ରୟାଲ୍ସକୁ ରୋକିବା ଲକ୍ଷ୍ୟରେ ସନ୍‌ରାଇଜର୍ସ: ଦ୍ବିତୀୟ କ୍ବାଲିଫାୟରରେ ଆଜି ଦମ୍‌ଦାର ଲଢ଼େଇ

ରୟାଲ୍ସକୁ ରୋକିବା ଲକ୍ଷ୍ୟରେ ସନ୍‌ରାଇଜର୍ସ: ଦ୍ବିତୀୟ କ୍ବାଲିଫାୟରରେ ଆଜି ଦମ୍‌ଦାର ଲଢ଼େଇ

ଚେନ୍ନାଇ: ଆର୍‌ସିବିକୁ ଏଲିମିନେଟ୍ କରିବା ପରେ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆଉ ଏକ ମହାମୁକାବିଲାରେ ଶୁକ୍ରବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଶୁକ୍ରବାର ଚେନ୍ନାଇରେ ଦ୍ବିତୀୟ କ୍ବାଲିଫାୟରରେ ଏହି ଦୁଇ ଦଳ ମୁହାଁମୁହିଁ ହେବା ପରେ ବିଜେତା ଦଳ ରବିବାରର ବହୁ ପ୍ରତୀକ୍ଷିତ ମେଗା ଫାଇନାଲ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। କୋଲକାତା ପୂର୍ବରୁ ପ୍ରଥମ କ୍ବାଲିଫାୟର୍‌ରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ ଲଢ଼େଇ ପାଇଁ ଅପେକ୍ଷା କରି ରହିଛି। ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରୁ ଯିଏ ଜିତିବ, ସିଏ ଟ୍ରଫି ଟକ୍କରରେ କୋଲକାତାକୁ ସାମ୍ନା କରିବ।

ପାୱାର ହିଟିଂ ପାଇଁ ପରିଚିତ ହାଇଦ୍ରାବାଦ ଅପ୍ରତ୍ୟାଶିତ ଭାବେ କୋଲକାତା ବିପକ୍ଷ ପ୍ରଥମ କ୍ବାଲିଫାୟର୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଚର୍ଚ୍ଚିତ ଓପନର୍‌ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିଫଳତା ଏହାର ମୁଖ୍ୟ କାରଣ ଥିଲା। ହେଡ୍ ଲଗାତାର ଦ୍ବିତୀୟ ଥର ପାଇଁ ଖାତା ଖୋଲି ପାରି ନଥିଲା ବେଳେ ଅଭିଷେକ ୩ ରନ୍ ଆଗକୁ ବଢ଼ି ପାରି ନଥିଲେ। ଉଭୟ ଶୁକ୍ରବାର ଏହି ବିଫଳତାକୁ ଭୁଲି ନିଜ ନିଜର ସ୍ବାଭାବିକ ଖେଳ ଖେଳିବାକୁ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବେ। ତେବେ ସେମାନଙ୍କୁ ରାଜସ୍ଥାନର ଦୁଇ ସ୍ପିନ୍ ମହାରଥୀ ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଅଭିଷେକ ଓ ହେଡ୍‌ଙ୍କ ସହ ହେନରିକ୍ କ୍ଲାସେଁଙ୍କ ପ୍ରଦର୍ଶନ ମଧ୍ୟ ହାଇଦ୍ରାବାଦ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଚେପକ୍ ଷ୍ଟାଡିୟମ୍ ପିଚ୍ ପାରମ୍ପରିକ ଭାବେ ସ୍ପିନର୍‌ଙ୍କୁ ସୁହାଉଥିବାରୁ ଏବଂ ରାଜସ୍ଥାନ ପାଖରେ ଦୁଇଜଣ ଉଚ୍ଚକୋଟୀର ସ୍ପିନର ଥିବାରୁ ଏହି ଦଳର ପଲ୍ଲା କିନ୍ତୁ ସାମାନ୍ୟ ଭାରୀ ରହିବ। ବୋଲିଂରେ ହାଇଦ୍ରାବାଦ ଚଳିତ ଋତୁରେ ନିଜ ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ଟି ନଟରାଜନ ଉପରେ ଅଧିକ ନିର୍ଭରଶୀଳ ରହିବ। ଗତ ମ୍ୟାଚ୍‌ରେ ୱିକେଟ୍ ଶୂନ୍ୟ ରହିଥିବା ଭୁବନେଶ୍ବର କୁମାର ଓ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ପ୍ରଦର୍ଶନ ମଧ୍ୟ ମ୍ୟାଚ୍‌ର ଫଳାଫଳ ଉପରେ ନିଶ୍ଚୟ ପ୍ରଭାବ ଛାଡ଼ିବ। ମୟଙ୍କ ମାର୍କଣ୍ଡ, ଭି. ବିଜୟକାନ୍ତ ଓ ଶାହବାଜ ଅହମ୍ମଦଙ୍କ ରୂପରେ ତିନି ଜଣ କାମଚଳା ସ୍ପିନର୍‌ ରହିବା ହାଇଦ୍ରାବାଦ ପାଇଁ ଚିନ୍ତାର କାରଣ ହେବ। ଅବଶ୍ୟ ଏମାନଙ୍କ ଭିତରୁ ସର୍ବାଧିକ ଦୁଇ ଜଣ ହିଁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। କେଶବ ମହାରଜ ମଧ୍ୟ ଭଲ ବିକଳ୍ପ ‌ହୋଇପାରନ୍ତି।

ଅନ୍ୟପକ୍ଷରେ ଆର୍‌ସିବିକୁ ହରାଇ ୪ ମ୍ୟାଚ୍ ପରାଜୟ ଧାରାରେ ବିରାମ ଲଗାଇଥିବା ରାଜସ୍ଥାନ ଯୁବ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବା ଏହି ଦଳକୁ ଅଡ଼ୁଆରେ ପକାଇପାରେ। ଅଧିନାୟକ ସଂଜୁ ସାମ୍‌ସନ୍‌ଙ୍କ ଅସ୍ଥିର ପ୍ରଦର୍ଶନ ମଧ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି ପାରେ। ମଧ୍ୟକ୍ରମରେ ଧ୍ରୁବ ଜୁରେଲଙ୍କ ଲଗାତାର ବିଫଳତା ଦଳର ବଡ଼ ଦୁର୍ବଳତା ଭାବେ ଉଭା‌ ହୋଇଛି। ଏଣୁ ଶୁକ୍ରବାର ଭଲ ପ୍ରଦର୍ଶନ କରିବାର ଚାପ ଜୁରେଲଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ। ରିଆନ ପରାଗଙ୍କ ବିସ୍ଫୋରକ ଓ ଦାୟିତ୍ବବାନ ବ୍ୟାଟିଂ ଅବଶ୍ୟ ରାଜସ୍ଥାନ ମନୋବଳକୁ କିଛିଟା ବଢ଼ାଇବ। ଅଧିକାଂଶ ମ୍ୟାଚ୍‌ରେ ଇମ୍ପାକ୍ଟ ପ୍ଲେୟର ରହୁଥିବା ସିମରନ୍ ହେଟମାୟରଙ୍କ ପ୍ରଦର୍ଶନ ମଧ୍ୟ ହାଇଦ୍ରାବାଦ ଫାଇନାଲ୍‌ ଖେଳିବ କି ନାହିଁ ସେ ଫୈସଲା କରିପାରେ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ମ୍ୟାଚ୍‌ରେ ରାଜସ୍ଥାନ ବୋଲିଂ ଓ ହାଇଦ୍ରାବାଦ ବ୍ୟାଟିଂ ଫୋକସରେ ରହିବେ।

ସଂଖ୍ୟା ଖେଳରେ ଉଭୟ ଦଳ ପ୍ରାୟତଃ ବରାବର ସ୍ଥିତିରେ ରହିବା ଶୁକ୍ରବାର ମୁକାବିଲାକୁ ଅଧିକ ରୋଚକ କରିବ। ଉଭୟ ଦଳ ପରସ୍ପରକୁ ୧୯ ଥର ଭେଟିଥିଲା ବେଳେ ହାଇଦ୍ରାବାଦ ୧୦ ଓ ରାଜସ୍ଥାନ ୯ ମ୍ୟାଚ୍‌ରେ ବିଜୟୀ ହୋଇଛି। ଆଇପିଏଲ୍ ପ୍ଲେ ଅଫ୍ ଓ ନକଆଉଟ୍‌ରେ ହାଇଦ୍ରାବାଦ ୧୨ ମ୍ୟାଚ୍ ଖେଳି ୭ଟିରେ ବିଜୟୀ ହୋଇଥିଲା ବେଳେ ୫ଟି ହାରିଛି। ଅନ୍ୟପକ୍ଷରେ ରାଜସ୍ଥାନ ୧୦ ପ୍ଲେଅଫ୍ ମ୍ୟାଚ୍‌ରୁ ସମାନ ୫ ଜୟ-ପରାଜୟ ପାଇଛି। ଚେପକ୍ ପିଚ୍‌ ଦୋମୁହାଁ ରହିବାର ପ୍ରାକ୍ ସଙ୍କେତ ଦେଇଛି, ଯାହାକି ଉଭୟ ଦଳର ବ୍ୟାଟର୍‌ଙ୍କୁ ଚିନ୍ତାରେ ପକାଇଛି। ଶୁକ୍ରବାର ଅପରାହ୍ଣ କିମ୍ବା ସଂଧ୍ୟାରେ ଚେନ୍ନାଇର ପାଗ ଶୁଖିଲା ରହିବ। ବର୍ଷା ହେବନି। ହେଲେ ଆର୍ଦ୍ରତା ୭୫ ପ୍ରତିଶତ ରହିବା ବୋଲରଙ୍କୁ ଶୀଘ୍ର ହାଲିଆ କରିପାରେ। ରାଜସ୍ଥାନ ରୟାଲ୍ସ ଦଳ: ଯଶସ୍ବୀ ଜୟସ୍ବାଲ, ଟମ୍ ‌କୋହଲର-କ୍ୟାଡମୋର, ସଂଜୁ ସାମସନ୍ (ଅଧିନାୟକ), ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ୍ ହେଟ୍‌ମାୟର, ରୋଭମନ ପାୱେଲ/କେଶବ ମହାରାଜ, ଆର ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ଆୱେସ ଖାନ୍, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ।

ସନ୍‌ରାଇଜର୍ସ ହାଇଦ୍ରାବଦ: ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଐଦେନ ମାରକ୍ରମ/ଗ୍ଲେନ୍ ଫିଲିପ୍ସ/ଭି. ବିଜୟକାନ୍ତ, ନୀତୀଶ କୁମାର ରେଡ୍ଡୀ, ହେନରିକ୍ କ୍ଲାସେଁ, ଅବଦୁଲ ସମଦ, ଶାହବାଜ ଅହମଦ, ପ୍ୟାଟ୍ କମିନ୍ସ (ଅଧିନାୟକ), ଭୁବନେଶ୍ବର କୁମାର, ମୟଙ୍କ ମାର୍କଣ୍ଡ, ଟି ନଟରାଜନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe