ଆଜିଠୁ ଆଇପିଏଲ୍‌ ପୁନଃଆରମ୍ଭ: ଚେନ୍ନାଇ ସୁପର୍‌ କିଙ୍ଗ୍ସ ସାମ୍ନାରେ ମୁମ୍ବାଇ ଇଣ୍ଡିଆନ୍ସ

Advertisment
ଆଜିଠୁ ଆଇପିଏଲ୍‌ ପୁନଃଆରମ୍ଭ: ଚେନ୍ନାଇ ସୁପର୍‌ କିଙ୍ଗ୍ସ ସାମ୍ନାରେ ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: କୋଭିଡ୍‌ ସଂକ୍ରମଣ ପାଇଁ ଅଧାରୁ ଅଟକିଯାଇଥିବା ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ଚରଣ ରବିବାର ରାତିରୁ ପୁନଃଆରମ୍ଭ ହେବ। ଦୁବାଇରେ ରାତି ୭.୩୦ ମିନିଟ୍‌ରେ ଆଇପିଏଲ୍‌ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲାରୁ ଏହି ଲୋକପ୍ରିୟ ତଥା ଲୋଭନୀୟ ଲିଗ୍‌ ପ୍ରତ୍ୟାବର୍ତନ କରିବ। ଦୀର୍ଘ ୪ ମାସ ପରେ ଲିଗ୍‌ ଆରମ୍ଭ ହେଉଥିବାରୁ ପ୍ରଥମରୁ ଲୟରେ ରହିବାକୁ ଉଭୟ ଦଳ ଆଶା ରଖିଛନ୍ତି। ମ୍ୟାଚ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଅଲରାଉଣ୍ଡର୍‌ ସାମ୍ କରନ୍‌ ଏବଂ ଓପନର୍‌ ଫାପ୍ ଡୁ’ ପ୍ଲେସିସ୍‌ଙ୍କ ଉପଲବ୍‌ଧକୁ ନେଇ ଚିନ୍ତାରେ ପଡ଼ିଛି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ। ବିଳମ୍ବରେ ଆସି ଦୁବାଇ ପହଞ୍ଚିଥିବାରୁ ସାମ୍ କରନ୍‌ ୬ ଦିନିଆ ସଙ୍ଗରୋଧରେ ରହିଛନ୍ତି। ସେ ବୁଧବାର ଆସି ପହଞ୍ଚିଥିଲେ। ସେପ୍ଟେମ୍ବର ୨୧ ପୂର୍ବରୁ ସେ ମ୍ୟାଚ୍‌ ଖେଳିପାରିବେ ନାହିଁ। ତାଙ୍କ ସର୍ଟ ପିଚ୍‌ ବଲ୍‌ ରୋହିତ ଶର୍ମାଙ୍କୁ ଅଡୁଆରେ ପକାଇପାରିଥା’ନ୍ତା। ପ୍ରଥମ ଚରଣରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୫ ବଲ୍‌ରୁ ୩୪ ରନ୍‌ର ଚମତ୍କାର ପାଳି ସହ ମୋଟ ୯ ୱିକେଟ୍ ନେଇଥିଲେ।
ସେହିଭଳି ଆହତ ସମସ୍ୟାରେ ଥିବାରୁ ଡୁ’ ପ୍ଲେସିସ୍‌ଙ୍କୁ ନେଇ ଅନିଶ୍ଚିତତାରେ ରହିଛି ସିଏସ୍‌କେ। ସିପିଏଲ୍‌ ଅବସରରେ ଆହତ ସମସ୍ୟା ଧରିଥିବା ଫାପ ଡୁ’ ପ୍ଲେସିସ୍‌ ସେଠାରେ ଶେଷ ୩ ମ୍ୟାଚ୍‌ ଖେଳିପାରିନଥିଲେ।

‌ଏବେ ସେ ବିଶ୍ରାମରେ ଥିବାରୁ କେବଳ ରବିବାର ମ୍ୟାଚ୍‌ ନୁହେଁ ଅଧିକ କିଛି ମ୍ୟାଚ୍‌ରୁ ବଞ୍ଚିତ ହେବେ ବୋଲି ସନ୍ଦେହ ରହିଛି। ଋତୁରାଜ ଗାଏକ୍ବାଡଙ୍କ ସହ ମିଶି ଚେନ୍ନାଇକୁ ଭଲ ଆରମ୍ଭ ଦେଉଥିବାରୁ ଧୋନିଙ୍କ ପାଇଁ ଏହା ଚିନ୍ତାର କାରଣ ହେବ। ପ୍ରଥମ ଚରଣରେ ସେ ଲଗାତାର ୪ ଅର୍ଦ୍ଧଶତକ ସହିତ ୭ ମ୍ୟାଚ୍‌ରୁ ୩୨୦ ରନ୍‌ କରିଥିଲେ। ମସ୍ତିସ୍କାଘାତ କାରଣରୁ ସଂଘର୍ଷ କରିଥ‌ିଲେ ମଧ୍ୟ ସଦ୍ୟ ସମାପ୍ତ ସିପିଏଲ୍‌ରେ ସେ ଗୋଟିଏ ଶତକ ସହ ୨୭୦ ରନ୍ କରିଥିଲେ। ଏବେ ସାମ କରନ୍‌ଙ୍କ ବଦଳରେ ଜୋସ୍ ହାଜେଲଉଡ୍‌ ଏବଂ ଫାପ ଡୁ’ ପ୍ଲେସିସଙ୍କ ସ୍ଥାନରେ ରବିନ୍‌ ଉଥପ୍ପା ଚେନ୍ନାଇ ଦାୟିତ୍ବ ସମ୍ଭାଳିବେ। କୋଲ୍‌କାତା ନାଇଟ୍ ରାଇଡର୍ସର ଏହି ପୂର୍ବତନ ୱିକେଟ୍‌ରକ୍ଷକ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ପଦାର୍ପଣ କରିବା ଏକ ପ୍ରକାର ନିଶ୍ଚିତ।

ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସମ୍ଭାବ୍ୟ ୧୧): ଋତୁରାଜ ଗାଏକ୍ବାଡ, ରବିନ୍‌ ଉଥପ୍ପା, ମୋଇନ୍ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ ଓ ୱିକେଟରକ୍ଷକ), ଶାର୍ଦୁଳ ଠାକୁର, ଦୀପକ ଚହର, ଲୁଙ୍ଗି ଏନ୍‌ଗିଡି, ଜୋସ୍‌ ହାଜେଲଉଡ୍।

ଅନ୍ୟପକ୍ଷରେ ୫ ଥର ବିଜେତା ରୋହିତ ଶର୍ମାଙ୍କ ଚୂଡାନ୍ତ ଏକାଦଶ ଏକ ପ୍ରକାର ପ୍ରତିଷ୍ଠିତ ଥିଲେ ମଧ୍ୟ ହାର୍ଦିକ ପାଣ୍ଡ୍ୟା ବୋଲିଂରୁ ବିରତ ରହିବା ତାଙ୍କ ପାଇଁ ଏକମାତ୍ର ଚିନ୍ତାର କାରଣ। ଏଥିପାଇଁ ସେ ଜଣେ ଅତିରିକ୍ତ ସିମ୍‌ ବୋଲର ଖେଳାଇବେ ନା ଅତିରିକ୍ତ ସ୍ପିନର୍ ରାହୁଲ ଚହରଙ୍କୁ ନେବେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଏକମାତ୍ର ଦଳ ଯାହା ନିକଟରେ ୬ ଜଣ ସିମ୍ ବୋଲର ରହିଛନ୍ତି। ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ୍ ବୁମରା, ଧବଲ କୁଲକର୍ଣ୍ଣି, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା ନିୟମିତ ଥିବାବେଳେ ଜେମ୍ସ ନିସାମ, ନାଥନ୍ କୁଲଟର୍‌ ନାଇଲ୍, ଆଦାମ ମିଲନେ ଏବଂ ମାର୍କୋ ଜାନସେନ୍‌ଙ୍କୁ ଦଳ ରୋଟେଟ୍‌ କରି ଖେଳାଇପାରିବ। ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ପିଚ୍‌ ନୂଆ କରି ପ୍ରସ୍ତୁତ ହୋଇଥିବାରୁ ଏହା ଅଧିକ ଭାବେ ପେସ୍‌ ବୋଲରଙ୍କୁ ସୁହାଇବ ବୋଲି ବିଶ୍ବାସ କରାଯାଉଛି। ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ମୁମ୍ବାଇ ଜେମ୍ସ ନିସାମଙ୍କୁ ଖେଳାଇବା ବିଚାର କରୁଛି। ପର୍ଯ୍ୟାପ୍ତ ସିମ୍ ବୋଲିଂ ବିକଳ୍ପ ଥିବାରୁ ଦଳ ସ୍ପିନ୍‌ ବିଭାଗରେ କୃନାଲ ପାଣ୍ଡ୍ୟା, ରାହୁଲ ଚହର, ଜୟନ୍ତ ଯାଦବଙ୍କ ସହ ପୀୟୂଷ ଚାୱଲାଙ୍କ ମଧ୍ୟରୁ କାହାକୁ ଖେଳାଇବା ଚିନ୍ତାରେ ରହିଛି। ବ୍ୟାଟିଂରେ କିନ୍ତୁ କ୍ବିଣ୍ଟନ୍ ଡି’କକ୍ ଏବଂ ରୋହିତ ଶର୍ମା ସେଟ୍‌ ଓପନର୍‌ ରହିଛନ୍ତି। ମଧ୍ୟକ୍ରମ ସଂଘର୍ଷ କରୁଥିବାରୁ ୨୦୨୦ରେ ଭଲ କରିଥିବା ଈଶାନ କିଶନ ପୁଣି ଦଳକୁ ଫେରିପାରନ୍ତି। ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡଙ୍କଠାରୁ ଦଳ ଭଲ ଆଶା ରଖିଛି।

ମୁମ୍ବାଇ ଇଣ୍ଡିଆନ୍ସ (ସମ୍ଭାବ୍ୟ ୧୧): କ୍ବିଣ୍ଟନ୍ ଡି’କକ୍‌ (ୱିକେଟରକ୍ଷକ), ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରାହୁଲ ଚହର, ଜୟନ୍ତ ଯାଦବ, ଯଶପ୍ରୀତ୍ ବୁମରା, ଟ୍ରେଣ୍ଟ୍ ବୋଲ୍ଟ।

ପ୍ରଥମ ମୁକାବିଲାର ରୋମାଞ୍ଚ: ଚଳିତ ଋତୁରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ରୋମାଞ୍ଚକ ବିଜୟ ଅର୍ଜନ କରିଥିଲା। ଚେନ୍ନାଇ ୨୧୮ ରନ୍‌ କରିଥିଲେ ମଧ୍ୟ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ (୩୪ ବଲରୁ ୮୭*) ବଳରେ ମୁମ୍ବାଇ ଶେଷ ବଲରେ ବିଜୟୀ ହୋଇଥିଲା। ଲୁଙ୍ଗି ଏନ୍‌ଗିଡିଙ୍କ ଶେଷ ଓଭରରୁ ପୋଲାର୍ଡ ଆବଶ୍ୟକ ୧୬ ରନ୍‌ (୦, ୪, ୪, ୦,୬,୨) ଆଦାୟ କରି ଦଳକୁ ଜିତାଇଥିଲେ। ଏବେ ଚେନ୍ନାଇ ଏହାର ପ୍ରତି‌ଶୋଧ ନେବା ଲକ୍ଷ୍ୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe