ଦୌଡ଼କୁଦର ଉଦୀୟମାନ ତାରକା ସ୍ବାଧୀନ

Advertisment

ଓଡ଼ିଶାକୁ ଦେଲେ ଜାତୀୟ ପଦକ, ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ

ଓଡ଼ିଶାକୁ ଦେଲେ ଜାତୀୟ ପଦକ, ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ

ଦୌଡ଼କୁଦର ଉଦୀୟମାନ ତାରକା ସ୍ବାଧୀନ

ଅନୁଗୁଳ : ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ୨୩ ବର୍ଷରୁ କମ୍ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ଗୋଟିଏ ପଦକ। ଉଚ୍ଚ ଡିଆଁରେ ସ୍ବାଧୀନ ମାଝୀ ୨.୦୮ ମିଟର ଡେଇଁ ଓଡ଼ିଶା ପାଇଁ କାଂସ୍ୟ ପଦକ ଜିତିଛନ୍ତି। ଆଗରୁ ଅନେକ କୃତିତ୍ବ ସହ ପଦକ ଜିତିଥିବା ସ୍ବାଧୀନଙ୍କୁ ଓଡ଼ିଶା ଦୌଡ଼କୁଦ ଦୁନିଆର ଉଦୀୟମାନ ତାରକା ଭାବେ ଗଣା ହେଲାଣି। ନୂଆଦିଲ୍ଲୀରେ ଓଡ଼ିଶା ପାଇଁ ଏକମାତ୍ର ପଦକ ଜିତିବା ପରେ ତାଙ୍କୁ ଏବେ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି। ରାଜ୍ୟ ଓ ଦେଶ ପାଇଁ ଆହୁରି ସମ୍ମାନ ଆଣିବା ପାଇଁ ସ୍ବପ୍ନ ଦେଖୁଛନ୍ତି ଏହି ଯୁବ ତାରକା।

ନୂଆଦିଲ୍ଲୀ ପ୍ରତିଯୋଗିତାରେ ଓଡ଼ିଶାରୁ ୬ ଜଣ ଭାଗ ନେଇଥିଲା ବେଳେ ଏକମାତ୍ର ଆଥଲେଟ୍ ଭାବେ ଉଚ୍ଚଡିଆଁରେ ପଦକ ପାଇଛନ୍ତି ସ୍ବାଧୀନ ମାଝୀ (୨୧)। ତାଙ୍କ ଖେଳ ଜୀବନର ମୂଳଦୁଆ ପଡ଼ିଥିଲା ୨୦୧୭ ମସିହାରେ। ଅନୁଗୁଳରେ ଯୁକ୍ତ ଦୁଇ ପଢୁଥିଲା ବେଳେ ଅନୁଗୁଳ ଷ୍ଟାଡିୟମକୁ ଖେଳାଖେଳି କରିବାକୁ ଆସୁଥିଲେ। ଏହି ସମୟରେ ଉଚ୍ଚଡିଆଁ ନେଇ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା। ମନରେ ବିଶ୍ବାସ ଜନ୍ମିଥିଲା, ସେ ଭଲ ଡେଇଁ ପାରିବେ। ରାଜ୍ୟ ତଥା ଦେଶ ପାଇଁ ଏହି ବିଭାଗରେ ପ୍ରତିନିଧିତ୍ବ କରିବାର ବି ଭରସା ବି ଥିଲା ମନରେ। ପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ପ୍ରସ୍ତୁତି। କିନ୍ତୁ ଅନୁଗୁଳରେ ଏଥିପାଇଁ ଭିତ୍ତିଭୂମି ନ ଥିଲା କି ତାଙ୍କୁ ମାର୍ଗଦର୍ଶନ ଦେବା ପାଇଁ ପ୍ରଶିକ୍ଷକ ନଥିଲେ। ପରେ ସେ ବାଧ୍ୟ ହୋଇ ୟୁଟ୍ୟୁବ୍ ଦେଖି ଏଥିନେଇ ପ୍ରସ୍ତୁତି କରିଥିଲେ। ଏଠାରୁ ବିଭିନ୍ନ କୌଶଳ ମଧ୍ୟ ଶିଖିଥିଲେ। ହେଲେ ଉଚ୍ଚଡିଆଁ ପାଇଁ ଆବଶ୍ୟକ ମ୍ୟାଟ୍‌ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ବାଲି ଉପରେ ଡେଇଁବା କଷ୍ଟକର ହେଉଥିବାରୁ ସେ ନିଜେ ମ୍ୟାଟ୍ ପ୍ରସ୍ତୁତ କରିଥିଲେ। ନିୟମିତ ଅଭ୍ୟାସ କରିବା ପରେ ତାଙ୍କୁ ଜିଲ୍ଲାସ୍ତରରେ ସୁଯୋଗ ମିଳିଥିଲା। ସେହିବର୍ଷ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ କୀର୍ତ୍ତିମାନ କରିବା ସହ ଜାତୀୟ ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ। ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇବା ପରେ ତାଙ୍କ ଖେଳ ଜୀବନ ଠିକଣା ପଥରେ ଆଗେଇ ଯାଇଥିଲା। ଏପଟେ ତାଙ୍କ ଖେଳ ପ୍ରତିଭା ଦେଖି କୋଲ୍‌କାତାର ସାଇରେ ତାଲିମ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ୨୦୧୯ ପର୍ଯ୍ୟନ୍ତ ସେଠାରେ ସେ ତାଲିମ ନେବା ପରେ ଏବେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ରହି ଅଭ୍ୟାସ ଜାରି ରଖିଛନ୍ତି। ବିଦେଶୀ ପ୍ରଶିକ୍ଷକ ଜେମସ ହିଲିଅରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେ ଏବେ ତାଲିମ ନେବା ସହ ଅଭ୍ୟାସ ଜାରି ରଖିଛନ୍ତି। ଆଗକୁ ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଥିଲା ବେଳେ ଏଥିରେ ଭଲ କରି କ୍ୟାରିୟରକୁ ଆଗକୁ ନେବାକୁ ସେ ପ୍ରସ୍ତୁତି କରୁଛନ୍ତି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ବ୍ରାହ୍ମଣବିଲି ପଞ୍ଚାୟତ କରଡ଼ାବାହାଳ ଗାଁର ଏହି ଯୁବକଙ୍କ ବାପା ଜଣେ ଶିକ୍ଷକ। ତେଣୁ ଆରମ୍ଭରୁ ଖେଳ ପ୍ରତି ସ୍ବାଧୀନଙ୍କ ନିଶାକୁ ପରିବାର ଲୋକେ ଏତେ ପସନ୍ଦ କରୁ ନଥିଲେ। କିନ୍ତୁ ପରେ ସଫଳତା ମିଳିବା ଦେଖି ଏବେ ପରିବାର ଲୋକେ ଉତ୍ସାହିତ। ଏପଟେ ନିଜେ ସ୍ବାଧୀନ ମଧ୍ୟ ଆଗକୁ ଦେଶ ଓ ରାଜ୍ୟ ପାଇଁ ଅଧିକରୁ ଅଧିକ ପଦକ ଜିତିବା ସ୍ବପ୍ନରେ ମସଗୁଲ। ନୂଆଦିଲ୍ଲୀରେ ପଦକ ଜିତିବା ପରେ ସେ ‘ସମ୍ବାଦ’କୁ କହିଛନ୍ତି ଯେ, ତାଙ୍କ ପ୍ରସ୍ତୁତି ଏବେ ଠିକଣା ପଥରେ ରହିଛି। ବିଦେଶୀ ପ୍ରଶିକ୍ଷକଙ୍କ ଅଧୀନରେ ସେ ତାଲିମ ନେଉଛନ୍ତି। ଆଗକୁ ସେ ଦେଶ ପାଇଁ ନିଶ୍ଚିତ ପଦକ ଜିତିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe