Hindustan Times
ନୂଆଦିଲ୍ଲୀ : ଆଜକୁ ଠିକ୍ ୧୫ ବର୍ଷ ତଳେ (୨୪ ସେପ୍ଟେମ୍ବର ୨୦୦୭) ଭାରତ ପ୍ରଥମ ସଂସ୍କରଣ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ବିଜେତା ହୋଇଥିଲା। ଭାରତ ଶନିବାରର ଏହି ଐତିହାସିକ ମୁହୂର୍ତର ୧୫ତମ ବାର୍ଷିକୀ ପାଳନ ସହ ସ୍ମୃତି ଚାରଣ କରିଛି। ଜୋହାନ୍ସବର୍ଗରେ ଖେଳାଯାଇଥିବା ରୋମାଞ୍ଚଭରା ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ କିଭଳି ପାକିସ୍ତାନକୁ ପରାସ୍ତ କରିଥିଲା ତାହାକୁ ଶନିବାର ଏହି ଦଳର ଅନ୍ୟତମ ସଦସ୍ୟ ଶାନ୍ତାକୁମାର ଶ୍ରୀଶାନ୍ତ ମନେ ପକାଇଛନ୍ତି।
ପାକିସ୍ତାନ ପଶ୍ଚାତଧାବନ କରୁଥିବା ବେଳେ ଏମ୍ଏସ୍ ଧୋନି ଅନ୍ତିମ ଓଭର ବୋଲିଂ କରିବାକୁ କାହିଁକି ଅନଭିଜ୍ଞ ଯୋଗୀନ୍ଦର ଶର୍ମାଙ୍କୁ ଦେଇଥିଲେ ଶ୍ରୀଶାନ୍ତ ବର୍ଣ୍ଣନା କରିଛନ୍ତି। ମାହିଙ୍କ ଏହି ଚାଲ୍ କାମ କରିଥିଲା, ମିସବା ଉଲ୍ ହକ୍ଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାଚ୍କୁ ସର୍ଟ ଫାଇନ୍ ଲେଗ୍ରେ ନେଇ ଶ୍ରୀଶାନ୍ତ ମଧ୍ୟ ପାକିସ୍ତାନ ପାଳିର ଅନ୍ତ ଘଟାଇଥିଲେ। ‘ଧୋନି ଭାଇ ଏଭଳି ନିଷ୍ପତ୍ତି ହିଁ ନେଇପାରନ୍ତି, ଯୋଗୀ ଭାଇ ଭଲ ବୋଲିଂ କରନ୍ତି ବୋଲି ସେ ଜାଣିଥିଲେ’ ବୋଲି ଶ୍ରୀଶାନ୍ତ ପ୍ରକାଶ କରିଥିଲେ।
‘ଅନେକ ଲୋକଙ୍କୁ ଜଣାନାହିଁ ଆମେ ସବୁ ଇଣ୍ଡିଆନ ଏୟାରଲାଇନ୍ସ ପାଇଁ ଖେଳିଛୁ। ଧୋନି ଭାଇ, ମୁଁ, ଯୁବି ପା, ଭଜୁ ପା ମିଳିତ ଭାବେ ଇଣ୍ଡିଆନ୍ ଏୟାରଲାଇନ୍ସ ପାଇଁ ଖେଳୁଥିବା ବେଳେ ଯୋଗୀନ୍ଦର ଶର୍ମା ଓଏନଜିସି ପାଇଁ ଖେଳୁଥିଲେ। ଆମେ ସବୁ ଏହି କମ୍ପାନି ପାଇଁ ଦିଲ୍ଲୀ ଓ ଅନ୍ୟତ୍ର ଖେଳିଛୁ। ଯୋଗୀ ଭାଇଙ୍କ ମ୍ୟାଚ୍ ବିଜୟୀ ଆଭିମୁଖ୍ୟକୁ ଧୋନି ଭାଇ ଭଲ ଭାବେ ଜାଣିଥିଲେ। ପୂର୍ବରୁ ସେ ଏଭଳି ଅନେକ ଥର କରିଥିବା ଧୋନି ଭାଇଙ୍କୁ ଜଣାଥିଲା। ତାଙ୍କ ଉପରେ ମଧ୍ୟ ଅନେକ ବିଶ୍ବାସ ଥିଲା’ ବୋଲି ଧୋନିଙ୍କୁ ପ୍ରଶଂସା କରିବା ଅବସରରେ ଶ୍ରୀଶାନ୍ତ କହିଥିଲେ। ଧୋନି ଶ୍ରେଷ୍ଠ ଅଧିନାୟକ, ଯିଏ ବ୍ୟକ୍ତିବିଶେଷ ଓ ଖେଳାଳିଙ୍କ ଉପରେ ଭରସା ରଖନ୍ତି। ଏପରିକି ଖେଳାଳି ନିଜ ଉପରେ ବିଶ୍ବାସ ରଖୁନଥିବା ବେଳେ ଧୋନି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥା’ନ୍ତି। ମହାନ ଅଧିନାୟକ ପାଖକୁ ଆସି ଏଭଳି ବିଶ୍ବାସ ଭରି ଦିଅନ୍ତି ବୋଲି ପ୍ରକାଶ କରିଥିଲେ ଭାରତୀୟ ଦଳର ଏହି ପୂର୍ବତନ ଦ୍ରୁତ ବୋଲର୍।
Follow Us