Image Courtesy of India Today
ନୂଆଦିଲ୍ଲୀ: ସାଗର ଧନକର ହତ୍ୟା ମାମଲାରେ ଗିରଫ ହେବା ପରେ ଅଲିମ୍ପିଆନ୍ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୁଲିସ ଦ୍ବାରା ଗିରଫ ହେବା ପରେ ଏବେ ଏହାର ପ୍ରଭାବ ତାଙ୍କ ରୋଜଗାରରେ ପଡ଼ିଛି। ନିଯୁକ୍ତି ଦାତା ଉତ୍ତର ରେଳବାଇ ତାଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବିତ କରିଥିଲା ବେଳେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ତାଙ୍କ ବାର୍ଷିକ ଚୁକ୍ତିକୁ ବଢ଼ାଇବ ନାହିଁ ବୋଲି ସୂଚନା ମିଳିଛି। ସୁଶୀଲ ଉତ୍ତର ରେଳବାଇରେ ବାଣିଜ୍ୟକ ପ୍ରବନ୍ଧକ ଭାବେ ଚାକିରି କରିଥିଲେ। ୨୦୧୫ରୁ ସେ ଡେପୁଟେସନ୍ରେ ଆସି ଦିଲ୍ଲୀ ସରକାରଙ୍କ ଅଧୀନରେ ଛତ୍ରଶାଳ ଷ୍ଟାଡିୟମରେ ସ୍ବତନ୍ତ୍ର ଅଧିକାରୀ (ଓଏସ୍ଡି) ଭାବେ କାର୍ଯ୍ୟ କରୁଥିଲେ।
ଏଠାରେ ସେ ବିଦ୍ୟାଳୟ ସ୍ତରରେ କ୍ରୀଡ଼ା ବିକାଶ କାର୍ଯ୍ୟ କରୁଥିଲେ। ଉତ୍ତର ରେଳବାଇର ମୁଖପାତ୍ର ସୋମବାର କହିଛନ୍ତି ଯେ, ରବିବାର ସୁଶୀଲ ଗିରଫ ହେବାର ରିପୋର୍ଟ ଆମକୁ ମିଳିଛି। ଏହାକୁ ତର୍ଜମା କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ‘‘ତାଙ୍କ ବିରୋଧରେ ହତ୍ୟା ମାମଲା ହେବା ସହ ଗିରଫ ହୋଇ ପୁଲିସ ହେପାଜତରେ ଥିବାରୁ ତାଙ୍କୁ ନିୟମ ଅନୁଯାୟୀ ନିଲମ୍ବନ କରାଯାଇଛି ବୋଲି ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାର କହିଛନ୍ତି। ଡବ୍ଲୁଏଫ୍ଆଇ ତା ବାର୍ଷିକ ଚୁକ୍ତିରୁ ସୁଶୀଲଙ୍କୁ ବାଦ୍ ଦେବା ନେଇ ଚିନ୍ତା କରିଛି। ହତ୍ୟା ମାମଲା ପାଇଁ ନୁହେଁ ତାଙ୍କ ପ୍ରଦର୍ଶନକୁ ନେଇ ଏଭଳି ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ତାଙ୍କ ସହ ମହିଳା କୁସ୍ତିଯୋଦ୍ଧା ପୂଜା ଧଣ୍ଡାଙ୍କ ମଧ୍ୟ ଚୁକ୍ତି ନବୀକରଣ ହେବାର ସମ୍ଭାବନା ନାହିଁ। ଆସନ୍ତା ମାସରେ ଡବ୍ଲୁଏଫ୍ଆଇ ବୈଠକରେ ଏହା ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି।
ବାରମ୍ବାର ବୟାନ ବଦଳାଇଛନ୍ତି ସୁଶୀଲ
ସାଗର ଧନକର ହତ୍ୟା ମାମଲାକୁ ଦିଲ୍ଲୀ ପୁଲିସ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିବା ପରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସୁଶୀଲଙ୍କୁ ଘଟଣା ସ୍ଥଳକୁ ନେଇଥିଲେ। ସେଠାରେ ମାରପିଟ ଘଟଣାକୁ ରିକ୍ରିଏଟ୍ କରିବାକୁ ଚେଷ୍ଟା କରାରଯାଇଥିଲା। ସୁଶୀଙ୍କ ସହ ତାଙ୍କ ସାଥୀ ତଥା ଅନ୍ୟତମ ଅଭିଯୁକ୍ତ ଅଜୟ ବକରୱାଲା ମଧ୍ୟ ଥିଲେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗିରଫ ହେବା ପରେ ସୁଶୀଲ ବେଶ୍ ଭୟଭୀତ ଅଛନ୍ତି। ସେ ମଧ୍ୟ ବାରମ୍ବାର ନିଜ ବୟାନ ବଦଳାଉଛନ୍ତି। କ୍ରାଇମବ୍ରାଞ୍ଚ ଅଧିକାରୀ ମଧ୍ୟ ସୁଶୀଲ ଓ ଅଜୟଙ୍କୁ ମଡେଲ ଟାଉନସ୍ଥିତ ତାଙ୍କ ଫ୍ଲାଟକୁ ନେଇଥିଲେ। ଏହି ଫ୍ଲାଟ ହିଁ ହତ୍ୟାକାଣ୍ଡ ଘଟିବାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ସେହିଭଳି ସୁଶୀଲ ରହୁଥିବା ସାଲିମାର ବାଗ୍ ଅଞ୍ଚଳର ଏକ ଫ୍ଲାଟକୁ ମଧ୍ୟ ତାଙ୍କୁ ନିଆଯାଇଥିଲା।
Follow Us