ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା: ସେମିରେ ଶ୍ବେତପର୍ଣ୍ଣା

Advertisment
ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା: ସେମିରେ ଶ୍ବେତପର୍ଣ୍ଣା

ଭୁବନେଶ୍ବର : କଟକର ଜବାହର ଲାଲ ନେହରୁ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ଓପନ୍ ସୁପର ୧୦୦ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସ୍ଥାନୀୟ ତାରକା ଶ୍ବେତପର୍ଣ୍ଣା ପଣ୍ଡାଙ୍କ ଜୟଯାତ୍ରା ଜାରି ରହିଛି। ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ଶ୍ବେତପର୍ଣ୍ଣା ଏବଂ ତାଙ୍କ ସାଥୀ ବାଳକେଶରୀ ଯାଦବ ନିଜ ଦେଶର ରାହୁଲ କୁମାର ଶାହ ଓ ରୁଦ୍ରାଣୀ ଜୟସ୍ବାଲଙ୍କୁ ୨୧-୧୨, ୨୧-୧୨ ସିଧାସଳଖ ସେଟ୍‌ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତା’ ସହ କୌଣସି ସୁପର ୧୦୦ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିବାରେ ଶ୍ବେତପର୍ଣ୍ଣା ପ୍ରଥମ ଓଡ଼ିଆ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି।

ଶୁକ୍ରବାରର ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ପୁରୁଷ ଏକକରେ ପ୍ରିୟାଂଶୁ ରାଜାୱତ ତିନି ସେଟ୍ ବିଶିଷ୍ଟ ରୋମାଞ୍ଚକର କ୍ବାର୍ଟର ଫାଇନାଲ୍ ମୁକାବିଲାରେ ମିଥୁନ ମଞ୍ଜନାଥଙ୍କୁ ୧୩-୨୧, ୨୧-୧୪, ୨୧-୮ରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ସେହିଭଳି ଶୁଭଙ୍କର ଦେ ଦେଇଥିବା କଡ଼ା ଚ୍ୟାଲେଞ୍ଜ୍‌କୁ ପ୍ରତିହତ କରି କିରଣ ଜର୍ଜ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ମହିଳା ଏକକରେ ତାନ୍ୟା ହେମନାଥଙ୍କୁ ମାଳଭିକା ବଂଶୋଦ, ଈଶିକା ଜୟସ୍ବାଲଙ୍କୁ ସ୍ମିତ୍ ତୋସନିୱାଲଙ୍କୁ ପରାସ୍ତ କରି ସେମିଫାଇନାଲ୍ ଟିକେଟ୍‌ ହାସଲ କରି ନେଇଛନ୍ତି। ଉନ୍ନତି ହୁଦା ଓ ଅସ୍ମିତା ଚାଲିହା ମଧ୍ୟ ନିଜ ନିଜ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଜିତି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଯୁଗଳରେ ଆଜି ଘଟିଥିବା ଏକ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରି ଭାରତର କୃଷ୍ଣ ପ୍ରସାଦ ଓ ବିଷ୍ଣୁ ବର୍ଦ୍ଧନଙ୍କ ଯୋଡ଼ି ନିଜ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ହାରି ଯାଇଥିଲେ। ମହିଳା ଯୁଗଳରେ କିନ୍ତୁ ତ୍ରିସା ଜୋଲି ଏବଂ ଜାତୀୟ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ତଥା ପୂର୍ବତନ ଅଲ୍ ଇଂଲଣ୍ଡ ବିଜେତା ପୁଲେଲା ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପୀଚାନ୍ଦ ସହଜରେ ନିଜ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଜିତି ସେମିଫାଇନାଲକୁ ଯାଇଛନ୍ତି। ସଂ‌ୟୋଗିତା ଘୋରପଡ଼େ-ଶ୍ରୁତି ମିଶ୍ର ମଧ୍ୟ ବିଜୟୀ ହୋଇଥିଲେ। ସଂୟୋଗିତା ଓ ଶ୍ରୁତି ସେମିଫାଇନାଲ୍‌ରେ ଭାରତର ଶ୍ରୀବିଦ୍ୟା ଜୀ ଓ ଈଶିକା ଜୟସ୍ବାଲଙ୍କୁ ଭେଟିବେ। ଶୁକ୍ରବାର ମୋଟ ୧୮ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ୭୫୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ୧୭ ଦେଶରୁ ୩୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe