ବୋଲ୍‌ଟଙ୍କଠାରୁ ବେଗବାନ ଶ୍ରୀନିବାସ

ବୋଲ୍‌ଟଙ୍କଠାରୁ ବେଗବାନ ଶ୍ରୀନିବାସ

ବେଙ୍ଗାଲୁରୁ: ଏହି କୀର୍ତ୍ତିମାନକୁ ସିଧାସଳଖ ତୁଳନା କରାଯାଇ ପାରିବନାହିଁ, କିନ୍ତୁ ଏକ ମଜାଦାର ତଥ୍ୟ। ବିଶ୍ବ କୀର୍ତ୍ତିମାନଧାରି ଧାବକ ଜାମାଇକା ତାରକା ଉସେନ୍ ବୋଲଟଙ୍କଠାରୁ ବି ଜଣେ କର୍ଣ୍ଣାଟକ ଯୁବକ ଅଧିକ ବେଗରେ ଦୌଡ଼ିଛନ୍ତି। ବୋଲଟଙ୍କ ନାମରେ ୧୦୦ ମିଟର୍‌ ଦୌଡ଼ର ବିଶ୍ବ କୀର୍ତ୍ତିମାନ (୯.୫୮ ସେକେଣ୍ଡ୍‌) ରହିଛି। ଦକ୍ଷିଣ କନ୍ନଡ ଜିଲ୍ଲା ମୁଦାବିଦ୍ରୀର ୨୮ ବର୍ଷୀୟ ଗାଉଁଲି ଯୁବକ ଶ୍ରୀନିବାସ ଗୌଡ଼ ୯.୫୫ ସେକେଣ୍ଡ୍‌ ସମୟରେ ଏହାକୁ ଅତିକ୍ରମ କରିଛନ୍ତି। କିନ୍ତୁ ଶ୍ରୀନିବାସ କୌଣସି ଦୌଡ଼ ପ୍ରତ‌ିଯୋଗିତାରେ ଭାଗ ନେଇନଥିବାରୁ ଏହାକୁ ସିଧାସଳଖ ବିଶ୍ବ କୀର୍ତ୍ତିମାନ କୁହାଯାଇପାରିବ ନାହିଁ। କର୍ଣ୍ଣାଟକର ଉପକୂଳ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ମଇଁଶୀ ଦୌଡ଼ ଅବସରରେ ଶ୍ରୀନିବାସ ଏଭଳି କୃତିତ୍ବର ଅଧିକାରୀ ହୋଇଛନ୍ତି। ହଳେ ମଇଁଶୀ ସହିତ ସେ ୧୪୨.୫୦ ମିଟରକୁ ୧୩.୬୨ ସେକେଣ୍ଡ୍‌ରେ ଦୌଡ଼ିଥିଲେ। ଯାହାକି ସାଧାରଣ ହିସାବ ଅନୁସାରେ ୧୦୦ ମିଟରକୁ ୯.୫୫‌ ସେକେଣ୍ଡ୍‌ ହେଉଛି। ଅର୍ଥାତ୍‌ ବୋଲଟଙ୍କ କୀର୍ତ୍ତିମାନକୁ ସେ .୦୩ ସେକେଣ୍ଡ୍‌ରେ ପଛରେ ପକାଇଛନ୍ତି।

publive-image

କିନ୍ତୁ ନିଜ ଅଞ୍ଚଳର ପାରମ୍ପରିକ ମଇଁଶୀ ଦୌଡ଼ରେ ଶ୍ରୀନିବାସ ୩୦ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ମୋ ସଫଳତାର ଶ୍ରେୟ ଦୁଇ ମଇଁଶୀଙ୍କୁ ଯିବ ବୋଲି କହିଛନ୍ତି ଶ୍ରୀନିବାସ। ଏହି କୀର୍ତ୍ତିମାନ ପରେ ଶ୍ରୀନିବାସଙ୍କୁ ଅଲିମ୍ପିକ୍‌ ପାଇଁ ତାଲିମ ଦିଆଯିବା ଉଚିତ ବୋଲି ମଧ୍ୟ କେତେକ ମତ ଦେଇଛନ୍ତି। କର୍ଣ୍ଣାଟକର ଉଡୁପି ଅଞ୍ଚଳରେ ଏହା କାମ୍ବାଲା ଜକି ପ୍ରତିଯୋଗିତା ନାମରେ ବେଶ୍‌ ଲୋକପ୍ରିୟ। ବହୁ ଯୁବକ ଏହି ପ୍ରତିଯୋଗିତାରେ ନିଜ ନିଜର ତାଲିମପ୍ରାପ୍ତ ମଇଁଶୀ ସହିତ ଦୌଡ଼ିଥାନ୍ତି। ମାଙ୍ଗାଲୋରର କର୍ଦମାକ୍ତ ଚାଷଜମିରେ ଏହି ପାରମ୍ପରିକ ଦୌଡ଼ ପ୍ରତିଯୋଗିତା ‌ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ସୂଚନାଯୋଗ୍ୟ, କିଛି ବନ୍ୟପ୍ରାଣୀ କର୍ମୀଙ୍କ ବିରୋଧ ପରେ କାମ୍ବାଲା ପ୍ରତିଯୋଗିତା ଉପରେ ନିଲମ୍ବନ ଲାଗୁ ହୋଇଥିଲା। କିନ୍ତୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିଧାନସଭାର ଏକ ସ୍ବତନ୍ତ୍ର ଅନୁମୋଦନ ପରେ ଏହି ନିଲମ୍ବନକୁ ପ୍ରତ୍ୟାହାର କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe