ମୂଲ ଲାଗୁଛନ୍ତି ଜାତୀୟ ଫୁଟ୍‌ବଲର୍‌ ସୁଜାତା

Advertisment
ମୂଲ ଲାଗୁଛନ୍ତି ଜାତୀୟ ଫୁଟ୍‌ବଲର୍‌ ସୁଜାତା

ଆଳି: ଦିନେ ଜାତୀୟସ୍ତରରେ ନିଜ କ୍ରୀଡ଼ା ନୈପୁଣ୍ୟ ଦେଖାଇଥିଲେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍‌ ଦେମାଳ ଗ୍ରାମର ଫୁଟ୍‌ବଲ ଖେଳାଳି ସୁଜାତା ମଲିକ। ଜାତୀୟ ଫୁଟ୍‌ବଲ ପ୍ରତିଯୋଗିତାରେ ଏକାଧିକ ଥର ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଛନ୍ତି ‌ସେ। ହେଲେ ବିଡ଼ମ୍ବନା ଏହିକି, ଏଭଳି ପ୍ରତିଭାବାନ୍‌ ଖେଳାଳି ନିଯୁକ୍ତି ଅଭାବରୁ ଏବେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ମହିଳା ଫୁଟ୍‌ବଲ ଖେଳର ଅନ୍ତୁଡିଶାଳ କୁହାଯାଉଥିବା ଆଳି ମିନିଷ୍ଟାଡିୟମରୁ ସୁଜାତା ମାତ୍ର ୧୧ ବର୍ଷ ବୟସରୁ ଆରମ୍ଭ କରିଥିଲେ ଫୁଟ୍‌ବଲ ଖେଳ। ଏଇଠୁ ନେଇଥିଲେ ପ୍ରଶିକ୍ଷଣ। ଏହାପରେ ୨୦୦୫ରେ ଯୋଗଦାନ କରିଥିଲେ ଭୁବନେଶ୍ୱର କ୍ରୀଡା ଛାତ୍ରାବାସରେ। ୨୦୦୫ରୁ ୨୦୧୫ ଯାଏ ଦୀର୍ଘ୧୦ ବର୍ଷ ଧରି ସୁଜାତା ଓଡ଼ିଶା ମହିଳା ଫୁଟ୍‌ବଲ ଦଳର ଉପକନିଷ୍ଠ ଓ କନିଷ୍ଠ ଦଳରେ ସାମିଲ ହୋଇ ଜାତୀୟ ପ୍ରତିଯୋଗିତାରେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ସ୍ବାମୀ ବିସ୍ମୟ ମଲିକ, ୩ ବର୍ଷର ପୁଅ ତନ୍ମୟଙ୍କୁ ନେଇ ସୁଜାତାଙ୍କ ଛୋଟ ପରିବାର।

ଫୁଟ୍‌ବଲ ଖେଳକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ସୁଜାତା ବହୁ ଆଶା ରଖିଥିଲେ ନିଜର କ୍ରୀଡ଼ା ଦକ୍ଷତା ପାଇଁ କୌଣସି ନିଯୁକ୍ତି ପାଇଯିବେ। ଖୁସିରେ ଚଳିବେ। କିନ୍ତୁ ଜାତୀୟସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିବା ଏହି ୨୫ ବର୍ଷୀୟା ଫୁଟ୍‌ବଲ ଖେଳାଳି କୌଣସି ସରକାରୀ, ବେସରକାରୀସ୍ତରରେ ନିଯୁକ୍ତି ନ ପାଇ କେତେବେଳେ ଇଟାଭାଟିରେ ତ କେତେବେଳେ ଚାଷ ଜମିରେ ଦିନ ମଜୁରିଆ ଭାବେ କାମକରି ପରିବାର ପ୍ରତିପୋଷଣ କରୁଛନ୍ତି। ସ୍ବାମୀ ବିସ୍ମୟଙ୍କ ସେମିତି କିଛି ନିର୍ଦ୍ଦିଷ୍ଟ ରୋଜଗାର ନାହିଁ। ରାଜମିସ୍ତ୍ରୀ ଭାବେ କାମ କରନ୍ତି। ହୃଦ୍‌ରୋଗରେ ଆକ୍ରାନ୍ତ ୩ ବର୍ଷର ପୁଅ ତନ୍ମୟ ପାଇଁ ଖର୍ଚ୍ଚ ହେଉଛି ପର୍ଯ୍ୟାପ୍ତ ଅର୍ଥ। ଅଭାବ ଅନାଟନ ଭିତରୁ ମୁକୁଳିବା ପାଇଁ ଜାତୀୟ ଫୁଟ୍‌ବଲ ଖେଳାଳି ସୁଜାତା ଚଳାଇଛନ୍ତି ସଂଗ୍ରାମ। ‘ମୋର ସାଥୀ ଖେଳାଳିମାନଙ୍କ ମଧ୍ୟରୁ ଅନେକ ସରକାରୀ, ବେସରକାରୀ ନିଯୁକ୍ତି ପାଇଛନ୍ତି। ବହୁତ ଆଶା ରଖିଥିଲି ମୋର କ୍ରୀଡ଼ା ଦକ୍ଷତା ପାଇଁ ମୋତେ ବି ନିଯୁକ୍ତି ମିଳିବ। ମୋର ଭବିଷ୍ୟତ ଜୀବନ ଖୁସିରେ କଟିବ। ହେଲେ ଏଯାବତ ନିଯୁକ୍ତି ମିଳୁ ନାହିଁ। ଦିନକୁଦିନ ସଂସାର ବୋଝ ମୋ ଉପରେ ଭାରି ହୋଇ ପଡୁଛି। ସରକାର ସହୃଦୟତାର ସହ ମୋ କଥା ବିଚାରକୁ ନେଇ ମୋତେ ନିଯୁକ୍ତି ଦେବାର ବ୍ୟବସ୍ଥା କରିବେ ବୋଲି ଆକୁଳ ସ୍ବରରେ କହିଛନ୍ତି ସୁଜାତା। ଅପରପକ୍ଷରେ ଜଣେ ପ୍ରତିଭାବାନ ମହିଳା ଫୁଟ୍‌ବଲ ତାରକାଙ୍କ ଏପରି ଦୟନୀୟ ସ୍ଥିତି କ୍ରୀଡାପ୍ରେମୀ, କ୍ରୀଡା ସଂଗଠକ ଓ କ୍ରୀଡାବିତ୍‌ମାନଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe