ନୋ’ ବଲ୍ ନାଟକରେ କଠୋର କାର୍ଯ୍ୟାନୁଷ୍ଠାନ: ଆମ୍ରେ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ, ପନ୍ତଙ୍କୁ ୧୦୦ ଓ ଶାର୍ଦୁଳଙ୍କୁ ୫୦% ଜରିମାନା

Advertisment
ନୋ’ ବଲ୍ ନାଟକରେ କଠୋର କାର୍ଯ୍ୟାନୁଷ୍ଠାନ: ଆମ୍ରେ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ, ପନ୍ତଙ୍କୁ ୧୦୦ ଓ ଶାର୍ଦୁଳଙ୍କୁ ୫୦% ଜରିମାନା

ମୁମ୍ବାଇ: ଶୁକ୍ରବାରର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ର ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପକ୍ଷରୁ ନିଆଯାଇଥିବା ନାଟକୀୟ ତଥା ବିବାଦୀୟ ପଦକ୍ଷେପ ବିରୋଧରେ ଆଇପିଏଲ୍ କର୍ତ୍ତୁପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନୋ’ ବଲ୍ ଦାବି କରି ପଡ଼ିଆ ମଝିରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ଦିଲ୍ଲୀର ସହକାରୀ ପ୍ରଶିକ୍ଷକ ପ୍ରବୀଣ ଆମ୍ରେ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହେବା ସହ ନିଜ ମ୍ୟାଚ୍ ପାଉଣାର ଶତପ୍ରତିଶତ ଜରିମାନା ଦେଇଛନ୍ତି। ସେହିଭଳି ଖେଳାଳିଙ୍କୁ ପଡ଼ିଆ ଛାଡ଼ି ଡଗଆଉଟ୍‌କୁ ଫେରି ଆସିବାର ସଙ୍କେତ ଦେବା ସହ ଅମ୍ପାୟାରଙ୍କ ନିଷ୍ପତ୍ତିରେ ତୀବ୍ର ଅସନ୍ତୋଷ ଜାହିର କରିଥିବା ଏହି ଦଳର ଯୁବ ଅଧିନାୟକ ଋଷଭ ପନ୍ତ ମ୍ୟାଚ୍ ପାଉଣାର ଶତପ୍ରତିଶତ ହରାଇଛନ୍ତି। ହେଲେ ବାସନ୍ଦ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନାବଶ୍ୟକ ଭାବେ ପନ୍ତଙ୍କୁ ଏହି କାର୍ଯ୍ୟରେ ସମର୍ଥନ କରିଥିବା ଦିଲ୍ଲୀ ଦ୍ରୁତ ବୋଲର ଶାର୍ଦୁଳ ଠାକୁରଙ୍କ ମ୍ୟାଚ୍ ପାଉଣାର ୫୦ ପ୍ରତିଶତ କଟିଛି। ତିନିଜଣ ଯାକ ଆ‌ଇପିଏଲ୍ ଆଚରଣ ସଂହିତାର ଅନୁଚ୍ଛେଦ ୨.୭ର ଦ୍ବିତୀୟ ସ୍ତରୀୟ ଅପରାଧ କରିଥିବା ସ୍ବୀକାର କରିନେଇଥିଲେ। ଫଳରେ ଅଧିକ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇ ଯାଇଥିଲେ।

ସୂଚନାଯୋଗ୍ୟ ଯେ ରାଜସ୍ଥାନ ବିପକ୍ଷରେ ଶେଷ ଓଭରରୁ ବିଜୟ ପାଇଁ ୩୬ ରନ୍‌ର ଦରକାର ଥିଲା ବେଳେ ଦିଲ୍ଲୀ ତଥା ୱେଷ୍ଟଇଣ୍ଡିଜ୍ ବ୍ୟାଟର୍ ରୋଭମନ ପାୱେଲ ପ୍ରଥମ ଦୁଇ ବଲ୍‌କୁ ଛକା‌ ମାରିଥିଲେ। ଓବେଦ ମ୍ୟାକୟଙ୍କ ଏହି ଓଭରର ଅଣ୍ଟା ଉଚ୍ଚରେ ଥିବା‌ ତୃତୀୟ ତଥା ଫୁଲ୍‌ଟସ୍ ବଲ୍‌କୁ ବି ସେ ଛକା ମାରି ସୀମା ରେଖା ପାର କରିଦେଇଥିଲେ। ହେଲେ ଏହାର ଠିକ୍ ପରେ ପରେ ଏହି ବଲ୍‌ଟି ନୋ’ ବଲ୍ ଥିଲା ବୋଲି ସେ ଓ ନନଷ୍ଟ୍ରାଇକର କୁଲଦୀପ ଯାଦବ ଦାବି କରିବା ସହ ତୃତୀୟ ଅମ୍ପାୟାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅମ୍ପାୟାର କିନ୍ତୁ ସେମାନଙ୍କର ଏହି ଦାବିକୁ ନାକଚ କରିଦେଇଥିଲେ। ସେଥିପାଇଁ ଦିଲ୍ଲୀ ଖେଳାଳି ଉତ୍‌କ୍ଷିପ୍ତ ହେବା ସହ ଅଧିନାୟକ ପନ୍ତ ମାମଲା ତୃତୀୟ ଅମ୍ପାୟାରଙ୍କ ପାଖକୁ ପଠାଇବାକୁ ଡଗଆଉଟ୍‌ରେ ରହି ଦାବି କରିଥିଲେ। ହେଲେ ଅମ୍ପାୟାର ନିଜ ନିଷ୍ପତ୍ତିରେ ଅଟଳ ରହିବା ସହ ରିଭ୍ୟୁ ସଙ୍କେତ ଦେଇନଥିଲେ। ଏଥିରେ ରାଗି ଯାଇ ରୋଭମନ ଓ କୁଲଦୀପଙ୍କୁ ପଡ଼ିଆ ଛାଡ଼ି ବାହାରକୁ ପଳାଇ ଆସିବାକୁ ସଙ୍କେତ ଦେଇଥିଲେ ପନ୍ତ୍‌। ସହକାରୀ ପ୍ରଶିକ୍ଷକ ପ୍ରବୀଣ ଆମ୍ରେ ମଧ୍ୟ ପଡ଼ିଆ ଭିତରକୁ ଯାଇ ଏଥିଲାଗି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ସେନ୍ ୱାଟସନ ବୁଝାଶୁଝା କରିବା ସତ୍ତ୍ବେ ଶାର୍ଦୁଳ ଠାକୁର ମଧ୍ୟ ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ଜାହିର କରିଥିଲେ। ଯାହା ଫଳରେ ସିଧାପ୍ରସାରଣ ବେଳେ ହିଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଭାଷ୍ୟକାରମାନେ ବି ଦିଲ୍ଲୀ ଖେଳାଳିଙ୍କ ଏଭଳି ଆଚରଣକୁ ତୀବ୍ର ସମାଲୋଚନା କରିଥିଲେ। ଏଥିନେଇ ପନ୍ତ ଓ ରାଜସ୍ଥାନ ୱିକେଟ୍ ରକ୍ଷକ ଜୋସ୍ ବଟଲର ମଧ୍ୟ ପରସ୍ପର ସହ ଢେର ସମୟ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ପରେ ପନ୍ତଙ୍କ ଏଭଳି ବ୍ୟବହାରକୁ ବହୁ କିଂବଦନ୍ତି କ୍ରିକେଟର୍‌ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe