Image Courtesy of India Today
ନୂଆଦିଲ୍ଲୀ: ଛାତ୍ରଶାଲ ଷ୍ଟାଡିୟମ୍ ଗଣ୍ଡଗୋଳ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଆର୍ମସ ଲାଇସେନ୍ସକୁ ନୂଆଦିଲ୍ଲୀ ପୁଲିସ୍ ନିଲମ୍ବିତ କରି ଦେଇଛି। ସୁଶୀଲ ଗିରଫ ହେବାର ୯ ଦିନ ପରେ ପୁଲିସ୍ ଏହି ପଦକ୍ଷେପ ନେଇଛି। ପୁଲିସ୍ ପକ୍ଷରୁ ଏ ସମ୍ପର୍କିତ ଏକ ନୋଟିସ୍ରେ ଲାଇସେନ୍ସ କାହିଁକି ରଦ୍ଦ କରାନଯିବ ବୋଲି ସୁଶୀଲ କୁମାରଙ୍କୁ କାରଣ ଦର୍ଶାଅ ମାଗିଛି। ଏଥି ପାଇଁ ୧୦ ଦିନ ମହଲତ ମଧ୍ୟ ଦିଆଯାଇଛି। ୨୦୧୨ ମସିହାରୁ ସୁଶୀଲ କୁମାରଙ୍କୁ ଆର୍ମସ ଲାଇସେନ୍ସ ପ୍ରଦାନ କରାଯାଇଥିଲା।
ମେ’ ୪ ତାରିଖରେ ଛତ୍ରଶାଲ ଷ୍ଟାଡିୟମ୍ ଗଣ୍ଡଗୋଳ ଘଟଣାରେ ଯୁବ କୁସ୍ତିବିତ୍ ସାଗର ଧନକରଙ୍କ ମୃତ୍ୟୁ ହେବା ପରେ ସୁଶୀଲଙ୍କ ନାମରେ ଏତାଲା ଦିଆଯାଇଥିଲା। ପ୍ରାୟ ତିନି ସପ୍ତାହ ଫେରାର ରହିବା ପରେ ସୁଶୀଲଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଥିଲା। ୧୩ ଜଣଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିବାବେଳେ ଅଦ୍ୟାବଧି ୯ ଜଣଙ୍କୁ ପୁଲିସ୍ ଗିରଫ କରିଛି। ସୁଶୀଲ ଏବେ ପୁଲିସ୍ ହାଜତରେ ରହି ପ୍ରତ୍ୟେକ ଦିନ ପଚରାଉଚରାର ସମ୍ମୁଖୀନ ହେଉଛନ୍ତି। ହତ୍ୟାକାନ୍ତ ସହ ସେ ସମ୍ପୃକ୍ତ ନ ଥିବା ବାରମ୍ବାର ପୁଲିସ୍କୁ କହୁଛନ୍ତି। ଗ୍ୟାଙ୍ଗଷ୍ଟର୍ ନୀରଜ ବାୱାନା ଓ କାଲା ଅସୌଦାଙ୍କ ଦଳର କିଛି ମଧ୍ୟ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ସୁଶୀଲ ଏକମାତ୍ର ଭାରତୀୟ ଭାବେ ଦୁଇ ଥର ଅଲିମ୍ପିକ୍ସ ବ୍ୟକ୍ତିଗତ ପଦକ ଜିତିଥିଲେ। ୨୦୦୮ ବେଜିଂ ଅଲିମ୍ପିକ୍ସରେ କାଂସ୍ୟ ଓ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।
Follow Us