Image Courtesy of India Today
ନୂଆଦିଲ୍ଲୀ: ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ୍ ହତ୍ୟାକାଣ୍ଡ ମାମଲାରେ ହାଜତରେ ଥିବା ଭାରତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାର ଦୋଷୀ ସାବ୍ୟସ୍ତ ହେଲେ ବି ତାଙ୍କ ଦୁଇ ଅଲିମ୍ପିକ୍ ପଦକ ହାରାଇବାର ଆଶଙ୍କା ନାହିଁ। ଅତୀତରେ କୌଣସି ଆଥଲେଟ୍ଙ୍କଠାରୁ ଏଭଳି ପରିସ୍ଥିତିରେ ପଦକ ପ୍ରତ୍ୟାହାର କରାଯାଇନଥିବାରୁ ସୁଶୀଲଙ୍କ କ୍ଷେତ୍ରରେ ବି ସମାନ ସମ୍ଭାବନା ରହିଛି। ୨୦୧୪ ମସିହାରେ ପାରାଆଥଲେଟ୍ ଓସ୍କାର ପିସ୍ତୋରୟସ୍ ତାଙ୍କ ବାଂଧବୀକୁ ହତ୍ୟା କରିବା ପରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ବି ଜେଲରେ ଅଛନ୍ତି। ଏ ପର୍ଯ୍ୟନ୍ତ ସେ ଜିତିଥିବା ୮ ପାରାଅଲିମ୍ପିକ୍ ପଦକ (୬ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ)କୁ ପ୍ରତ୍ୟାହାର କରିନେଇନି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି। ଅଲିମ୍ପିକ୍ ଆନ୍ଦୋଳନର ବିଭିନ୍ନ ଧାରା ତଥା ଅଧ୍ୟାୟରେ ଏଭଳି କୌଣସି ସ୍ପଷ୍ଟ ଉଲ୍ଲେଖନଥିବାରୁ ପିସ୍ତୋରିୟସଙ୍କ ଭଳି ସୁଶୀଲ ତାହାର ଫାଇଦା ପାଇପାରନ୍ତି।
ଖେଳାଳିମାନେ ଯଦି ପ୍ରତିଯୋଗିତାରେ କୌଣସି ପ୍ରକାର ଗଡ଼ବଡ଼, ବିଶୃଙ୍ଖଳା, ଦୁର୍ବ୍ୟବହାର କିମ୍ବା ନିୟମ ପ୍ରତି ଅସମ୍ମାନ କରିଛନ୍ତି ପଦକ ହରାଇବାର ଆଶଙ୍କା ଥାଏ। ଡୋପ୍ ଟେଷ୍ଟ୍ରେ ବିଫଳ ଏହା ଅନ୍ତର୍ଭୁକ୍ତ ରହିଛି। ତେବେ ଅପରାଧିକ ମାମଲାରେ ଦୋଷୀ ଖେଳାଳିଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ସୂଚନାଯୋଗ୍ୟ, ସୁଶୀଲ ଏକମାତ୍ର ଭାରତୀୟ ଭାବେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ ପଦକ ଜିତିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍ସରେ କାଂସ୍ୟ ଏବଂ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ପଦକ ହରାଇବା ସମ୍ଭାବନା ନଥିଲେ ମଧ୍ୟ ସୁଶୀଲଙ୍କୁ ମିଳିଥିବା ଜାତୀୟ ସମ୍ମାନ ଓ ପୁରସ୍କାର ପ୍ରତ୍ୟାହୃତ ହେବାର ଆଶଙ୍କା ରହିଛି। ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କଠାରୁ ପଦ୍ମଶ୍ରୀ, ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜ୍ଜୁନ ପୁରସ୍କାରକୁ ସେ ହାତଛଡ଼ା କରିବେ। ତଥାପି ଏହା କ୍ରୀଡ଼ା ବିଭାଗ ଓ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର କ୍ଷମତା ଉପରେ ନିର୍ଭର କରିବ।
୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ
କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଗିରଫ ହୋଇ ପୁଲିସ ହାଜତରେ ଥିବା ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀ ଅଜୟ ବକରୱାଲାଙ୍କୁ ନୂଆଦିଲ୍ଲୀର ରୋହିଣୀ ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ ତାଙ୍କୁ ଆଉ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ମାନ୍ୟବର ଅଦାଲତ ପୁଲିସର ଏହି ଅନୁରୋଧକୁ ଖାରଜ କରିବା ସହ ସୁଶୀଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ହତ୍ୟା ସମୟରେ ସୁଶୀଲ ପିନ୍ଧିଥିବା ପୋଷାକ ଓ ହତ୍ୟା କାଣ୍ଡରେ ଉପଯୋଗ କରିଥିବା ହତିଆର ଉଦ୍ଧାର ପାଇଁ ଆଉ ୩ ଦିନ ପାଇଁ ତାଙ୍କୁ ରିମାଣ୍ଡରେ ପଠାଯାଉ ବୋଲି ପୁଲିସ ତା ଆବେଦନ ପତ୍ରରେ ଦର୍ଶାଇଥିଲା। ସୁଶୀଲଙ୍କ ଓକିଲ ପ୍ରଦୀପ ରାଣା କିନ୍ତୁ ଏହାର ତୀବ୍ର ବିରୋଧ କରିଥିଲେ।
ପୁଲିସକୁ ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିସାରିଛି ବୋଲି ସେ କହିଥିଲେ। ଯାହାକୁ ମାନ୍ୟବର ଅଦାଲତ ମାନି ନେଇଥିଲେ। ସେପଟେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ୧୩ଜଣ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ସେଥିମଧ୍ୟରୁ ୯ ଜଣ ଗିରଫ ହୋଇ ସାରିଥିଲା ବେଳେ ୪ ଜଣ ଏବେବି ଫେରାର ଅଛନ୍ତି। ୩୮ ବର୍ଷୀୟ ସୁଶୀଲ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଗତ ୧୮ ଦିନ ହେବ ପୁଲିସ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯାଇ ଏହି ମାମଲାରେ ତଦନ୍ତ କରିଛି। ହେଲେ ସୁଶୀଲ ଫେରାର ହେଲା ବେଳେ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଉଦ୍ଧାର କରିବାରେ ବିଫଳ ହୋଇଛି। ସୂଚନାଯୋଗ୍ୟ ଯେ ଗତମାସ ୨୪ ତାରିଖରେ ସୁଶୀଲ ଗିରଫ ହେବା ପରେ ପୁଲିସ ପ୍ରଥମେ ତାଙ୍କୁ ୬ ଦିନ ଓ ପରେ ୪ ଦିନ ପାଇଁ ରିମାଣ୍ଡରେ ନେଇ ପଚାରାଉଚରା କରୁଥିଲା।
Follow Us