା, ରଜତ କେଡିଆ, ଇନ୍ଦ୍ରମଣି କାଣ୍ଡି ଅନ୍ୟତମ। ୨୦୧୬ ମସିହାର ଆମେରିକାରେ ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ୟୁନିଫାଏଡ୍‌ ବିଚ୍‌ ଭଲିବଲ୍‌ରେ ସ୍ବର୍ଣ୍ଣ ଏବଂ ୨୦୧୭ ଶୀତକାଳୀନ କ୍ରୀଡ଼ା ଫ୍ଲୋର ହକି କାଂସ୍ୟ ଜିତିଥିବା ସରିତା ଏବେ ନିଜ ବ୍ୟାୟାମ ଓ ଖେଳ ସହିତ ନୃତ୍ୟ ଓ ରୋଷେଇରେ ବି ମନୋନିବେଶ କରିଛନ୍ତି। ଗୁଣ୍ଡିଚା ଓ ସ୍ଲେହଲତାଙ୍କ ଏହି ଭିନ୍ନକ୍ଷମ କନ୍ୟା ରୋଲର ସ୍କେଟିଂ, ୟୁନିଫାଏଡ୍ ଫୁଟ୍‌ବଲ୍‌, ବ୍ୟାଡ୍‌ମିଣ୍ଟନ, ହ୍ୟାଣ୍ଡବଲ୍‌ ଓ ସାଇକ୍ଲିଂରେ ବି ନିଜ ପରାକାଷ୍ଠା ଦେଖାଇଛନ୍ତି। ସ୍ବତନ୍ତ୍ର ଅଲିମ୍ପିକ୍ସ-ଭାରତ ଓଡ଼ିଶାରେ ମଧ୍ୟ ସହକାରୀ ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ସେହିଭଳି ୨୦୧୭ ଅଷ୍ଟ୍ରିଆ ଶୀତକାଳୀନ ସ୍ବତନ୍ତ୍ର ଅଲିମ୍ପିକ୍ସର ଭାଗ ନେଇ ଓଡ଼ିଶାର ଗୌରବ ବଢ଼ାଇଥିଲେ ସୋନାଲି ବେହେରା। ସରିତାଙ୍କ ପଦାଙ୍କ ଅନୁସରଣ କରିବାରେ ଲାଗିଛନ୍ତି ସୋନାଲି। ରୋଲର ସ୍କେଟିଂ, ୟୁନିଫାଏଡ୍ ଫୁଟ୍‌ବଲ୍‌, ହ୍ୟାଣ୍ଡବଲ୍‌ ଓ ସାଇକ୍ଲିଂରେ ଆଗକୁ ବଢ଼ିବାରେ ଲାଗିଛନ୍ତି ଏହି ଭିନ୍ନକ୍ଷମ କ୍ରୀଡ଼ା ପ୍ରତିଭା। ଅନ୍ୟପକ୍ଷରେ ୨୦୧୯ ଆବୁଧାବି ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ବ୍ୟାଡ୍‌ମିଣ୍ଟନ୍‌ କାଂସ୍ୟ ଜିତିଥିବା ପ୍ରଭାତ ବରାଳ ନିଜକୁ ପିତାଙ୍କ ଚାଷ କାମରେ ନି‌ୟୋଜିତ କରିଛନ୍ତି। ପିତା ପ୍ରହଲ୍ଲାଦଙ୍କୁ ମୁଗ, ବିରି ଅମଳରେ ସହାୟତା କରୁଛନ୍ତି। ଏସିଆ ପ୍ୟାସିଫିକ୍ ୟୁନିଫାଏଡ୍ କ୍ରିକେଟ୍‌ରେ ଭାରତୀୟ ଦଳରୁ ୩ ଥର ପ୍ରତିନିଧିତ୍ବ କରିବା ସହ ଗତ ସଂସ୍କରଣରେ ମଧ୍ୟ ସେ ଅଧିନାୟକତ୍ବ କରିଥିଲେ। ସାଇକେଲ୍ ଚାଳନା ଏବଂ ଭଲିବଲ୍‌ ଅନ୍ୟ ଦୁଇଟି ଖେଳ ଯେଉଁଥିରେ ସେ ସଫଳତା ପାଇଛନ୍ତି। ୨୦୧୯ ଆବୁଧାବି ବିଶ୍ବ ସମର୍‌ ଗେମ୍ସ ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତର ପ୍ରତିନିଧିତ୍ବ କରି ୟୁନିଫାଏଡ୍‌ ଫୁଟସାଲ୍ ରୌପ୍ୟ ପଦକ ଜିତିଥିବା ରାଜଶ୍ରୀ ମହାପାତ୍ର ମଧ୍ୟ ରୋଲର ସ୍କେଟିଂ, ୟୁନିଫାଏଡ୍‌ ଫୁଟ୍‌ବଲ୍‌, ହ୍ୟାଣ୍ଡ୍‌ବଲ୍‌ ରେ ଉତ୍କର୍ଷତା ଦେଖାଇବାକୁ ଲାଗି ପଡିଛନ୍ତି। ନାଚିବା, ସିଲେଇ କରିବା ଓ ଲୁଗା ବୁଣିବା ମଧ୍ୟ ଜଣାଅଛି ରାଜଶ୍ରୀଙ୍କୁ। କଟକରେ ରହୁଥିବା ରଜତ କେଡିଆ ୨୦୧୯ ସମର ଗେମ୍ସରେ ମଧ୍ୟ ଭାରତର ପ୍ରତିନିଧିତ୍ବ କରିଥ‌ିଲେ। ୟୁନିଫାଏଡ୍ ବାସ୍କେଟ୍‌ବଲ୍‌ରେ ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ ଅରୁଣ ଓ ପୁଷ୍ପଲତାଙ୍କ ଏହି ସୁପୁତ୍ର। ଫୁଟ୍‌ବଲ୍‌ ଏବଂ ବାସ୍କେଟ୍‌ବଲ୍ ନିଜ ପସନ୍ଦର ଖେଳ ହୋଇଥିଲେ ମଧ୍ୟ ଗୃହାବାଦ୍ଧ କାରଣରୁ ରଜତ ଏବେ ଯୋଗ ଓ ଶାରୀରିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିଛନ୍ତି। ଆବୁଧାବି ଗେମ୍ସରେ ମଧ୍ୟ ଭାରତୀୟ ଯୁବ ନେତୃତ୍ବ ଭାବେ ଅଂଶଗ୍ରହଣ କରିଥିଲେ ପୁରୀ ଜିଲ୍ଲା ବେରବୋଇର ଇନ୍ଦ୍ରମଣି କାଣ୍ଡି। ଖେଳକୁଦ ଏବଂ ନୃତ୍ୟରେ ରୁଚି ରଖୁଥିବା ଇନ୍ଦ୍ରମଣି ବିବେକାନନ୍ଦ ମହାନ୍ତିଙ୍କ ତତ୍ବାବଧାନରେ ଏବେ ସ୍ବତନ୍ତ୍ର ଅଲିମ୍ପିକ୍ସର ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଫ୍ଲୋରବଲ୍‌, ୟୁନିଫାଏଡ୍ ଫୁଟ୍‌ବଲ୍‌, ହ୍ୟାଣ୍ଡ୍‌ବଲ୍‌ ଏବଂ ସାଇକ୍ଲିଂରେ ଅଂଶଗ୍ରହଣ କରୁଛନ୍ତି ଏହି ପ୍ରତିଭା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe