ପଞ୍ଜାବ ପରାକ୍ରମରେ ସନ୍‌ରାଇଜର୍ସ ସ୍ତବ୍ଧ

Advertisment
ପଞ୍ଜାବ ପରାକ୍ରମରେ ସନ୍‌ରାଇଜର୍ସ ସ୍ତବ୍ଧ

ଦୁବାଇ: ବିଜୟ ଲକ୍ଷ୍ୟ ମାତ୍ର ୧୨୭ ରନ୍ ଥିବାରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଡେଭିଡ୍ ୱାର୍ନର ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ବିନା କ୍ଷତିରେ ୫୫ ରନ୍‌ରେ ପହଞ୍ଚାଇବା ପରେ ଯାହା ସୁନିଶ୍ଚିତ ମନେ ହେଉଥିଲା। କିଙ୍ଗ୍ସ ଏକାଦଶ ପଞ୍ଜାବ କିନ୍ତୁ ହାର ମାନି ଥିଲା। ରବି ବିଷ୍ଣୋଇ ରୋମାଞ୍ଚକର ଢଙ୍ଗରେ ୱାର୍ନରଙ୍କୁ ଆଉଟ୍ କରିବା ପରେ ମ୍ୟାଚ୍ ନାଟକୀୟ ମୋଡ଼ ନେଇଥିଲା। ମାପଚୁପ ବୋଲିଂ, ଅବିଶ୍ବସନୀୟ କ୍ଷେତ୍ରରକ୍ଷଣ ଏବଂ କିଛି ଅସାଧାରଣ କ୍ୟାଚ୍ ବଳରେ ପଞ୍ଜାବ ଅସାଧ୍ୟକୁ ସାଧ୍ୟ କରିଥିଲା। ସନ୍‌ରାଇଜର୍ସର ଚମକକୁ ପୂରା ଫିକା କରି ତାକୁ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିବା ସହ ‌ଶେଷରେ ୧୨ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ବିଜୟ ପାଇଁ ଏକଦା ସନ୍‌ରାଇଜର୍ସ ପାଖରେ ରନ୍ ଅପେକ୍ଷା ବଲ୍ ଅଧିକ ଥିଲା। ହେଲେ ମାତ୍ରାଧିକ ରକ୍ଷଣଶୀଳ ବ୍ୟାଟିଂ ପାଇଁ ଶେଷ ଓଭରରୁ ଏହି ଦଳକୁ ଆହ୍ବାନପୂର୍ଣ୍ଣ ୧୪ ରନ୍‌ର ଦରକାର ଥିଲା। ଯୁବ ବାମହାତୀ ବୋଲର ଅର୍ଶଦୀପ ସିଂହ ପ୍ରଥମ ବଲ୍‌ରେ ସିଙ୍ଗଲ ଦେବା ପରେ ଦ୍ବିତୀୟ ଓ ତୃତୀୟ ବଲ୍‌ରେ ୱିକେଟ୍ ନେଇଥିଲେ। ପଞ୍ଚମ ବଲ୍‌ରେ ରନ୍‌ଆଉଟ୍‌ରୁ ପଞ୍ଜାବ ଆଉ ଏକ ୱିକେଟ୍ ପାଇଥିଲା। ଶେଷ ଓଭରରେ ମାତ୍ର ୧ ରନ୍ କରି ୩ ୱିକେଟ୍ ହରାଇବା ସହ ଗୋଟିଏ ବଲ୍ ପୂର୍ବରୁ ସନ୍‌ରାଇଜର୍ସ ଆଶ୍ଚର୍ଯ୍ୟଜନକ ଭାବେ ଅଲଆଉଟ୍ ହୋଇ ଯାଇଥିଲା। ପଞ୍ଜାବର ୧୨୬/୭ ଜବାବରେ ୧୯.୫ ଓଭର ଖେଳି ସମସ୍ତ ୱି‌କେଟ୍ ବିନିମୟରେ କେବଳ ୧୧୪ ରନ୍ କରି ପାରିଥିଲା। ସନ୍‌ରାଇଜର୍ସ ହଠାତ୍‌ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪ ରନ୍ ଭିତରେ ୭ ୱିକେଟ୍ ହରାଇବାକୁ ଯେମିତି କେହି ବିଶ୍ବାସ କରି ପାରୁ ନଥିଲେ। କ୍ରିସ୍‌ ଜୋର୍ଡାନ୍‌ ତାଙ୍କ ଯାଦୁଗରି ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଶନିବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଯେ ଅଧିନାୟକ କେଏଲ୍ ରାହୁଲଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ତାହା ପୁଣି ଥରେ ପ୍ରମାଣିତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିବା ମନଦୀପ ସିଂହ (୧୭) କିନ୍ତୁ ପ୍ରଥମ ୱିକେଟ୍ ଭାବେ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ବିସ୍ଫୋରକ କ୍ରିସ୍ ଗେଲ୍ (୨୦) ନିଜ ଦେଶର ଜାସନ ‌ହୋଲ୍ଡରଙ୍କୁ ୱିକେଟ୍ ଟେକି ଦେଇଥିଲେ। ପଛେ ପଛେ ରାହୁଲ (୨୭) ମଧ୍ୟ ରସିଦ ଖାନଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍ ଗୋଟିଏ ଭଲ ପାଳି ପରେ ପୁଣି ଥରେ ନିରାଶ କରିବା ସହ ପଞ୍ଜାବ ଶେଷ ଭାଗରେ ରନ୍ ହାର ବଢ଼ାଇବାକୁ ବରାବର କଡ଼ା ସଂଘର୍ଷ କରିଥିଲା। ନିକୋଲାସ୍ ପୂରନ (୩୨*) ଦାୟିତ୍ବବାନ ବ୍ୟାଟିଂ କରିଥିଲେ। ତାଙ୍କୁ ପାଳି ଗଢ଼ିବା କିମ୍ବା ରନ୍ ହାର ବଢ଼ାଇବା ଲାଗି ଅନ୍ୟ କେହି ସହଯୋଗ କରି ନଥିଲେ। ତେବେ ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନଙ୍କୁ ହାତଖୋଲା ସଟ୍ ‌ଖେଳିବାର ସୁଯୋଗ ଦେଇ ନଥିବା ହାଇଦ୍ରାବାଦ ବୋଲର (ସନ୍ଦୀପ ଶର୍ମା ୨/୨୯, ଜାସନ ହୋଲ୍ଡର ୨/୨୭ ଓ ରସିଦ ଖାନ୍ ୨/୧୪) ହିଁ ପ୍ରଶଂସାର ପାତ୍ର ଥିଲେ। ପଞ୍ଜାବ ପ୍ରଥମ ୭ ଓଭରରେ ୫୬ ରନ୍ କରିଥିଲା। ପରବର୍ତ୍ତୀ ୧୩ ଓଭରରେ ଆଶ୍ଚର୍ଯ୍ୟଜନକ ଭାବେ ୬ ୱିକେଟ୍ ହରାଇ ମାତ୍ର ୭୦ ରନ୍ ସଂଗ୍ରହ କରି ପାରିଥିଲା। ସେଥିମଧ୍ୟରେ ମାତ୍ର ଦୁଇଟି ଚୌକା ମାରିବାକୁ ସକ୍ଷମ ହୋଇଥିଲା। ସେପଟେ ସନ୍‌ରାଇଜର୍ସ ବୋଲର ଏହି ଦଳର ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବା ସହ ନିୟମିତ ବ୍ୟବଧାନରେ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe