ପାଲେକେଲ୍‌: ଶ୍ରୀଲଙ୍କାକୁ ୫୧ରନ୍‌ରେ ପରାସ୍ତ କରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର-୮ରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ। ନିଜ ମାଟିରେ ଖେଳୁଥିଲେ ବି ଇଂଲଣ୍ଡର ବୋଲିଂ ଆକ୍ରମଣ ଆଗରେ ଶ୍ରୀଲଙ୍କା ବ୍ୟାଟର୍‌ମାନେ ହାର ମାନିଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ୍‌ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା। ସ୍ପିନ୍‌ ଅନୁକୂଳ ପାଲେକେଲ୍‌ ପିଚ୍‌ରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଚାଲିଥିଲେ ବି ଫିଲିପ୍‌ ସଲ୍ଟଙ୍କ ଲଢୁଆ ଅର୍ଦ୍ଧଶତକ ( ୪୦ ବଲ୍‌ରୁ ୬୨ରନ୍‌, ୨ ଛକା, ୬ ଚୌକା) ତଥା ୱିଲ୍‌ ଜାକ୍ସ (୨୧) ଓ ହ୍ୟାରୀ ବ୍ରୁକ୍‌ (୧୪)ଙ୍କ ଛୋଟ ମାତ୍ର ଉପଯୋଗୀ ପାଳି ବଳରେ ଦଳ ଏକ ସମ୍ମାନଜନକ ସ୍କୋର୍‌ ଛିଡ଼ା କରିପାରିଥିଲା। 

Advertisment

Indian women's cricket: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଐତିହାସିକ ଶୃଙ୍ଖଳା ବିଜୟ:୨-୧ରେ ଅଷ୍ଟ୍ରେଲିଆକୁ ହରାଇଲା

ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍‌ ୟେଲାଲାଙ୍ଗେ ୨୬ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବାବେଳେ ଦିଲସାନ୍‌ ମଧୁଶଙ୍କା ଓ ମହିଶ୍‌ ତିକ୍‌ସନା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୪୭ ରନ୍‌ ଲକ୍ଷ୍ୟର ପଶ୍ଚାତ୍‌ଧାବନ କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଠିପାରିନଥିଲା। ଦଳ ୧୫ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିବାବେଳେ ୩୪ ରନ୍‌ ବେଳକୁ ଦଳର ୫ ଜଣ ବ୍ୟାଟର୍‌ ପାଭିଲିୟନ ଫେରିସାରିଥିଲେ। ତେବେ ମଧ୍ୟକ୍ରମରେ ଦାସୁନ ସନକା (୨୪ ବଲ୍‌ରୁ ୩୦ ରନ୍‌) ଓ କାମିଣ୍ଡୁ ମେଣ୍ଡିସ୍‌ (୧୧ ବଲ୍‌ରୁ ୧୩ ରନ୍‌) କିଛି ସମୟ ଇଂଲଣ୍ଡ୍‌ ବୋଲିଂ ଆକ୍ରମଣ ଆଗରେ ତିଷ୍ଠି ରହିଥିଲେ। ତେବେ ଦଳ ୧୬.୪ ଓଭରରେ ୯୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡ୍‌ ପକ୍ଷରୁ ୱିଲ୍‌ ଜାକ୍ସ ୨୨ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବାବେଳେ ଆଦିଲ ରସିଦ୍‌,ଲିଆମ୍‌ ଡାଉସନ୍‌ ଓ ଜୋଫ୍ରା ଆର୍ଚର୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ସଫଳତା ପାଇଁ ୱିଲ୍‌ ଜାକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍‌ଙ୍କର ରବିବାର ଥିଲା ୨୭ତମ ଜନ୍ମଦିବସ। ଇଂଲଣ୍ଡ ଏହି ବଡ଼ ବିଜୟରେ ତାଙ୍କୁ ନିଆରା ଉପହାର ଦେଇଥିଲା।

T20 World Cup: ଲଢ଼ିଲା ଇଟାଲି, ସୁପର-୮ରେ ଇଂଲଣ୍ଡ