ଦୃଢ଼ ସଙ୍କଳ୍ପ ଭାରତକୁ ୧ ନମ୍ବର କରିଛି: ରବି ଶାସ୍ତ୍ରୀ

Advertisment
ଦୃଢ଼ ସଙ୍କଳ୍ପ ଭାରତକୁ ୧ ନମ୍ବର କରିଛି: ରବି ଶାସ୍ତ୍ରୀ

ମୁମ୍ବାଇ : ଖେଳାଳିମାନଙ୍କ ଦୃଢ଼ମନା ଚରିତ୍ର, ସଙ୍କଳ୍ପବଦ୍ଧତା ଏବଂ ପ୍ରଚଣ୍ଡ ଧ୍ୟାନ କାରଣରୁ ଭାରତ ଟେଷ୍ଟ୍ କ୍ରିକେଟରେ ଏକ ନମ୍ବର ଦଳ ହୋଇପାରିଛି ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଗୁରୁବାର ଆଇସିସି ଟେଷ୍ଟ୍ ମାନ୍ୟତା ଘୋଷଣା ପରେ ଶାସ୍ତ୍ରୀ ନିଜ ଟ୍ବିଟର୍‌ ପୃଷ୍ଠାରେ ଏଭଳି ଲେଖିଥିଲେ। ‘‘ପ୍ରତିଟି ସମସ୍ୟାକୁ ଦୃଢ଼ତାର ସହ ସମଧାନ କରିବା ଏବଂ ଏକାଗ୍ରତାକୁ ସ୍ଥିରଚିତ୍ତରେ ରଖିବାରୁ ଖେଳାଳିଙ୍କୁ ଏହାର ଫଳ ମିଳିଛି। ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ମଝିରେ ନିୟମ ବଦଳିଗଲା, ଭାରତୀୟ ଖେଳାଳି କିନ୍ତୁ ପ୍ରତିଟି ପ୍ରତିବଂଧକକୁ କାଟି ଦେଇଥିଲେ। ମୋ ଖେଳାଳିମାନେ କଠୋର ସମୟରେ କଠୋର କ୍ରିକେଟ୍‌ ଖେଳିଛନ୍ତି। ଏହି ବିନ୍ଦାସ ବଞ୍ଚ୍ ପାଇଁ ମୁଁ ଅତ୍ୟନ୍ତ ଗର୍ବିତ’’ ବୋଲି ଶାସ୍ତ୍ରୀ ଟ୍ବିଟ୍‌ କରିଥିଲେ।

ଗୁରୁବାର ଆଇସିସିର ବାର୍ଷିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ଆନୁଷ୍ଠାନିକ ଭାବେ ଶ୍ରେଷ୍ଠ ଦୁଇ ଟେଷ୍ଟ୍ ମାନ୍ୟତା ଦଳ ଭାବେ ଘୋଷିତ ହୋଇଥିଲେ। ମାତ୍ର ଗୋଟିଏ ପଏଣ୍ଟ୍ ଦୁଇ ଦଳ ମଧ୍ୟରେ ଫରକ ପକାଇଥିଲା। ଭାରତ ମୋଟ ୧୨୧ ପଏଣ୍ଟ୍ ଓ ନ୍ୟୁଜିଲାଣ୍ଡ୍‌ ୧୨୦ ପଏଣ୍ଟ୍‌ ପାଇଥିଲା। ଶେଷ ଦୁଇ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ଏବଂ ଇଂଲଣ୍ଡ ବିପକ୍ଷରେ ୩-୧ ବିଜୟ ଭାରତକୁ ଶୀର୍ଷରେ ପହଞ୍ଚାଇ ଦେଇଥିଲା। ସେହିଭଳି ନ୍ୟୁଜିଲାଣ୍ଡ୍ ସମାନ ୨-୦ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନକୁ ପରାସ୍ତ କରିଥିଲା। ଏବେ ଜୁନ୍ ୧୮ ତାରିଖରୁ ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ସାଉଥାମ୍ପଟନ୍‌ରେ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବେ।

ସଦ୍ୟପ୍ରକାଶିତ ଆଇସିସି ମାନ୍ୟତାରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ପଛକୁ ପଛ ରହିଛନ୍ତି। ବାଂଲାଦେଶ ଓ ଜିମ୍ବାୱେ ଶେଷ ଦୁଇ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe