ଅଦ୍ୟତନ ହୋଇଛି
Hockey India Legue Photograph: (Sambad )
ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ହକି ଇଣ୍ଡିଆ ଲିଗ୍ର ଦୁଇଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ୩-୨ ଗୋଲରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚ୍ରେ ସୁର୍ମା ହକି କ୍ଲବ୍ ସୁଟ୍ଆଉଟ୍ରେ ୪-୧ ଗୋଲରେ ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଛି।
ସୁର୍ମା ହକି କ୍ଲବ ଓ ତାମିଲନାଡ଼ୁ ଡ୍ରାଗନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଘନଘନ ଆକ୍ରମଣ ପ୍ରତିଆକ୍ରମଣସତ୍ତ୍ବେ ପ୍ରଥମ ତିନି କ୍ବାର୍ଟର ଗୋଲ୍ଶୂନ୍ୟ ରହିଥିଲା। ଚତୁର୍ଥ କ୍ବାର୍ଟର କିନ୍ତୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ତାମିଲନାଡ଼ୁର ନାଥନ ଏଫ୍ରାମ୍ସ ୪୯ତମ ମିନିଟ୍ରେ ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନକରି ବହୁପ୍ରତିକ୍ଷୀତ ଆଗୁଆ କରିଥିଲେ।
ତେବେ ୫୪ତମ ମିନିଟ୍ରେ ସୁର୍ମା ହକି କ୍ଲବର ଗୁର୍ଜନ୍ତ ସିଂହ ଗୋଲ୍ ପରିଶୋଧ କରିଥିଲେ। ଶେଷସୁଦ୍ଧା ଆଉ କେହି କାହାରିକୁ ଗୋଲ୍ ଦେଇନପାରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ଫଳରେ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ସୁର୍ମା ବାଜିମାରିନେଇଥିଲା। ପ୍ରଥମ ମ୍ୟାଚ୍ର ବିଜେତା ବେଙ୍ଗଲ ଟାଇଗର୍ସର ଯୁଗରାଜ ସିଂହ(୯), ଶୁଖଜିତ ସିଂହ(୨୦) ଓ ଆଫାନ ୟୁସୁଫ(୩୬) ଗୋଟିଏ ଲେଖାଏ ଗୋଲ୍ ଦେଇଥିବାବେଳେ ହାଇଦ୍ରାବାଦ ତୁଫାନ୍ସର ଟିମୋଥୀ ଡାନିଏଲ(୪୧) ଓ ଆର୍ଥର ଡି’ ସ୍ଲୁଭର(୫୯) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ ମଧ୍ୟ ମ୍ୟାଚ୍ ରକ୍ଷା କରିପାରିନଥିଲେ।
Follow Us