ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଆୟର୍ଲାଣ୍ଡ୍‌ଠୁ ହାରିଲା ଇଂଲଣ୍ଡ

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଆୟର୍ଲାଣ୍ଡ୍‌ଠୁ ହାରିଲା ଇଂଲଣ୍ଡ

ମେଲ୍‌ବର୍ଣ୍ଣ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ ବୁଧବାର ଆୟର୍ଲାଣ୍ଡ୍‌ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରଥମ ରାଉଣ୍ଡ୍‌ରେ ଦୁଇ ଥର ବିଜେତା ୱେଷ୍ଟ୍‌ଇଣ୍ଡିଜ୍‌କୁ ବିଦା କରିଥିବା ଏହି ଦଳ ସୁପର-୧୨ରେ ୨୦୧୦ ବିଜେତା ଇଂଲଣ୍ଡକୁ ପରାସ୍ତ କରିଦେଇଛି। ଗ୍ରୁପ୍‌-୧ରେ ନିଜର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ନିକଟରୁ ୯ ୱିକେଟ୍‌ରେ ହାରିଯାଇଥିବା ଆୟର୍ଲାଣ୍ଡ୍‌ ବୁଧବାର ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୫ ରନ୍‌ (ଡିଏଲ୍‌ଏସ୍‌)ରେ ପରାସ୍ତ କରିଛି। ଫଳରେ ୧୨ ବର୍ଷ ପରେ ନିଜର ଦ୍ବିତୀୟ ବିଶ୍ବକପ୍‌ ବିଜୟ ଆଶା ବାନ୍ଧିଥିବା‌ ଇଂଲଣ୍ଡକୁ ଶକ୍ତ ଝଟ୍‌କା ଲାଗିଛି। ଏହି ମ୍ୟାଚ୍‌ ପୂର୍ବରୁ ଆୟର୍ଲାଣ୍ଡ୍‌ ମଧ୍ୟ ୨୦୧୧ରେ ଭାରତରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବେଙ୍ଗାଲୁରୁ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏବେ ପୁଣି ଇଂଲଣ୍ଡକୁ ପରାସ୍ତ କରିଥିବାରୁ ଦୁଇଟିଯାକ ବିଜୟକୁ ଆୟର୍ଲାଣ୍ଡ୍‌ ଦୀର୍ଘ ବର୍ଷ ଧରି ମନେରଖିବ। ଇଂଲଣ୍ଡ ବିପକ୍ଷରେ ଦମ୍‌ଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଆୟର୍ଲାଣ୍ଡ୍‌ ଅଧିନାୟକ ଆଣ୍ଡ୍ରିଉ ବଲ୍‌ବିର୍ନି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆୟର୍ଲାଣ୍ଡ୍‌ର ଏହି ବିଜୟ ପରେ ଗ୍ରୁପ୍‌-୧ରେ ସେମିଫା‌ଇନାଲ୍‌ ରାସ୍ତା ଉନ୍ମୁକ୍ତ ହୋଇଯାଇଛି। କାରଣ ପ୍ରତି ଦଳ ୨ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ନ୍ୟୁଜିଲାଣ୍ଡ ୩ ଏବଂ ଶ୍ରୀଲଙ୍କା, ଇଂଲଣ୍ଡ, ଆୟର୍ଲାଣ୍ଡ୍‌ ଓ ଅଷ୍ଟ୍ରେଲିଆ ସମାନ ୨ ପଏଣ୍ଟ ଲେଖାଏଁ ପାଇଛନ୍ତି। କେବଳ ଆଫ୍‌ଗାନିସ୍ତାନ ଗୋଟିଏ ମ୍ୟାଚ୍‌ ହାରିଥିଲା ବେଳେ ଅନ୍ୟଟି ବର୍ଷା ଧୋଇନେବାରୁ ୧ ପଏଣ୍ଟ ପାଇଛି।

ବୁଧବାର ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲିଆମ ଲିଭିଙ୍ଗଷ୍ଟୋନ୍‌ (୩/୧୭), ମାର୍କ ଉଡ୍‌ (୩/୩୪), ସାମ୍‌ କରନ (୨/୩୧) ଓ ବେନ୍‌ ‌ଷ୍ଟୋକ୍ସ (୧/୮) ବଢ଼ିଆ ବୋଲିଂ କରିଥିଲେ। ହେଲେ ପଲ୍‌ ଷ୍ଟିର୍ଲିଂ (୧୪), ବଲ୍‌ବିର୍ନି (୬୨, ୪୭ ବଲ୍‌, ୫ ଚୌକା, ୨ ଛକା) ଓ ଲୋର୍କାନ ଟକେର (୩୪, ୨୭ ବଲ୍‌ ୩ ଚୌକା, ୧ ଛକା)ଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ପ୍ରଥମ ୧୦ ଓଭରରେ ମାତ୍ର ଗୋଟିଏ ୱିକେଟ୍‌ ହରାଇ ୯୨ ରନ୍‌ କରିଥିବା ଆୟର୍ଲାଣ୍ଡ୍‌ ଶେଷ ୯.୨ ଓଭରରେ ୬୫ ରନ୍ ଯୋଡ଼ି ଅବଶିଷ୍ଟ ୯ ୱିକେଟ୍‌ ହରାଇଥିଲା। ଫଳରେ ଆୟର୍ଲାଣ୍ଡ ପାଳି ୧୯.୨ ଓଭରରେ ୧୫୭ ରନ୍‌ରେ ଅଟକି ଯାଇଥିଲା। କିନ୍ତୁ ବଲ୍‌ବିର୍ନି ତାଙ୍କର ଅଷ୍ଟମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିନେଇଥିଲେ। ଏହା ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା।

ଏହି ମ୍ୟାଚ୍‌ କିନ୍ତୁ ବର୍ଷା ଯୋଗୁଁ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଜବାବରେ ଦାୱିଦ ମଲାନ (୩୫), ମୋଇନ ଅଲ୍ଲୀ (୨୪, ୧୨ ବଲ୍‌, ୩ ଚୌକା, ୧ ଛକା) ଓ ହାରି ବ୍ରୁକ୍ସ (୧୮)ଙ୍କ ଦ୍ରୁତ ରନ୍‌ ସତ୍ତ୍ବେ ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ୍‌ ବିନିମୟରେ ୧୦୫ ରନ୍‌ କରିଥିଲା ବେଳେ ବର୍ଷା ଦାଉ ସାଧିଥିଲା। ପ୍ରବଳ ବର୍ଷା ଯୋଗୁଁ ଆଉ ମ୍ୟାଚ୍‌ ସମ୍ଭବ ହୋଇନଥିଲା। ସେତେବେଳକୁ ବର୍ଷା ନିୟମ (ଡିଏଲ୍‌ଏସ୍‌ ପ୍ରଣାଳୀ) ଅନୁଯାୟୀ ଇଂଲଣ୍ଡକୁ ବିଜୟ ପାଇଁ ୧୧୦ ରନ୍‌ ଦରକାର ଥିଲା। ୧୫ତମ ଓଭରରେ ମୋଇନ୍‌ ମଧ୍ୟ ବିଜୟ ପାଇଁ ଜୋର୍‌ଦାର ପ୍ରୟାସ କରିଥିଲେ। ସେ ସେହି ଓଭରର ପ୍ରଥମ ତିନି ବଲ୍‌ରେ ୧୨ ରନ୍‌ ଆଦାୟ କରିଥିଲେ। ହେଲେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୫ ରନ୍‌ ଦୂରରେ ଇଂଲଣ୍ଡ ରହିଯାଇଥିଲା। ଆୟର୍ଲାଣ୍ଡ୍‌ ପକ୍ଷରୁ ଜୋସୁ୍ଆ ଲିଟଲ (୨/୧୬), ବ୍ୟାରି ମ୍ୟାକାର୍ଥୀ (୧/୨୦), ଫିଓନ ହ୍ୟାଣ୍ଡ୍‌ (୧/୧୭) ଓ ଜର୍ଜ ଡକ୍‌ରେଲ୍‌ (୧/୫) ୱିକେଟ୍‌ ଦଖଲ କରିଥିଲେ।

ନ୍ୟୁଜିଲାଣ୍ଡ୍‌-ଆଫ୍‌ଗାନିସ୍ତାନ ମ୍ୟାଚ୍‌ ବର୍ଷା ଧୋଇନେଲା
ମେଲ୍‌ବର୍ଣ୍ଣରେ ବୁଧବାର ବର୍ଷା ବାଧକ ସତ୍ତ୍ବେ କୌଣସିମତେ ପ୍ରଥମ ମ୍ୟାଚ୍‌ରୁ ଫଳାଫଳ ବାହାରିଥିଲା ବେଳେ ଏହି ଗ୍ରାଉଣ୍ଡ୍‌ରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ନ୍ୟୁଜିଲାଣ୍ଡ୍‌ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପ୍ରବଳ ବର୍ଷା ଯୋଗୁଁ ଆଦୌ ଟସ୍‌ ପଡ଼ିନପାରି ବାତିଲ ହୋଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe