ଅହମଦାବାଦ: ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ସୁପର-୮କୁ ଯାଇଥିଲା ଭାରତ। ଏବେ କିନ୍ତୁ ସେମିଫାଇନାଲ୍ ଦୌଡ଼ରୁ ଦାଦ୍ ପଡ଼ିବାର ଦ୍ବାର ଦେଶରେ ପହଞ୍ଚି ଯାଇଛି। ସୁପର-୮ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ର ବଡ଼ ବ୍ୟବଧାନରେ ହାରିବା ଏବେ ଭାରତୀୟ ଦଳ ପାଇଁ ତା’ ବିଶ୍ବକପ୍ ଅଭିଯାନର ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଏପରିକି ପରବର୍ତ୍ତୀ ଦୁଇଟି ମ୍ୟାଚ୍କୁ ଜିତିଲେ ମଧ୍ୟ ଅତ୍ୟନ୍ତ ଖରାପ ରନ୍ ରେଟ୍ (-୩.୮) ପାଇଁ ସୂର୍ଯ୍ୟଙ୍କ ସେନା ସେମିଫାଇନାଲ୍କୁ ଯାଇ ନପାରେ। ବିଶେଷଜ୍ଞ ଓ ପରିସଂଖ୍ୟାନବିତ୍ଙ୍କ ମତରେ ଭାରତ ସେମିଫାଇନାଲ୍କୁ ଯିବାର ଏବେ ମାତ୍ର ୩୦ ପ୍ରତିଶତ ସମ୍ଭାବନା ରହିଛି।
/filters:format(webp)/sambad/media/media_files/2026/02/24/sfhhfsfsh-2026-02-24-01-20-07.jpg)
ସଂଖ୍ୟା ଖେଳ ଅନୁସାରେ ଭାରତ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିଲେ ୪ ପଏଣ୍ଟ୍ରେ ରହିବ। ଦକ୍ଷିଣ ଆଫ୍ରିକା ତା’ର ତିନିଟି ସୁପର-୮ ମୁକାବିଲାରୁ କୌଣସି ଗୋଟିଏ ହାରିଲେ ସେହି ୪ ପଏଣ୍ଟ୍ ପାଇବ। ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ମଧ୍ୟ ୪ ପଏଣ୍ଟ୍ ଅର୍ଜନ କରିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ନେଟ୍ ରନ୍ ରେଟ୍ରେ ଢେର ପଛୁଆ ଥିବାରୁ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହି ସୁପର-୮ ପର୍ଯ୍ୟାୟରୁ ହିଁ ବାଦ୍ ପଡ଼ିବ। ବିଶେଷଜ୍ଞଙ୍କ ମତରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲେ ମଧ୍ୟ ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନେବାର ଥିଲା। ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ହୁଏତ ଭାରତୀୟ ଦଳର ରନ୍ ରେଟ୍ ଆଉ ଟିକିଏ ଭଲ ହୋଇ ପାରିଥା’ନ୍ତା। ଏବେକାର ସ୍ଥିତିରେ ଭାରତର ସେମିଫାଇନାଲ୍ ପ୍ରବେଶ ଆଉ କେବଳ ତା’ର ନିଜସ୍ବ ପ୍ରଦର୍ଶନ ଉପରେ ନିର୍ଭରଶୀଳ ନୁହେଁ। ଅନ୍ୟ ଦଳଗୁଡ଼ିକର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ହେବ। ବିଶେଷ କରି ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ ପରବର୍ତ୍ତୀ ସମୟରେ ଖରାପ କ୍ରିକେଟ୍ ଖେଳନ୍ତୁ ବୋଲି ଭାରତୀୟ ଖେଳାଳିଙ୍କୁ ମନାସିବାକୁ ପଡ଼ିବ। କାରଣ ଯଦି ଦକ୍ଷିଣ ଆଫ୍ରିକା ତା’ର ତିନିଟି ଯାକ ସୁପର-୮ ମ୍ୟାଚ୍ ଜିତିନିଏ, ତାହେଲେ ଭାରତକୁ ଗ୍ରୁପ୍-୧ର ଦ୍ବିତୀୟ ସେମିଫାଇନାଲ୍ ସ୍ଥାନ ଲାଗି ଏହି ଦୁଇ ଦଳ ସହ ପ୍ରତିଦ୍ବନ୍ଦ୍ବିତା କରିବ।
ସଞ୍ଜୁ ସାମିଲ ହେବେ!
ସୁପର-୮ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତର ଶୋଚନୀୟ ପରାଜୟ ପରେ ଭାରତୀୟ ଦଳ ପାଇଁ ପରବର୍ତ୍ତି ଦୁଇଟି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଦଳରେ କେତେକ ପରିବର୍ତ୍ତନ କରାଯାଇପାରେ ବୋଲି ସଂକେତ ଦେଇଛନ୍ତି ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍ ଡଶ୍ଚେଟ୍। ବିଶେଷକରି ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯିବା ଲାଗି ବିଚାର କରାଯାଉଛି ବୋଲି ସେ କହିଛନ୍ତି। ତେବେ କାହା ବଦଳରେ ତାଙ୍କୁ ସାମିଲ କରାଯିବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି। ରିୟାନ୍ କହିଛନ୍ତି ଯେ ଚଳିତ ବିଶ୍ବକପ୍ରେ ଭାରତର ଶୀର୍ଷକ୍ରମ ବ୍ୟାଟର୍ ଏକ ଭଲ ମୂଳଦୁଆ ସ୍ଥାପନ କରିବାରେ ବିଫଳ ହୋଇଛି। ଅଧିକାଂଶ ଥର ପ୍ରଥମ ୱିକେଟ୍ ଯୋଡ଼ିରେ ଶୂନ କିମ୍ବା ୧-୨ ରନ୍ ହୋଇଛି। ପ୍ରତ୍ୟେକ ଥର ବିପକ୍ଷ ଦଳ ଜଣେ କାମଚଳା ଅଫ୍-ସ୍ପିନରଙ୍କ ମାଧ୍ୟମରେ ଭାରତୀୟ ଓପନିଂ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏହି କାମ କରିଦେଇଥିଲେ। ଏହି କାରଣରୁ ସୂର୍ଯ୍ୟକୁମାର ଓ ତିଳକ ବର୍ମାଙ୍କ ଉପରେ ମୂଳରୁ ହିଁ ଚାପ ରହୁଛି। ଜଣେ ବ୍ୟାଟର୍ ଯିଏକି ଗତ ୧୮ ମାସ ହେଲା ଭଲ ପ୍ରଦର୍ଶନ କରୁଛନ୍ତି, ମାତ୍ର ଗତ କେତୋଟି ମ୍ୟାଚ୍ରେ ବିଫଳ ହେଉଛନ୍ତି, ତାଙ୍କୁ ପୁଣି ଥରେ ସୁଯୋଗ ଦିଆଯିବ କିମ୍ବା ଓପନିଂରେ ବାମହାତୀ-ଡାହାଣହାତୀ ଯୋଡ଼ି ଲାଗି ସଞ୍ଜୁ ସାମସନଙ୍କୁ ଅଣାଯିବ? ଏ ସମ୍ପର୍କରେ ଆସନ୍ତା କିଛିଦିନରେ ଦଳରେ ବିଚାର କରାଯିବ ବୋଲି ସେ ସଂକେତ ଦେଇଛନ୍ତି। ତେବେ ଦଳରେ ରିଙ୍କୁ ସିଂଙ୍କୁ ସାମିଲ କରାଯିବା ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/20/t20-world-cup-2026-02-20-15-53-59.jpg)