ଓଡ଼ିଶା ସରକାର ଖେଳକୁ ସମର୍ଥନ କରୁଛି, ଫୁଟ୍‌ବଲ୍‌କୁ ଫଳ ମିଳୁନି: ଶ୍ୟାମ ମାଣିକ

ଓଡ଼ିଶା ସରକାର ଖେଳକୁ ସମର୍ଥନ କରୁଛି, ଫୁଟ୍‌ବଲ୍‌କୁ ଫଳ ମିଳୁନି: ଶ୍ୟାମ ମାଣିକ

ଭୁବନେଶ୍ବର : ଓଡ଼ିଶା ଫୁଟ୍‌ବଲ୍ ଦୁନିଆ ସହିତ ବିଗତ ଦୁଇ ବର୍ଷ ବିତାଇଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ପ୍ରଶିକ୍ଷକ ଶ୍ୟାମ ମାଣିକ ଲୋଧ ଗତ ଡିସେମ୍ବର ମାସରୁ ଅସବର ନେଇ ଯାଇଛନ୍ତି। ଏବେ ଏସୀୟ ଫୁଟ୍‌ବଲ୍‌ ସଂଘ (ଏଏଫସି) ଓ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ପ୍ରଶିକ୍ଷକ। ପ୍ରଶିକ୍ଷଣ ଏବଂ ତୃଣମୂଳସ୍ତରୀୟ ଫୁଟ୍‌ବଲ୍‌ ଶିକ୍ଷାରେ ବି ସକ୍ରୀୟ ଭୂମିକା ତୁଲାଉଛନ୍ତି। ଗୃହାବଦ୍ଧ ସମୟରେ 'ଆଇଡିଆଜ୍‌ ଅନ୍‌ଲିମିଟେଡ୍‌ ସ୍ପୋର୍ଟସ ମ୍ୟାନେଜମେଣ୍ଟ୍ ଗ୍ରୁପ୍‌-ଆଇୟୁଏସ୍‌ଏମ୍‌) ଜରିଆରେ ପ୍ରତି ରବିବାର ଓ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ରେ ଫେସ୍‌ବୁକ୍‌ ଲାଇଭ୍‌ରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏହା ଏପ୍ରିଲ୍‌ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇଏସଓ ୯୦୦୧ ମାନ୍ୟତା ଏହି ସଂସ୍ଥା ପକ୍ଷରୁ 'ଇନ୍ ଆଣ୍ଡ୍ ଆଉଟ୍ସ ଅଫ୍ ଗ୍ରାସରୁଟ୍‌ ଫୁଟ୍‌ବଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌' ଶୀର୍ଷକରେ ବି ବହୁ ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମ ହେଉଛି। ଏହି କାର୍ଯ୍ୟକ୍ରମ ଦେଶର ଫୁଟ୍‌ବଲ୍ ପ୍ରଶିକ୍ଷକ ଏବଂ ଭବିଷ୍ୟତର ଫୁଟ୍‌ବଲ୍‌ ତାରକାଙ୍କ ପାଇଁ ବେଶ ଫଳପ୍ରଦ ହେବ ବୋଲି ଆଶା କରିଛନ୍ତି ଶ୍ୟାମ ।

କଟକ ସାଇରେ ବିତାଇଥିବା ଅଢ଼େଇ ବର୍ଷ ମଧ୍ୟରେ ଶ୍ରୀ ମାଣିକ ମହିଳା ଫୁଟ୍‌ବଲ୍‌ର ବିକାଶ ଉପରେ କାମ କରିଥିଲେ। ଜ୍ୟୋତି କୁମାରୀ, ଇଭା ପାନ୍ନା, ସୋନି ବେହେରା, ଆରତି ସେଠୀଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ସୃ‌ଷ୍ଟି କରିଥିଲେ। ଦୀପା ନାୟକ ଏବଂ ନିକିତା ବିଶିଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କ ଭବିଷ୍ୟତ ଭଲ ବୋଲି 'ସମ୍ବାଦ' ସହ କଥା ହେବାବେଳେ ପ୍ରକାଶ କରିଥିଲେ 'ଏ' ଲାଇସେନ୍ସପ୍ରାପ୍ତ ଏଏଫ୍‌ସି ପ୍ରଶିକ୍ଷକ ଶ୍ରୀ ମାଣିକ। ଓଡ଼ିଶାର ଏକମାତ୍ର 'ଏ' ଲାଇସେନ୍ସପ୍ରାପ୍ତ ଶୁଭେନ୍ଦୁ ପଣ୍ଡାଙ୍କ ସହିତ ମମତା ସାମନ୍ତ, ସରିତା ଜୟନ୍ତୀ ବେହେରା, ପରାଶର ବାଗ, ସମୀର ନାୟକ ପ୍ରମୁଖ ଭଲ ପ୍ରଶିକ୍ଷକ ବୋଲି ସେ କହିଥିଲେ। ଏଆଇଏଫଏଫ୍‌ ଏବଂ ଏଏଫ୍‌ସି ଇନ୍‌ଷ୍ଟ୍ରକ୍ଟରଭାବେ କାମ କରୁଥିବା ଶ୍ରୀ ମାଣିକଙ୍କ ବିଶ୍ବାସ ଭାରତୀୟ ଫୁଟ୍‌ବଲ୍‌ ନିଶ୍ଚିତ ଆଗକୁ ଯିବ। ଭଲ ଆରମ୍ଭ କିମ୍ବା ଭଲ ମୂଳଦୁଆ ପଡିନଥିଲେ ଯେଭଳି ଛାତଘର ବଢ଼ିପାରେ ନାହିଁ, କି ବିଦ୍ୟାଳୟରେ ଭଲ ପଢ଼ିନଥିଲେ କଲେଜରେ ସଫଳତା ମିଳିନଥାଏ ସେଭଳି ଫୁଟବଲ୍‌ରେ ବି ହୋଇଥାଏ। ବିଶ୍ବକପ୍‌ କିମ୍ବା ଅଲିମ୍ପିକ୍ସ ପର୍ଯ୍ୟନ୍ତ ଯିବାକୁ ହେଲେ ଆମକୁ ନିଜ ଖେଳର ପରବର୍ତୀ ସ୍ତରକୁ ଯିବାକୁ ପଡ଼ିବ। ଏହା ନିଶ୍ଚିତ ବଡ଼ ଆହ୍ବାନ। ପ୍ରଥମେ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଅପରିହାର୍ଯ୍ୟ ବୋଲି ମାଣିକ ପ୍ରକାଶ କରିଥିଲେ।

ଓଡ଼ିଶାରେ ବିତିଥିବା ମୋ ଦୁଇ ବର୍ଷ ଭିତରେ ମୁଁ ଦେଖିଛି ରାଜ୍ୟ ସରକାର ଖେଳକୁ ଭାରି ସମର୍ଥନ କରୁଛନ୍ତି। ଫୁଟ୍‌ବଲ୍‌କୁ ଏହାର ଫାଇଦା କମ୍ ମିଳୁଛି। ଫୁଟ୍‌ବଲ୍‌ର ବିକାଶ ପ୍ରତି ବିଶେଷ ଧ୍ୟାନ ନାହିଁ। ମହିଳା ଫୁଟ୍‌ବଲ୍‌ରେ ଭଲ ପ୍ରତିଭା ରହିଛନ୍ତି କିନ୍ତୁ ପୁରୁଷଙ୍କ ପାଇଁ ବର୍ଷ ତମାମ ପ୍ରତିଯୋଗିତା ନଥିବାରୁ ଏଭଳି ପ୍ରଭେଦ ରହିଛି। କ୍ରୀଡ଼ା ଛାତ୍ରାବାସରୁ ପିଲମାନେ ବାହାରିବା ପରେ ଆଉ ସେମାନଙ୍କ କଥା କେହି ବୁଝୁନଥିବାରୁ ଏଭଳି ହେଉଛି। ଝିଅ ଓ ପୁଅଙ୍କ କଥା ସଠିକ ପରିଚାଳନା କରାଗଲେ ଓଡ଼ିଶା ଫୁଟ୍‌ବଲ୍ ଆଗକୁ ବଢ଼ିପାରିବ। ଫାଓ (ଫୁଟ୍‌ବଲ୍ ଆସୋସିଏସନ୍‌ ଅଫ୍‌ ଓଡ଼ିଶା) ଭଲ କାମ କରୁଛି କିନ୍ତୁ ସାମଗ୍ରିକ ବିକାଶ ପ୍ରତି ଅଦୌ ଧ୍ୟାନ ଦେଉନାହିଁ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe