Indian Badminton player Srikanth Kidambi poses with his medal prior a press conference at the Pullela Gopichand Academy in Hyderabad, India, Tuesday, Oct. 31, 2017. Srikanth won the Denmark Open Premier super series and French Open super series men's singles titles. (AP Photo /Mahesh Kumar A.)
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ୍ର ନୂଆ ମହାନାୟକ କିଦାମ୍ବି ଶ୍ରୀକାନ୍ତଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ ପାଇଁ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ୍ ସୁପାରିସ କରିଛନ୍ତି। ଚଳିତ ୨୦୧୭ରେ ଦମ୍ଦାର ପ୍ରଦର୍ଶନ ଜରିଆରେ ଶ୍ରୀକାନ୍ତ ୪ ସୁପର ସିରିଜ୍ ଟ୍ରଫି କରାୟତ କରି ବିଶ୍ୱର ହାତଗଣତି ଚତୁର୍ଥ ତଥା ପ୍ରଥମ ଭାରତୀୟ ଭାବେ ବିବେଚିତ ହୋଇଛନ୍ତି। ଡେନ୍ମାର୍କ, ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆ ଓପନ୍ ପରେ ଗତ ସପ୍ତାହରେ ଫ୍ରେଞ୍ଚ୍ ଓପନ୍ ଜିତି ଗୋଟିଏ କ୍ରୀଡ଼ା ଋତୁରେ ୪ ସୁପର ସିରିଜ୍ ଟ୍ରଫି ହାସଲ କରିବାର ଗୌରବ ବହନ କରିଛନ୍ତି ଶ୍ରୀକାନ୍ତା। ପ୍ରଥମ ଥର ଲାଗି ଫ୍ରେଞ୍ଚ୍ ଓପନ୍ ଜିତିଥିବା ଶ୍ରୀକାନ୍ତ ମୋଟ ଉପରେ ଷଷ୍ଠ ସୁପର ସିରିଜ୍ ବିଜେତା ହୋଇଛନ୍ତି। ଏଭଳି ଜଣେ ଖେଳାଳିଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତଥା ଏବର ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୋଏଲ୍ ବୁଧବାର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖିଛନ୍ତି। ଯଦିଓ ପଦ୍ମ ପୁରସ୍କାର ପାଇଁ ଆବେଦନ ଧାର୍ଯ୍ୟ ତାରିଖ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରରୁ ଶେଷ ହୋଇଯାଇଛି, ତଥାପି ଶ୍ରୀକାନ୍ତଙ୍କ ଅବଦାନକୁ ବିଚାରକୁ ନେଇ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ନାମ ସୁପାରିସ ପାଇଁ ଗୋଏଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି। ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଭାବେ କ୍ଷମତାର ଉପଯୋଗ କରି ଚଳିତ ବର୍ଷର ପଦ୍ମଶ୍ରୀ ପୁରସ୍କାର ପାଇଁ ଶ୍ରୀକାନ୍ତଙ୍କ ନାମ ସୁପାରିସ କରିବାକୁ ଅଧିକାଂଶ ଭାରତୀୟ ମୋତେ ଅନୁରୋଧ କରିଥିଲେ। ତେଣୁ ଭାରତୀୟଙ୍କ ଆଶାକୁ ସମ୍ମାନ ଜଣାଇ ମୁଁ ଶ୍ରୀକାନ୍ତଙ୍କ ନାମ ସୁପାରିସ କଲି ବୋଲି ନିଜ ଚିଠିରେ ଗୋଏଲ୍ ଉଲ୍ଲେଖ କରିଛନ୍ତି। ଏକମାତ୍ର କ୍ରୀଡ଼ାବିତ୍ ଭାବେ ପଦ୍ମ ପୁରସ୍କାର ପାଇଁ ଶ୍ରୀକାନ୍ତଙ୍କ ନାମ ସୁପାରିସ କରାଯାଇନାହିଁ, ଏହା ପୂର୍ବରୁ ବ୍ୟାଡ୍ମିଣ୍ଟନ ଲଳନା ପିଭି ସିନ୍ଧୁ ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ପଦ୍ମ ଭୂଷଣ ପାଇଁ ମଧ୍ୟ ସୁପାରିସ କରାଯାଇଛି। ସେହିପରି ପୂର୍ବତନ ଟେନିସ୍ ଜାତୀୟ ବିଜେତା ନୀତିନ କୀର୍ତନେ ମଧ୍ୟ ତାଙ୍କ ଆବେଦନପତ୍ର ପଠାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ହିଁ ଘୋଷଣା କରାଯାଇଥାଏ।
Follow Us