ହକି ଅନ୍ତୁଡ଼ିଶାଳ ପ୍ରତି ବୈମାତୃକ ମନୋଭାବ

ଚଳିତ ବର୍ଷରୁ ସାଇ ଛାତ୍ରାବାସରେ କେବଳ ବାଳିକା; ବାଳକ ଯିବେ ରାଞ୍ଚି ଓ ହଜାରିବାଗ

ହକି ଅନ୍ତୁଡ଼ିଶାଳ ପ୍ରତି ବୈମାତୃକ ମନୋଭାବ

ସୁନ୍ଦରଗଡ଼ : ହକି ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ। ଗ୍ରାମାଞ୍ଚଳର ବାଳକ ହକି ଓ ଅନ୍ୟ ଖେଳାଳିମାନଙ୍କୁ ଉନ୍ନତ କ୍ରୀଡ଼ା କୌଶଳ ପ୍ରଶିକ୍ଷଣ ଦେଇ ଦକ୍ଷ ଓ କ୍ରୀଡ଼ା ନୈପୁଣ୍ୟ କରିବା ଲକ୍ଷ୍ୟରେ ୨୦୦୫ରେ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ-ସାଇ) ପକ୍ଷରୁ ସୁନ୍ଦରଗଡ଼ ଭବାନୀପୁରଠାରେ ସ୍ଥାପିତ ଛାତ୍ରାବାସ ବନ୍ଦ ହେବ। ବହୁ ଦକ୍ଷ ଖେଳାଳିଙ୍କୁ ତିଆରି କରି ଅନ୍ତର୍ଜାତୀୟସ୍ତରକୁ ନେଇଥିବା ଏହି ଛାତ୍ରାବାସରେ ଚଳିତ ବର୍ଷରୁ ଆଉ ବାଳକ ଖେଳାଳିମାନଙ୍କୁ ଗ୍ରହଣ କରାଯିବ ନାହିଁ। ୨୦୨୦ ଜାନୁଆରି ୨୦ରେ ସାଇ ପକ୍ଷରୁ ଏ ସମ୍ପର୍କିତ ଆଦେଶ ପହଞ୍ଚିଛି। ୯୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରାବାସରେ ଏଣିକି କେବଳ ବାଳିକା ଖେଳାଳିଙ୍କୁ ଗ୍ରହଣ କରିବା ସହ ଆବାସିକ ପ୍ରଶିକ୍ଷଣ ଦିଆଯିବ। ଗୁରୁବାର ବାଳିକାମାନଙ୍କ ଚୟନ ଶିବିର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଏହା ସୁନ୍ଦରଗଡ଼ର ଗ୍ରାମାଞ୍ଚଳର ଆଶାୟୀ ଗରିବ ଖେଳାଳିଙ୍କୁ ନିରାଶ କରିଛି। ଅନ୍ୟପଟେ ଛାତ୍ରାବାସର ୪୬ ଅନ୍ତେବାସୀ ବାଳକଙ୍କୁ ରାଞ୍ଚି ଓ ହଜାରିବାଗକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଆସିଛି। ସେମାନଙ୍କ ଯାତାୟତ, ରହଣି ଓ ଖାଦ୍ୟ ଖର୍ଚ୍ଚ ‘ସାଇ’ ବହନ କରିବ ବୋଲି ସୂଚନା ମିଳିଛି। ତେବେ ଏମାନେ ସମସ୍ତେ ଓଡ଼ିଆ ବିଦ୍ୟାଳୟରେ ପଢ଼ୁଥିବାରୁ ରାଞ୍ଚି, ହଜାରିବାଗରେ ସେମାନଙ୍କ ପାଠପଢ଼ାରେ ଡୋରି ବନ୍ଧାହେବା ନିଶ୍ଚିତ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯାହା ବାଳକ ଖେଳାଳିମାନଙ୍କ ନିରାଶାକୁ ଦ୍ବିଗୁଣିତ କରିଛି। ୨୦୦୫ରେ ଜିଲ୍ଲା କ୍ରୀଡ଼‌ା ସଂସଦ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ‘ସାଇ’ ୨୦୦୭ରେ ଭବାନୀପୁର ସ୍ବତନ୍ତ୍ର କ୍ରୀଡ଼ା ଛାତ୍ରାବାସକୁ ସ୍ଥାନାନ୍ତର ହୋଇଥିଲା। ଏଠାରେ ଉଭୟ ବାଳକ ଓ ବାଳିକା ବର୍ଗରେ ଗ୍ରାମାଞ୍ଚଳର ୯୦ ଜଣଙ୍କୁ ହକି, ଦୌଡ଼କୁଦ ଓ ତୀରଚାଳନା ପ୍ରଶିକ୍ଷଣ ଦିଆଯାଉଛି। କେବଳ ବାଳକ ବର୍ଗ ହକିରେ ୩୩, ଦୌଡ଼କୁଦରେ ୫ ଓ ତୀରଚାଳନାରେ ୮ ଜଣ ପ୍ରଶିକ୍ଷଣ ନେଉଛନ୍ତି। ସେଥିମଧ୍ୟରୁ ହକିରେ ୩୩ ଜଣ ଜାତୀୟସ୍ତରକୁ ଯାଇଥିବା ବେଳେ କନିଷ୍ଠ ଭାରତୀୟ ଦଳରେ ଖେଳି ସୁମନ ବେଗ, ସାହିଲ କୁମାରଙ୍କ ସମେତ ଆନନ୍ଦ ଲାକ୍ରା, ବେଲସଜର ହରୋ ଅନ୍ତଃଜାତୀୟ ଖେଳାଳିର ସ୍ବୀକୃତି ପାଇଛନ୍ତି। ଏହା ସହ ଅନ୍ୟ କ୍ରୀଡ଼‌ାରେ ମଧ୍ୟ ସୁନାମ ଅର୍ଜନ ପାଇଁ ଖେଳାଳିମାନେ ଭରପୂର ପ୍ରୟାସ ଚଳାଇଛନ୍ତି। ହକିରେ ପ୍ରଶିକ୍ଷକ ଭାବେ ଗୁରପ୍ରୀତ ସିଂ ଓ ମହମ୍ମଦ ଇନ୍ତିକମ୍‌ ଆଲାମ, ଦୌଡ଼କୁଦରେ ଉମାପ୍ରସାଦ ରାଓ, ତୀରଚାଳନାରେ ଆଲୋକ ଘୋଷ ଓ ଟେକଲାଲ ପୁରେ ତାଲିମ ଦେଉଛନ୍ତି। ତେବେ ହକି ପାଇଁ ଥିବା ଆଷ୍ଟ୍ରୋଟର୍ଫ ଦୀର୍ଘ ବର୍ଷ ହେଲା ଦଦରା ହୋଇପଡ଼ିଛି। ତାହା କ୍ରୀଡ଼‌ାଭ୍ୟାସ ଯୋଗ୍ୟ ହୋଇ ରହି ନଥିବା ବେଳେ ତା’ର ମରାମତି କି ନବୀକରଣ ନକରିବା ଓ ଏବେ ସିଧାସଳଖ ବାଳକ ଖେଳାଳିଙ୍କ ଛାତ୍ରାବାସକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାର ମସୁଧା ସରକାରଙ୍କ ବୈମାତୃକ ମନୋଭାବକୁ ସାମ୍ନାକୁ ଆଣିଛି। ତେବେ ସୁନ୍ଦରଗଡ଼ରୁ ହକିର ଜୀବନ୍ତ କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ସମେତ ଲାଜରୁସ ବାର୍ଲା, ପ୍ରବୋଧ ତିର୍କି, ଇଗ୍ନେଶ ତିର୍କି, ଅମିତ ରୋହିଦାସ, ଦୀପସାନ ତିର୍କି, ବୀରେନ୍ଦ୍ର ଲାକ୍ରାଙ୍କ ପରି ସୁନାମଧନ୍ୟ ହକି ପ୍ରତିଭା ଦେଶମାତୃକାର ନାଁରେ ଚମକ ଭରିଥିବା ବେଳେ ସେହି ମାଟିକୁ ‘ସାଇ’ର ଏ ପ୍ରକାର ଉପେକ୍ଷା ଜିଲ୍ଲା‌ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କେନ୍ଦ୍ର ସରକାର ସାଇ ଛାତ୍ରାବାସ ବନ୍ଦ ନିଷ୍ପତ୍ତିର ପୁନଃବିଚାର କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe