ବିଶ୍ବକପ୍ ସୁପର୍‌ଓଭର୍‌ ପୂର୍ବରୁ ଧୂମପାନ ବିରତି ନେଇଥିଲେ ଷ୍ଟୋକ୍ସ

Advertisment
ବିଶ୍ବକପ୍ ସୁପର୍‌ଓଭର୍‌ ପୂର୍ବରୁ ଧୂମପାନ ବିରତି ନେଇଥିଲେ ଷ୍ଟୋକ୍ସ

Hindustan Times

ଲଣ୍ଡନ: ଇଂଲଣ୍ଡରେ ଗତବର୍ଷ ଆଜିର ତାରିଖ (ଜୁଲାଇ ୧୪)ରେ ଆୟୋଜିତ ହୋଇଥିଲା ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍ ମ୍ୟାଚ୍‌। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଏହି ମୁକାବିଲା ବେଶ୍ ଉତ୍କଣ୍ଠାପୂର୍ଣ୍ଣ ତଥା ଉତ୍ଥାନପତନ ଭରା ରହିଥିଲା। ମ୍ୟାଚ୍ ଦୁଇ ଥର ଟାଇ ରହିବା ପରେ ବାଉଣ୍ଡରି ଗଣନାରେ ବିଜେତା ବଛା ଯାଇଥିଲା। ଇଂଲଣ୍ଡ ହିଁ ବିଶ୍ବ ବିଜେତା ହୋଇଥିଲା। କୌଣସି ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଥିଲା ଏବଂ ଇଂଲଣ୍ଡ ମଧ୍ୟ ପ୍ରଥମ ଥର ଲାଗି ବିଶ୍ବକପ୍‌ ଜିତିବାର ସ୍ବପ୍ନ ସାର୍ଥକୁ କରିଥିଲା। ସୁପରଓଭର ପୂର୍ବରୁ କେବଳ କ୍ରିକେଟ୍ ପ୍ରଶଂସକ ନୁହେଁ ଉଭୟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଖେଳାଳିଙ୍କ ହୃତସ୍ପନ୍ଦନ ମଧ୍ୟ ବଢ଼ିଯାଇଥିଲା। ଏହି ଭୟ, ସଂଶୟ ଓ ଚାପରୁ ମୁକ୍ତ ହେବା ଲାଗି ଇଂଲଣ୍ଡ ବିଶ୍ବକପ୍ ବିଜୟୀ ଦଳର ପ୍ରମୁଖ ସଦସ୍ୟ ବେନ୍ ଷ୍ଟୋକ୍ସ ଧୂମପାନ ବିରତି ନେଇଥିଲେ। ଏହି ମହାମୁକାବିଲାରେ ବର୍ଷପୂର୍ତ୍ତି ଅବସରରେ ‘‘ମୋର୍ଗାନ୍ସ ମ୍ୟାଚ୍: ଦ ଇନସାଇଡ୍ ଷ୍ଟୋରି ଅଫ୍ ଇଂଲଣ୍ଡ୍ସ ରାଇଜ୍ ଫ୍ରମ୍‌ ହ୍ୟୁମିଲେସନ୍ ଟୁ ଗ୍ଲୋରି’’ ନାମକ ଏକ ପୁସ୍ତକ ପ୍ରକାଶ ପାଇଛି। ଏହି ପୁସ୍ତକରେ ଇଂଲଣ୍ଡର ସଫଳତମ ବିଶ୍ବକପ୍ ଅଭିଯାନରେ ଅନେକ ଗୁମର ସ୍ଥାନ ପାଇଛି।

ଏଥିରେ ଷ୍ଟୋକ୍ସ କିଭଳି ସୁପରଓଭର ପୂର୍ବରୁ ଧୂମପାନ ବିରତି ପାଇଁ ସାଥୀଙ୍କ ପାଖରୁ ଖସି ଚାଲି ଯାଇଥିଲେ, ତାକୁ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ‘‘ ବେନ୍ ଷ୍ଟୋକ୍ସ ଲର୍ଡସ ପଡ଼ିଆରେ ଅନେକ ମ୍ୟାଚ୍ ଖେଳିଥିଲେ। ସେ ଏହି ଷ୍ଟାଡିୟମର କୋଣ ଅନୁକୋଣ ଜାଣିଥିଲେ। ହେଲେ ମୋର୍ଗାନ ଡ୍ରେସିଂ ରୁମ୍‌ର ବାତାବରଣକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲା ବେଳେ ଷ୍ଟୋକ୍ସ କିଛି ସମୟ ପାଇଁ ବାହାରକୁ ଖସି ଚାଲି ଯାଇଥିଲେ। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ତଥା ଉତ୍ତେଜନା ପ୍ରବଣ ବାତାବରଣରେ ସେ ଦୀର୍ଘ ଦୁଇ ଘଣ୍ଟା ୨୭ ମିନିଟ୍ ଧରି ବ୍ୟାଟିଂ କରିଥିଲେ। ତାଙ୍କ ଦେହ ଧୂଳି ମଳିରେ ଭରି ରହିଥିଲା। ହେଲେ ନିଜ ଉପରୁ ଚାପ ହାଲୁକା କରିବା ପାଇଁ ଷ୍ଟୋକ୍ସ ଡ୍ରେସିଂ ରୁମ୍‌ ପଛକୁ ଯାଇ ସିଗାରେଟ୍ ଟାଣିବା ସହ ଏକୁଟିଆ କିଛି ସମୟ କଟାଇଥିଲେ’’ ବୋଲି ପୁସ୍ତକରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ ଯେ ୨୯ ବର୍ଷୀୟ ଷ୍ଟୋକ୍ସ ନାଟକୀୟ ଫାଇନାଲରେ ୮୪* ରନ୍‌ର ଅପରାଜିତ ପାଳି ଖେଳିବା ସହ ସୁପରଓଭରରେ ୮ ରନ୍ କରିଥିଲେ। ତାଙ୍କ ସାହସିକ ବ୍ୟାଟିଂ ପାଇଁ ଇଂଲଣ୍ଡ ପ୍ରଥମ ଥର ବିଶ୍ବକପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe