ଶୁଭମଙ୍କ ଚୁକ୍ତିକୁ ୩ ବର୍ଷ ବଢ଼ାଇଲା ଓଡ଼ିଶା ଏଫ୍‌ସି

Advertisment
ଶୁଭମଙ୍କ ଚୁକ୍ତିକୁ ୩ ବର୍ଷ ବଢ଼ାଇଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର : କରୋନା ଭୟ ଭିତରେ ଓଡ଼ିଶା ଫୁଟ୍‌ବଲ୍ ଜଗତକୁ ବୁଧବାର ମିଳିଛି ବଡ଼ ଖୁସି ଖବର। ରାଜ୍ୟର ପ୍ରତିଭାବାନ ତଥା ଉଦୀୟମାନ ଫୁଟ୍‌ବଲ୍ ତାରକା ଶୁଭମ୍ ଷଡ଼ଙ୍ଗୀଙ୍କ ଚୁକ୍ତିକୁ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍‌ଏଲ୍)ର ଲୋକପ୍ରିୟ ଦଳ ଓଡ଼ିଶା ଏଫ୍‌ସି ଆଉ ତିନି ବର୍ଷ ପାଇଁ ବଢ଼ାଇ ଦେଇଛି। ଫଳରେ ୧୯ ବର୍ଷୀୟ ରକ୍ଷଣଭାଗ ଖେଳାଳି ଶୁଭମ୍ ୨୦୨୩ ମସିହା ପର୍ଯ୍ୟନ୍ତ ଏହି ଦଳରେ ସାମିଲ ରହିବେ। ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସିର ଏହି ନିଷ୍ପତ୍ତିକୁ ଓଡ଼ିଶା ଫୁଟ୍‌ବଲ୍‌ ଦୁନିଆ ସ୍ବାଗତ କରିଥିଲା ବେଳେ ବ୍ୟକ୍ତିଗତ ଭାବେ ଶୁଭମ୍ ଦଳର ମାଲିକ ଏବଂ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ କ୍ଲବ୍‌ର ମାଲିକ ତଥା ସଭାପତି ରୋହନ ଶର୍ମା କହିଛନ୍ତି ଯେ ଶୁଭମ ମାତ୍ର ୧୭ ବର୍ଷ ବୟସରେ ଆମ ଦଳକୁ ଆସିଥିଲେ। ତାଙ୍କ ଫୁଟ୍‌ବଲ୍ ଦକ୍ଷତା ଆମକୁ ବେଶ୍ ପ୍ରଭାବିତ କରିଥିଲା। ସେଥିପାଇଁ ଦଳର ପ୍ରଥମ ଖେଳାଳି ଭାବେ ଆମେ ତାଙ୍କୁ ଆସ୍ପା‌ୟାର ଏକାଡେମିକୁ ଉନ୍ନତ ପ୍ରଶିକ୍ଷଣ ପାଇଁ ପଠାଇଥିଲୁ। ଅଦମ୍ୟ ପରିପକ୍ବତାର ପରିଚୟ ଦେଇ ଶୁଭମ ନିଜ ସୁଯୋଗକୁ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ। ଚଳିତ ବର୍ଷ ସେ ନିଜ ପ୍ରତିଭାର ବଳିଷ୍ଠ ପ୍ରମାଣ ଦେଇଥିଲେ। ହେଲେ ତାଙ୍କ ପାଇଁ ଏହା ଆରମ୍ଭ ମାତ୍ର। ମୁଁ ତାଙ୍କ ଭିତରେ ଜଣେ ଶ୍ରେଷ୍ଠ ଖେଳାଳିଙ୍କୁ ଦେଖୁଛି। ଆଗକୁ ସେ ସଫଳତାର ଅନନ୍ୟ ସ୍ତର ଛୁଇଁବେ। ଶୁଭମ ମଧ୍ୟ ଓଡ଼ିଶାର କୁନି କୁନି ଓ ଉଦୀୟମାନ ଫୁଟବଲରଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିବେ। କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ଯେ କେହି ବି କିଛି କରିପାରିବ, ତାହା ଶୁଭମ୍ ପ୍ରମାଣ କରି ଦେଖାଇଛନ୍ତି। ଦଳର ଏହି ନିଷ୍ପତ୍ତିରେ ଅତ୍ୟନ୍ତ ଆ‌ନନ୍ଦିତ ଥିବା ଶୁଭମ କହିଛନ୍ତି ଯେ ଓଡ଼ିଶା ଏଫ୍‌ସି ପକ୍ଷରୁ ଆଉ ତିନି ବର୍ଷ ଖେଳିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି ଅଛି। କଳିଙ୍ଗ ଷ୍ଟାଡିୟମ୍‌ରେ ନିଜ ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଖେଳିବାକୁ ମୁଁ ମନଭରି ଉପଭୋଗ କରିଛି। ଆସନ୍ତା‌ ସମୟରେ ଏହିଭଳି ଅଭିଜ୍ଞତା କରିବାକୁ ମୁଁ ଅପେକ୍ଷା କରିଛି। କ୍ଲବ୍ ପରିଚାଳନା ମଣ୍ଡଳି ଦେଇଥିବା ନିରନ୍ତର ସହଯୋଗ ଓ ସମର୍ଥନ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଆଗାମୀ ସମୟରେ ଭଲ ପ୍ରଦର୍ଶନ କରି ରାଜ୍ୟ ଓ କ୍ଲବ୍‌ ପାଇଁ ଗୌରବ ଆଣିବାକୁ ଆପ୍ରାଣ ଉଦ୍ୟମ କରିବି। ସୂଚନାଯୋଗ୍ୟ ଯେ ଓଡ଼ିଶା ଏଫ୍‌ସି ପୂର୍ବରୁ ଦିଲ୍ଲୀ ଡାଇନାମସ୍ ଭାବେ ପରିଚିତ ଥିଲା। ହେଲେ ପରବର୍ତ୍ତୀ ସମୟରେ କଳିଙ୍ଗ ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ କରିବା ସହ ଓଡ଼ିଶା ଏଫସି ଭାବେ ଆଇଏସଏଲ୍ ‌ଖେଳିବା ଆରମ୍ଭ କରିଥିଲା। ଶୁଭମ ୨୦୧୭ରୁ ଏହି ଦଳ ପକ୍ଷରୁ ଖେଳି ଆସୁଛନ୍ତି। ସେ ମଧ୍ୟ ଭାରତୀୟ ୧୭ ବର୍ଷରୁ କମ୍ ଦଳର ପ୍ରତିନିଧିତ୍ବ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe