ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ଟ୍ରଫି, ବେଙ୍ଗଲକୁ ଆଜି ଭେଟିବ ଓଡ଼ିଶା

Advertisment
ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ଟ୍ରଫି, ବେଙ୍ଗଲକୁ ଆଜି ଭେଟିବ ଓଡ଼ିଶା

କଟକ: କୋଭିଡ୍‌ କଟକଣା ଭିତରେ ବିସିସିଆଇର ପ୍ରଥମ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ ରବିବାରଠୁ ଆରମ୍ଭ ହେଉଛି। ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିଲା ବେଳେ ପ୍ରଥମ ମୁକାବିଲାରେ ଘରୋଇ ବେଙ୍ଗଲକୁ ଭେଟିବ। କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟ ପଡ଼ିଆରେ ଅପରାହ୍ନ ୧୨ଟା ବେଳେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରତିଯୋଗିତା ପୂର୍ବରୁ ଓଡ଼ିଶାକୁ ମାତ୍ର ଦୁଇଦିନ ଅଭ୍ୟାସ ପାଇଁ ସୁଯୋଗ ମିଳିଥିବାରୁ ପ୍ରଥମ ମ୍ୟାଚ୍‌ ଆହ୍ବାନ ଭରା ରହିବ। ଏଥିସହିତ ୨୦ ଜଣିଆ ଦଳରେ ୯ ଜଣ ନୂଆ ଖେଳାଳି ସ୍ଥାନ ପାଇଥିବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ହୋଇପାରେ।

ପ୍ରତିଯୋଗିତା ପୂର୍ବରୁ ଓଡ଼ିଶା ଖେଳାଳିମାନେ କେବଳ ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌ ଖେଳିବା ଅଭ୍ୟାସ ରଖିଛନ୍ତି। ଏହାବାଦ୍‌ ଅନ୍ୟ କୌଣସି ପେସାଦାର ମ୍ୟାଚ୍‌ ଖେଳିନଥିବାରୁ ବେଙ୍ଗଲ ସହିତ ପ୍ରତିଦ୍ବନ୍ଦ୍ବିତା ଏତେ ସହଜ ହେବନି। ତଥାପି ଦଳର ଚୟନ ପରଠୁ କିଟ୍‌ରେ ଯେତିକି ଦିନ ଅଭ୍ୟାସ କରାଯାଇଛି ତାହା ହିଁ କେବଳ ଓଡ଼ିଶାର ଶକ୍ତି ହୋଇରହିବ। ବେଙ୍ଗଲରେ ପହଞ୍ଚିବା ପରଠୁ ୭ ତାରିଖ ପର୍ଯ୍ୟନ୍ତ ସମ‌ସ୍ତେ ସଙ୍ଗରୋଧରେ ରହିଥିଲେ। ଶୁଭ୍ରା˚ଶୁ ସେନାପତିଙ୍କ ନେତୃତ୍ବାଧୀନ ଓଡ଼ିଶା ଦଳରେ ଗୌରବ ଚୌଧୁରୀ, ସୁକେଶ ହୀରା, ଅଙ୍କିତକର ଜୈସ୍ବାଲ, ପ୍ରବୀଣ ଲୁହା, ଆଶିଷ ରାଏ, ସୁନୀଲ ରାଉଳ, ଆଦିତ୍ୟ ରାଉତ, ଵାଲଟର ଟପ୍ପୋ, ତାରିଣୀ ସ’ ପ୍ରଥମ ଥର ସ୍ଥାନ ପାଇଛନ୍ତି। ଅନ୍ତଃଜିଲ୍ଲା ପ୍ରତିଯୋଗିତାର ପ୍ରଦର୍ଶନକୁ ଆଧାର କରି ଏମାନେ ଦଳରେ ସୁଯୋଗ ପାଇଛନ୍ତି। ତେବେ ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଶାନ୍ତନୁ ମିଶ୍ର, ରାଜେଶ ଧୂପର, ସୂର୍ଯ୍ୟକାନ୍ତ ପ୍ରଧାନ, ପପୁ ରାଏଙ୍କ ନିକଟରେ ଅଧିକ ଘରୋଇ ମ୍ୟାଚ୍‌ ଖେଳିବା ଅଭିଜ୍ଞତା ରହିଛି। ତେଣୁ ବରିଷ୍ଠମାନେ ମ୍ୟାଚ୍‌ର ଭାର ନିଜ କାନ୍ଧରେ ରଖିବାକୁ ହେବ।

ଅନ୍ୟପକ୍ଷରେ ଓଡ଼ିଶା ସମ୍ମୁଖରେ ବେଙ୍ଗଲର ନୂଆ ଅଧିନାୟକ ଅନୁସ୍ତୁପ ମଜୁମଦାର, ଶ୍ରୀବତ୍ସ ଗୋସ୍ବାମୀ, ଈଶାନ ପୋରେଲ, ମନୋଜ ତିଵାରୀ ସବୁଠୁ ବଡ଼ ଆହ୍ବାନ ହେବେ। ଏପରିକି ବେଙ୍ଗଲକୁ ମଧ୍ୟ ହାଲ୍‌କା ଭାବେ ନେବା ବୋକାମି ହୋଇପାରେ। କାରଣ ପ୍ରତିଯୋଗିତା ପୂର୍ବରୁ ବେଙ୍ଗଲ ଟ୍ବେଣ୍ଟି-୨୦ ଲିଗ୍‌ରେ ସବୁ ଖେଳାଳି ପର୍ଯ୍ୟାପ୍ତ ମ୍ୟାଚ୍‌ ଖେଳିସାରିଛନ୍ତି। ତେଣୁ ସେମାନେ ଏବେ ଲୟରେ ଅଛନ୍ତି। ଗତ ସ˚ସ୍କରଣଠୁ ଶାହାବାଜ ନଦିମ ଚମତ୍କାର ଫର୍ମରେ ଥିବାବେଳେ ବେଙ୍ଗଲ ଟ୍ବେଣ୍ଟି-୨୦ ଲିଗ୍‌ରେ ମଧ୍ୟ ଉତ୍କୃଷ୍ଟମାନର ପ୍ରଦର୍ଶନ ଦେଇଛନ୍ତି। ଅର୍ଣ୍ଣବ ନନ୍ଦୀ, ଋିତ୍ବିକ ଚାଟାର୍ଜୀ, ମହମ୍ମଦ କୈଫ ମଧ୍ୟ ସଫଳ ପ୍ରଦର୍ଶନ କରି ରାଜ୍ୟ ଦଳକୁ ଆସିପାରିଛନ୍ତି। ଗତବର୍ଷ ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ରେ ଯେପରି ବେଙ୍ଗଲକୁ ଓଡ଼ିଶା ବୋଲରମାନେ ଆରମ୍ଭରୁ ଅସୁବିଧାରେ ପକାଇଥିଲେ, ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ହାଲ୍‌କାରେ ନନେବାକୁ ବେଙ୍ଗଲ ପ୍ରଶିକ୍ଷକ ଅରୁଣ ଲାଲ ସବୁ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ଗୌରବ ଚୌଧୁରୀ, ପ୍ରତୀକ ଦାସ, ରାଜେଶ ଧୂପର, ସୁକେଶ ହୀରା, ଅଙ୍କିତକର ଜୈସ୍ବାଲ, ପ୍ରବୀଣ ଲୁହା, ସର୍ବେଶ୍ବର ମହାନ୍ତି, ପପୁ ରାଏ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ଆଶିଷ ରାଏ, ରାଜେଶ ମହାନ୍ତି, ଆଦିତ୍ୟ ରାଉତ, ସୁନୀଲ ରାଉଳ, ବିପ୍ଲବ ସାମନ୍ତରାୟ, ଶାନ୍ତନୁ ମିଶ୍ର, ତାରିଣୀ ସ’, ଵାଲ୍‌ଟର ଟପ୍ପୋ, ଅଙ୍କିତ ଯାଦବ।
ବେଙ୍ଗଲ ଦଳ: ଅନୁସ୍ତୁପ ମଜୁମଦାର (ଅଧିନାୟକ), ଆକାଶଦୀପ, ଅରିତ୍ର ଚାଟାର୍ଜୀ, ସୁଦୀପ ଚାଟାର୍ଜୀ, ଋିତିକ ଚାଟାର୍ଜୀ, ଅଭିଷେକ ଦାସ, ଅଭିମନ୍ୟୁ ଈଶ୍ବରନ୍‌, ଶ୍ରୀବସ୍ଥ ଗୋସ୍ବାମୀ, କୈଫ ଅହମ୍ମଦ, ମହମ୍ମଦ କୈଫ, ମୁକେଶ କୁମାର, ଅର୍ଣ୍ଣବ ନନ୍ଦୀ, ଈଶାନ ପୋରେଲ, ରବିକାନ୍ତ ସି˚ହ, ପ୍ରୟାସ ରାଏ ବର୍ମନ, ରିତ୍ବିକ ରଏ ଚୌଧୁରୀ, ଶାହାବାଜ ଅହମ୍ମଦ, ମନୋଜ ତିଵାରୀ, ବିବେକ ସି˚ହ, ସୁଜିତ ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe