ଭୁବନେଶ୍ୱର: ଓଡ଼ିଶା କ୍ୟୁ ତାରକା ସୁବ୍ରତ ଦାସ ରାଞ୍ଚିରେ ଆୟୋଜିତ ଷ୍ଟିଭ୍ ଡେଭିସ୍ କପ୍ରେ ବିଲିଆର୍ଡସ ବିଜେତା ହୋଇଛନ୍ତି। ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଏକକ ପ୍ରି-କ୍ୱାର୍ଟର ଫାଇନାଲ୍ରେ ବାଇ ପାଇଥିବା ସୁବ୍ରତ କ୍ୱାର୍ଟର ଫାଇନାଲ୍ରେ ସିଦ୍ଧାର୍ଥ ରାଜ୍ଙ୍କୁ ୩୧୦-୯୫ରେ ପରାସ୍ତ କରି ସେମି ଫାଇନାଲ୍ ପ୍ରବେଶ କରିଥିଲେ। ପରେ ସେମିଫାଇନାଲ୍ରେ ସେ ଝାଡ଼ଖଣ୍ଡର ଶୀର୍ଷ ମାନ୍ୟତା ଅନ୍ସେଠ୍ ପେରେରାଙ୍କୁ ୩୦୦-୧୮୯ ଏବଂ ଫାଇନାଲ୍ରେ ୟାସ୍ କିଙ୍ଗରଙ୍କୁ ୪୦୦-୨୦୧ରେ ମାତ୍ ଦେଇ ସୁବ୍ରତ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ଏଥି ସହିତ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ସୁବ୍ରତ ରାଜ୍ୟ ବାହାରେ ଏକ ଓପନ୍ ବିଲିଆର୍ଡସ ପ୍ରତିଯୋଗିତାର ଟ୍ରଫି ବିଜେତା ହେବାର ଗୌରବ ବହନ କରିଛନ୍ତି। ବିଲିଆର୍ଡସ୍ ଫାଇନାଲ୍ ୯୦ ମିନିଟ୍ ଏବଂ କ୍ୱାର୍ଟର ଓ ସେମିଫାଇନାଲ୍ ୬୦ ମିନିଟ୍ ଟାଇମ୍ ଫର୍ମାଟ୍ରେ ଖେଳାଯାଇଥିଲା। ଅନ୍ୟପକ୍ଷରେ ଯୁଗଳ ସ୍ନକର ବର୍ଗରେ ସୁବ୍ରତ ଓ ତାଙ୍କ ସାଥୀ ସୌଭାଗ୍ୟ ବେହେରା ଦୁର୍ଭାଗ୍ୟବଶତଃ ସେମିଫାଇନାଲ୍ ହାରି ଯାଇଥିଲେ। ଝାଡ଼ଖଣ୍ଡ ଯୋଡ଼ିଠାରୁ ଏହି ଓଡ଼ିଶା ଯୋଡ଼ି ୧-୨ରେ ହାର୍ ମାନିଥିଲେ। ଏବେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ୬-ରେଡ୍ ଓ ୧୦-ରେଡ୍ ସ୍ନକର ବ୍ୟକ୍ତିଗତ ବର୍ଗରେ ଉଭୟ ଓଡ଼ିଆ ଖେଳାଳି ଅଂଶ ଗ୍ରହଣ କରିବେ।
ଷ୍ଟିଭ୍ ଡେଭିସ୍ କପ୍: ସୁବ୍ରତ ବିଲିଆଡ୍ର୍ସ ବିଜେତା
Advertisment
Follow Us