ସଲାମ ଶ୍ରୀଜେସ୍‌: ଶ୍ରୀଜେଶଙ୍କ ୧୬ନଂ ଜର୍ସିକୁ ଅବସର, ହକି ଇଣ୍ଡିଆ ଦେଲା ସ୍ବତନ୍ତ୍ର ବିଦାୟୀ ସମ୍ବର୍ଦ୍ଧନା

Advertisment

ଭାରତୀୟ କନିଷ୍ଠ ଦଳର ପ୍ରଶିକ୍ଷକ ନିଯୁକ୍ତ ହେଲେ

ଭାରତୀୟ କନିଷ୍ଠ ଦଳର ପ୍ରଶିକ୍ଷକ ନିଯୁକ୍ତ ହେଲେ

ସଲାମ ଶ୍ରୀଜେସ୍‌: ଶ୍ରୀଜେଶଙ୍କ ୧୬ନଂ ଜର୍ସିକୁ ଅବସର, ହକି ଇଣ୍ଡିଆ ଦେଲା ସ୍ବତନ୍ତ୍ର ବିଦାୟୀ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଭାରତୀୟ ହକିର ମହାନତମ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶଙ୍କୁ ହକି ଇଣ୍ଡିଆ ବୁଧବାର ସ୍ବତନ୍ତ୍ର ବିଦାୟୀକାଳୀନ ସମ୍ବର୍ଦ୍ଧନା ଦେଇଛି। ଭାରତୀୟ ହକି ପ୍ରତି ‌ସେ ଦେଇଥିବା ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ସେ ପିନ୍ଧୁଥିବା ୧୬ନଂ ଜର୍ସିକୁ ହକି ଇଣ୍ଡିଆ ସବୁଦିନ ପାଇଁ ବରିଷ୍ଠ ସ୍ତରରୁ ଅବସର ଘୋଷଣା କରିଛି। କନିଷ୍ଠ ସ୍ତରୀୟ ହକିରେ ଅବଶ୍ୟ ଏହି ଜର୍ସି ନମ୍ବରର ଉପଯୋଗ ପୂର୍ବଭଳି ଜାରି ରହିବ। ସେହିଭଳି ପାଖାପାଖି ଦୁଇ ଦଶନ୍ଧି ଧରି ଭାରତୀୟ ଗୋଲ୍‌ପୋଷ୍ଟର ରକ୍ଷାପ୍ରାଚୀର ରହି ଆସିଥିବା ଶ୍ରୀଜେଶଙ୍କୁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛି। ଲଗାତାର ଅଲିମ୍ପିକ୍ସ ପଦକ ଜିତିବା ପରେ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଥିବା ଶ୍ରୀଜେଶ ଭାରତୀୟ କନିଷ୍ଠ ହକି ଦଳର ପ୍ରଶିକ୍ଷକ ଦାୟିତ୍ବ ନେବେ ବୋଲି ହକି ଇଣ୍ଡିଆ ସଂପାଦକ ଭୋଳାନାଥ ସିଂହ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଶ୍ରୀଜେଶଙ୍କୁ ଆଧୁନିକ ଭାରତୀୟ ହକିର ଭଗବାନ ଭାବେ ବର୍ଣ୍ଣନା କରିଛନ୍ତି।

ଏହି ଅବସରରେ ଉପସ୍ଥିତ ଥିବା ଭାରତୀୟ ହକି ଦଳର ଖେଳାଳିମାନେ ଲାଲ୍ ରଙ୍ଗର ଜର୍ସି ପିନ୍ଧିଥିଲା ବେଳେ ସେମାନଙ୍କ ପିଠିରେ ଶ୍ରୀଜେଶ ଲେଖା ଯାଇଥିଲା। ଶ୍ରୀଜେଶ ମଧ୍ୟ ଏଭଳି ଜର୍ସି ପିନ୍ଧି ସାଥୀ ଖେଳାଳିଙ୍କ ଗହଣରେ ବେଶ୍ ଭାବବିହ୍ବଳ ହୋଇଯାଉଥିବା ଦେଖିବାକୁ ମିଳିଥିଲା। ପ୍ୟାରିସ୍ ଅଲିମ୍ପିକ୍ସରେ ଯୁଗଳ କାଂସ୍ୟ ଜିତିଥିବା ସୁଟର୍‌ ମନୁ ଭାକରଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ରଙ୍ଗିନ କରିଥିଲା। ଶ୍ରୀଜେଣ ତାଙ୍କ ବିଦାୟୀ ଭାଷଣରେ କହିଥିଲେ, ହକି ଇଣ୍ଡିଆର ଏଭଳି ସମ୍ବର୍ଦ୍ଧନା ମୋତେ କେତେ ଖୁସି ଦେଇଛି, ତାହା ଶବ୍ଦରେ ପରିପ୍ରକାଶ କରିବା କଷ୍ଟକର। ୧୮ବର୍ଷର ଲମ୍ବା ଯାତ୍ରାରେ ମୁଁ ସଫଳତା ଶିଖର ଏବଂ ବିଫଳତାର ସର୍ବନିମ୍ନ ସ୍ତରକୁ ଅଭିଜ୍ଞତା କରିଛି। ହେଲେ ଏଥିପାଇଁ ହିଁ ଆଜି ମୁଁ ଯେଉଁଠି ଅଛି, ସେଠି ପହଞ୍ଚି ପାରିଛି। ଜଣେ ଅନ୍ତର୍ଜାତୀୟ ଖେଳାଳିଭାବେ ପ୍ରତିଟି ମିନିଟ୍‌କୁ ମୁଁ ମନଭରି ଉପଭୋଗ କରିଛି। ମୋ ସାଥୀ ଖେଳାଳିଙ୍କୁ ମୁଁ ବହୁତ ଝୁରିବି। ଜୀବନରେ ସେମାନଙ୍କ ଅନୁପସ୍ଥିତିକୁ ମର୍ମେମର୍ମେ ଅନୁଭବ କରିବି। ସେମାନେ ମୋ ପାଇଁ ଦ୍ବିତୀୟ ପରିବାର ପାଲଟି ଯାଇଥିଲେ। ଶ୍ରୀଜେଶଙ୍କୁ ପରୀକାହାଣୀ ଭଳି ବିଦାୟୀ ସମ୍ବର୍ଦ୍ଧନା ଦେଇ ପୂରା ଦଳ ଗର୍ବିତ ବୋଲି ଅଧିନାୟକ ହର୍ମନପ୍ରୀତ ସିଂହ କହିଥିଲେ। ସୂଚନାଯୋଗ୍ୟ ଯେ କେରଳ ଜନ୍ମିତ ଶ୍ରୀଜେଶ ୨୦୦୪ରେ କନିଷ୍ଠ ଏବଂ ୨୦୦୬ରେ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ହକି ଜୀବନ ଆରମ୍ଭ କରିଥିଲେ। ଟୋକିଓ ଓ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ପରେ ଅବସର ଘୋଷଣା କରିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe