ଜେଲ୍‌ରେ ସୁଶୀଲଙ୍କ ‘ସ୍ବତନ୍ତ୍ର ଖାଦ୍ୟ’ ଅନୁରୋଧକୁ ଅଦାଲତଙ୍କ ଅଗ୍ରାହ୍ୟ

Advertisment
ଜେଲ୍‌ରେ ସୁଶୀଲଙ୍କ ‘ସ୍ବତନ୍ତ୍ର ଖାଦ୍ୟ’ ଅନୁରୋଧକୁ ଅଦାଲତଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଯୁବ କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଅଲିମ୍ପିକ୍ସ ପଦକ ବି‌ଜେତା ସୁଶୀଲ କୁମାର ଜେଲ୍ ଭିତରେ ସ୍ବତନ୍ତ୍ର ଖାଦ୍ୟ ଓ ଫୁଡ୍‌ ସପ୍ଲିମେଣ୍ଟ ପାଇଁ କରିଥିବା ଦାବିକୁ ଦିଲ୍ଲୀର ଏକ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଫୁଡ୍ ସପ୍ଲି‌ମେଣ୍ଟ ଓ ସ୍ବତନ୍ତ୍ର ଖାଦ୍ୟ ଅତ୍ୟାବଶ୍ୟକ ନୁହେଁ, ଏଣୁ ଏହି ଆବେଦନକୁ ଗ୍ରହଣ କରାଯାଇ ପାରିବନାହିଁ ବୋଲି ମାନ୍ୟବର ଅଦାଲତ ତାଙ୍କ ରାୟରେ କହିଥିଲେ। ଦିଲ୍ଲୀ ଜେଲ୍ ନିୟମ ୨୦୮ ଅନୁସାରେ ସୁଶୀଲଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଓ ଖାଦ୍ୟ ମିଳୁଛି।

ଏଣୁ ସ୍ବତନ୍ତ୍ର ଭାବେ ଅନ୍ୟ କୌଣସି ଜିନିଷ ପାଇଁ କହିବା ଦରକାର ନାହିଁ ବୋଲି ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସତବୀର ସିଂହ ଲାମ୍ବା ରୋକଠୋକ୍ ଭାବେ କହିଥିଲେ। ଆଇନ ଆଖିରେ ସମସ୍ତେ ସମାନ ବୋଲି ମଧ୍ୟ ଏହି ଅବସରରେ ବିଚାରପତି ଲାମ୍ବା କହିଥିଲେ। ସୂଚନାଯୋଗ୍ୟ ଯେ ଜଣେ କ୍ରୀଡ଼ାବିତ୍‌ ହୋଇଥିବାରୁ ଶରୀରର ଶକ୍ତି ଓ ସାମର୍ଥ୍ୟ ବଜାୟ ରଖିବା ଲାଗି କିଛି ସ୍ବତନ୍ତ୍ର ଖାଦ୍ୟ ପାଇଁ ତାଙ୍କୁ ଅନୁମତି ମିଳୁ ବୋଲି ସୁଶୀଲ ନିଜ ଆବେଦନ ପତ୍ରରେ ଦର୍ଶାଇଥିଲେ। ଯାହାକୁ ଜେଲ୍ ଅଧିକାରୀମାନେ ବିରୋଧ କରିଥିଲେ। ଜେଲ୍‌ର ଖାଦ୍ୟ ଖାଇବାକୁ ବାଧ୍ୟ ହେଉଥିବା ଦୁଇଟି ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କିନ୍ତୁ ବ୍ୟାୟାମ କରିବା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe