ଭାରତୀୟ ହକି ଦଳର କାଂସ୍ୟପଦକ ଏକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି: କ୍ରୀଡ଼ାମନ୍ତ୍ରୀ

Advertisment

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ସାମ୍ବାଦିକ ସମ୍ମିଳନୀ

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ହକି ଦଳର କାଂସ୍ୟପଦକ ଏକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ପ୍ୟାରିସ୍‌ ଅଲମ୍ପିକ୍ସ-୨୦୨୪ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ ସୁନାମ ଅର୍ଜନ କରିଛନ୍ତି। ଭାରତୀୟ ହକି ଦଳର ଏହି କାଂସ୍ୟପଦକ ଏକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ ପ୍ରଦାନ କରିଛି। ଏହି ବିଜୟ ଆଜି ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରେରଣା ଯୋଗାଇ ଦେଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବୁଧବାର ଭୁବନେଶ୍ୱରଠାରେ ହେବାକୁ ଥିବା ଭାରତୀୟ ହକି ଟିମ୍‌ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରି ଏହା କହିଛନ୍ତି।

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକିଦଳ କାଂସ୍ୟ ପଦକ ଜିତିବା, ଦଳର ସମସ୍ତ କ୍ରୀଡ଼ାବିତ୍‌ଙ୍କର ଦୃଢ଼ତା ଓ ନିଷ୍ଠାପରତାର ପ୍ରମାଣ ପ୍ରଦାନ କରିଛି। ତେଣୁ ସେହି ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଦିନ ୧୨.୩୦ ସମୟରେ ଭାରତୀୟ ହକି ଟିମ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଆସି ପହଂଚିବେ। ସେଠାରେ ଦଳର କ୍ରୀଡ଼ାବିତ୍‌ମାନଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବାର ଯୋଜନା କରାଯାଇଛି। ଏହାପରେ ଭାରତୀୟ ହକିଟିମ୍ କୁ ନେଇ ଏକ ବିଶାଳ ରୋଡ଼ ଶୋ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯିବ। ପରବର୍ତ୍ତୀ ସମୟରେ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଆମର ଏହି ଯୁବ କ୍ରୀଡାବିତ୍‌ ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। କ୍ରୀଡ଼ା ତଥା ହକିର ବିକାଶ ଏବଂ କ୍ରୀଡ଼ାବିତ୍ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ଚେଷ୍ଟିତ ଏବଂ ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ ମତପ୍ରକାଶ କରିଥିଲେ। ଏଥି ସହିତ ଆଗାମୀ ବର୍ଷରେ ହେବାକୁ ଥିବା ଅଲମ୍ପିକ୍ସ ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍‌ ମାନେ ଯେପରି ଅଲମ୍ପିକ୍ସ ପଦକ ହାସଲ କରିପାରିବେ ସେ ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସେ କହିଥିଲେ। ଏଥିସହ ଆସନ୍ତାକାଲି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe