ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ବିଦର୍ଭ ବୋଲର ଅକ୍ଷୟଙ୍କ ଟି-୨୦ ବିଶ୍ବ କୀର୍ତ୍ତିମାନ

Advertisment

୪ ଓଭର-୪ ମେଡନ୍‌ ପରଦିନ ହ୍ୟାଟ୍ରିକ୍‌

୪ ଓଭର-୪ ମେଡନ୍‌ ପରଦିନ ହ୍ୟାଟ୍ରିକ୍‌

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ବିଦର୍ଭ ବୋଲର ଅକ୍ଷୟଙ୍କ ଟି-୨୦ ବିଶ୍ବ କୀର୍ତ୍ତିମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ଚଳିତ ଘରୋଇ ଟି-୨୦ ପ୍ରତିଯୋଗିତା ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ଅବସରରେ ବିଦର୍ଭ ବୋଲର ଅକ୍ଷୟ କର୍ନେୱାର ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଲଗାତାର ଦୁଇଟି ମ୍ୟାଚ୍‌ରେ ସବୁଠୁ କଞ୍ଜୁସ (ଇକୋନୋମିକାଲ) ବୋଲିଂ ଚିତ୍ର ଏବଂ ହ୍ୟାଟ୍ରିକ୍‌ ଅର୍ଜନ କରିବାରେ ଏହି ୨୯ ବର୍ଷ ବୟସ୍କ ବୋଲର ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଛନ୍ତି। ସୋମବାର ମଣିପୁର ବିପକ୍ଷ ମ୍ୟାଚ୍‌ରେ ଅକ୍ଷୟ ନିଜର ୪ ଓଭର କୋଟା ବୋଲିଂ କରିଥିଲା ବେଳେ ସବୁତକ ମେଡେନ୍‌ ନେଇଥିଲେ। ସେ ୪ ଓଭର ବୋଲିଂରେ ଗୋଟିଏ ବି ରନ୍‌ ବ୍ୟୟ କରିନଥିଲେ। ବରଂ ୨ ୱିକେଟ୍‌ ଦଖଲ କରିଥିଲେ। ତାଙ୍କ ବୋଲିଂ ଚିତ୍ର ଥିଲା ଏହିପରି ୪-୪-୦-୨। ଏକ୍ଷେତ୍ରରେ ଅକ୍ଷୟ ମଧ୍ୟ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଇର୍ଫାନ୍‌ଙ୍କ କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ଇର୍ଫାନ୍‌ ପ୍ରଥମ ଖେଳାଳି ଭାବେ ପୁରୁଷ ଟି-୨୦ କ୍ରିକେଟ୍‌‌ରେ ୪ ଓଭର ବୋଲିଂ କରି ୪ ମେଡେନ୍‌ ପାଇଥିଲେ।

ଆଉ ଅକ୍ଷୟଙ୍କ କୀର୍ତ୍ତିମାନଭରା ବୋଲିଂ ବଳରେ ବିଦର୍ଭ ମଧ୍ୟ ସେହି ମ୍ୟାଚ୍‌ରେ ମଣିପୁରକୁ ୧୬୭ ରନ୍‌ରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବିଦର୍ଭ ୨୨୨ ରନ୍‌ କରିବା ପରେ ମଣିପୁର ପାଳିକୁ ୫୫ରେ ସଫା କରିଦେଇଥିଲା। ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫିରେ ରନ୍‌ ବ୍ୟବଧାନରେ ମଧ୍ୟ ଏହା ଥିଲା ଦ୍ବିତୀୟ ସର୍ବୋଚ୍ଚ ବିଜୟ। ବିଦର୍ଭ ପ୍ଲେଟ୍‌ ଗ୍ରୁପ୍‌ରେ ୧୬ ପଏଣ୍ଟ ସହ ପ୍ରଥମ ସ୍ଥାନର ରହିଛି। ଯାହାକି ନାଗାଲାଣ୍ଡ୍‌, ତ୍ରିପୁରା ଓ ମେଘାଳୟଠାରୁ ୪ ପଏଣ୍ଟ୍‌ ଅଧିକ।

ଅକ୍ଷୟଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ମଧ୍ୟ ସେହିଠାରେ ହିଁ ଅଟକିନଥିଲା। ସୋମବାର ମଣିପୁର ବିପକ୍ଷ ମ୍ୟାଚ୍‌ର ପରଦିନ ଅର୍ଥାତ୍‌ ମଙ୍ଗଳବାର ସେ ସିକ୍କିମ ବିପକ୍ଷ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଏହି ମ୍ୟାଚ୍‌ରେ ଅକ୍ଷୟଙ୍କ ବୋଲିଂ ଚିତ୍ର ଥିଲା ୪-୧-୫-୪। ସେ କୋଡାଣ୍ଡା ଅଜିତ କାର୍ତିକ, ଅଧିନାୟକ କ୍ରାନ୍ତି କୁମାର ଏବଂ ୱିକେଟ୍‌ରକ୍ଷକ ଆଶିଷ ଥାପାଙ୍କୁ ଲଗାତାର ବଲ୍‌ରେ ଆଉଟ୍‌ କରି ହ୍ୟାଟ୍ରିକ୍‌ ମାଇଲଖୁଣ୍ଟ ଛୁଇଁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe