ସୟଦ ମୁସ୍ତାକ ଅଲୀ ଟ୍ରଫି: ଶାହରୁଖଙ୍କ ‌ଶେଷ ବଲ୍‌ ଛକାରେ ତାମିଲନାଡ଼ୁ ବିଜେତା

Advertisment
ସୟଦ ମୁସ୍ତାକ ଅଲୀ ଟ୍ରଫି: ଶାହରୁଖଙ୍କ ‌ଶେଷ ବଲ୍‌ ଛକାରେ ତାମିଲନାଡ଼ୁ ବିଜେତା

ନୂଆଦିଲ୍ଲୀ: ଶାହରୁଖ ଖାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ସାଇ କିଶୋରଙ୍କ ଚମତ୍କାର ବୋଲିଂ ବଳରେ ତାମିଲନାଡ଼ୁ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି ବଜାୟ ରଖିବାକୁ ସକ୍ଷମ ହୋଇଛି। ସୋମବାର ନୂଆଦିଲ୍ଲୀର ଫିରୋଜ ସାହ କୋଟ୍‌ଲାରେ ଖେଳାଯାଇଥିବା ଫାଇନାଲ୍‌ରେ ତାମିଲନାଡ଼ୁ ୪ ୱିକେଟ୍‌ରେ କର୍ଣ୍ଣାଟକକୁ ପରାସ୍ତ କରିଛି। ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ତାମିଲନାଡ଼ୁକୁ ଶେଷ ଓଭରରେ ଜିତିବା ଲାଗି ୧୬ ରନ୍‌ ଏବଂ ଶେଷ ବଲ୍‌ରେ ୫ ରନ୍‌ ଆବଶ୍ୟକ ଥିଲା। ଶେଷ ବଲ୍‌ରେ ବାମହାତୀ ଦ୍ରୁତ ବୋଲର ପ୍ରତୀକ ଜୈନଙ୍କୁ ସ୍କୋୟାର ଲେଗ୍‌ ଉପରେ ଛକା ମାରି ଶାହରୁଖ ଖାନ୍‌ ତାମିଲନାଡ଼ୁକୁ ବିଜୟ ଭେଟି ଦେଇଥିଲେ।

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ କରିଥିବା କର୍ଣ୍ଣାଟକ ସାଇ ‌କିଶୋର (୪-୦-୧୨-୩)ଙ୍କ ଘାତକ ବୋଲିଂ ସାମ୍ନା କରିନପାରି ୭ ୱିକେଟ୍‌ ବିନିମୟରେ ୧୫୧ ରନ୍‌ କରିଥିଲା। ସାଇ ନିଜର ପ୍ରଥମ ବଲ୍‌ରେ ରୋହନ କଦମ (୦)ଙ୍କୁ ଆଉଟ୍‌ କରି କର୍ଣ୍ଣାଟକକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ଏହାପରେ ଅଧିନାୟକ ମନୀଷ ପାଣ୍ଡେ (୧୩), କରୁଣ ନାୟାର (୧୮) ଓ ଶରତ (୧୬) କିଛି ରନ୍‌ ଯୋଡ଼ି ଥିଲେ ମଧ୍ୟ ବଡ଼ ସ୍କୋର୍‌ କରିବାକୁ ବିଫଳ ହୋଇଥିଲେ। ଅଭିନବ ମନୋହର ୪୬, ପ୍ରବୀଣ ଦୁବେ ୩୩ ଏବଂ ଜେ ସୁଚିତ ବିସ୍ଫୋରକ ବ୍ୟାଟିଂ କରିବାକୁ ଦଳୀୟ ସ୍କୋର୍‌ ଦେଢ଼ ଶହ ଟପିପାରିଥିଲା। ଜବାବରେ ହରି ନିଶାନ୍ତ (୨୩) ଓ ଏନ୍‌ ଜଗଦୀଶାନ (୪୧) ତାମିଲନାଡ଼ୁ ପାଇଁ ଭଲ ଆରମ୍ଭ କରିଥିଲେ। ଭାଗ ବ୍ୟାଟର୍‌ ଅଧିକ ସମୟ ତିଷ୍ଟି ନପାରିବାରୁ ୨୮ ବଲ୍‌ରେ ତାମିଲନାଡ଼ୁ ପାଇଁ ୫୭ ରନ୍‌ ଆବଶ୍ୟକ ରହିଥିଲା। ୧୬ତମ ଓଭରରେ ବ୍ୟାଟିଂକୁ ଆସିଥିବା ଶାହରୁଖ ୧୭ତମ ଓଭରର ଏମ୍‌ବି ଦର୍ଶନଙ୍କୁ ତୃତୀୟ ଓ ଚତୁର୍ଥ ବଲ୍‌ରେ ଛକା ଓ ଚୌକା ମାରିଥିଲେ। ଏହି ଓଭରରେ ତାମିଲନାଡୁକୁ ୧୯ ରନ୍‌ ମିଳିଥିଲା। ଏହା ପର ଓଭରରେ ମାତ୍ର ୬ ରନ୍‌ ମିଳିବାରୁ ୧୨ ବଲ୍‌ରେ ୩୦ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ୧୯ତମ ଓଭରର ଶେଷ ବଲ୍‌ରେ ଶାହରୁଖ ଛକା ମାରିବାରୁ ଏହି ଓଭରରେ ୧୪ ରନ୍‌ ମିଳିଥିଲା ଏବଂ ଶେ‌ଷ ଓଭରରେ ବିଜୟ ଲାଗି ୧୬ ରନ୍‌ ରହିଥିଲା। ସାଇକିଶୋର ପ୍ରଥମ ବଲ୍‌ରେ ଚୌକା ମାରିଥିଲେ। ବିଜୟ ବ୍ୟବଧାନ କମାଇଥିଲେ। ପରବର୍ତ୍ତୀ ୪ ବଲ୍‌ରୁ କିନ୍ତୁ ୭ ରନ୍‌ ମିଳିଥିଲା। ଫଳରେ ଶେଷ ବଲ୍‌ରେ ବିଜୟ ଲାଗି ୫ ରନ୍‌ ରହିଥିଲା। ଏହାକୁ ଛକା ମାରି ବିଜୟ ଭେଟି ଦେଇଥିବା ଶାହରୁଖ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: କର୍ଣ୍ଣାଟକ ୨୦ ଓଭରରେ ୧୫୧/୭ (ଅଭିନବ ମନୋହର ୪୬, ପ୍ରବୀଣ ଦୁବେ ୩୩, ସାଇ‌ କିଶୋର ୩/୧୨)। ତାମିଲନାଡ଼ୁ ୨୦ ଓଭରରେ ୧୫୩/୬ (ଏନ୍‌ ଜଗଦୀଶ ୪୧, ଶାହରୁଖ ଖାନ ୩୩*, କେସି କାରିଆପ୍ପା‌ ୨/୨୩)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe