ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବରେ ସୁନ୍ଦରଗଡ଼ ହକିର ଝଲକ

ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବରେ ସୁନ୍ଦରଗଡ଼ ହକିର ଝଲକ

ସମ୍ବଲପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ମୁମ୍ବାଇର ଜାତୀୟ ପ୍ରଦର୍ଶନ କଳା କେନ୍ଦ୍ରରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫ୍‌ଏଫ୍‌)ର ଦ୍ୱିତୀୟ ଦିନ ସୋମବାର ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ବିଶ୍ୱରଞ୍ଜନ ପ୍ରଧାନଙ୍କ ନିର୍ମିତ ‘ଦି ଟ୍ରାଇବାଲ ସ୍କୁପ୍‌’ ନାମକ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ବେଶ୍‌ ପ୍ରଶଂସା ସାଉଁଟିଛି। ସୁନ୍ଦରଗଡ଼ର ଆଦିବାସୀ ଯୁବକଙ୍କ ପାଇଁ ହକି କେବଳ ଖେଳ ନୁହେଁ, ଏହା ସେମାନଙ୍କ ସାମାଜିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ତାହା ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି।

ଅଭ୍ୟନ୍ତରୀଣ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୂର। ଜିଲ୍ଲାର ଆଦିବାସୀ ସମାଜ ଆଜିର ଅତ୍ୟାଧୁନିକ ସଭ୍ୟତା ଓ ଚଳଣିରୁ ବହୁ ଦୂରରେ। ଆଜି ବି ସେଠାକାର ଆଦିବାସୀମାନେ ଜୀବନ ଜୀବିକା ପାଇଁ ବଣ ଜଙ୍ଗଲ ଉପରେ ନିର୍ଭରଶୀଳ। ହେଲେ ସଭ୍ୟତାର ବିକାଶ ନାଁରେ ଆଜି ସେହି ପ୍ରାକୃତିକ ଶୋଭାରାଜି ଓ ବଣ ଜଙ୍ଗଲକୁ ଧ୍ୱଂସ କରା ଯାଉଛି। ରାଜ୍ୟର ଦ୍ୱିତୀୟ ସର୍ବାଧିକ ଖଣିଜ ସମ୍ପଦ ପୂର୍ଣ୍ଣ ଏହି ଜିଲ୍ଲାରେ ପ୍ରଚୁର ମାତ୍ରାରେ ଖଣି ଖନନ ଚାଲିଛି। ଶିଳ୍ପ ପ୍ରତିଷ୍ଠା ହୋଇଛି। ମାତ୍ର ଏହି ଜିଲ୍ଲାର ଆଦିବାସୀଙ୍କ ବିକାଶରେ ଏହା ବିଶେଷ ସହାୟକ ହୋଇପାରି ନାହିଁ। ଅପର ପକ୍ଷରେ ଜିଲ୍ଲାର ଆଦିବାସୀଙ୍କ ପାଇଁ ଏକମାତ୍ର ଆଶା ପାଲଟିଛି ‘ହକି’। ଜିଲ୍ଲାର ଯୁବପୀଢ଼ି ‘ହକି’ ସହ ଆତ୍ମିକ ଭାବେ ଜଡ଼ିତ। ଆଧୁନିକ ସମାଜଠାରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଯାଇଥିବା ଏହି ଅଞ୍ଚଳର ଯୁବବର୍ଗଙ୍କ ପାଇଁ ହକି ହିଁ ଏକ ମାତ୍ର ଆଶାର ଆଲୋକ, ବଞ୍ଚିବାର ରାହା। ଜିଲ୍ଲାରୁ ଏ ଯାବତ୍‌ ୫୦ ଜଣ ଅନ୍ତର୍ଜାତୀୟ ଓ ୧୫ଶହରୁ ଅଧିକ ଜାତୀୟ ହକି ଖେଳାଳି ବାହାରି ରାଜ୍ୟ ତଥା ଦେଶ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ର୍ତିକୀ, ଅଲିମ୍ପିଆନ୍‌ ଲାଜରୁସ ବାର୍ଲା, ବର୍ତମାନର ତାରକା ଦୀପସନ ତିର୍କୀଙ୍କ ଅନୁଭୂତି ମଧ୍ୟ ଏହି ଚଳଚ୍ଚିତ୍ରରେ ରହିଛି। ସେହିପରି ଏହି ଜିଲ୍ଲାର ଆଦିବାସୀଙ୍କ ଜୀବନ ଜୀବିକା, ସଂସ୍କୃତିର ଝଲକ ଏଥିରେ ଦେଖିବାକୁ ମିଳିଛି।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଜନ୍ମିତ ବିଶ୍ୱରଂଜନ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପରେ ଗତ ୧୦ ବର୍ଷ ହେବ ମୁମ୍ବାଇରେ ରହି ଆସୁଛନ୍ତି। ମୁମ୍ବାଇର କୋଡ୍‌ରେଡ୍‌ ଫିଲ୍ମ ସହ ଜଡ଼ିତ ବିଶ୍ୱରଂଜନ ବିଜ୍ଞାପନ ଫିଲ୍ମ ନିର୍ମାଣ କରୁଛନ୍ତି। ନିଜର ଏହି ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ତାଙ୍କୁ ୩ ବର୍ଷ ଲାଗିଲା ବୋଲି କହନ୍ତି ବିଶ୍ୱରଂଜନ। ଏହାକୁ ନେଇ ସେ ବେଶ୍‌ ଆଶାବାଦୀ। ଆଗାମୀ ଦିନରେ ଅନେକ କିଛି କରିବାର ସ୍ୱପ୍ନ ରହି ବୋଲି ସେ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe