ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟ ଚାଲିଥିବାବେଳେ ଇଂଲଣ୍ଡ ପ୍ରଥମ ଦଳଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଆଗାମୀ କିଛିଦିନ ମଧ୍ୟରେ ସେମିଫାଇନାଲ୍‌ ଖେଳିବାକୁ ଥିବା ଅନ୍ୟ ତିନୋଟି ଦଳ ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇଯିବ। କିନ୍ତୁ ସେମିଫାଇନାଲ୍‌ କେଉଁ ସ୍ଥାନରେ ଖେଳ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ତାହା ପାକିସ୍ତାନ ଓ ଶ୍ରୀଲଙ୍କା ଦଳ ସେମିଫାଇନାଲ୍‌ ଯିବା ଉପରେ ନିର୍ଭର କରିବ। ଏହି ଅନିଶ୍ଚିତତା ମଧ୍ୟରେ ମଙ୍ଗ​ଳବାର ସଂଧ୍ୟାରୁ ସେମିଫାଇନାଲ୍‌ ଓ ଫାଇନାଲ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି।

Advertisment

ମାର୍ଚ୍ଚ ୪ରେ ହେବ ପ୍ରଥମ ସେମିଫାଇନାଲ୍‌

ବିଶ୍ବକପ୍‌ର ମୂଳ ଖେଳସୂଚୀ ଅନୁସାରେ ଆସନ୍ତା ମାର୍ଚ୍ଚ ୪ରେ ପ୍ରଥମ ସେମିଫାଇନାଲ୍‌ କୋଲକାତାର ଇଡେନ ଗାଡେନ୍ସଠାରେ ଅନୁଷ୍ଠିତ ହେବ। କିନ୍ତୁ ଯଦି ପାକିସ୍ତାନ ସେମିଫାଇନାଲ୍‌କୁ ଯାଏ ତେବେ ଏହି ମ୍ୟାଚ୍‌ଟି କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଦ୍ବିତୀୟ ସେମିଫାଇନାଲ ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ରେ ହେବ। ପୁଣି ଯଦି ପାକିସ୍ତାନ ଫାଇନାଲ୍‌କୁ ଯାଏ ତେବେ ତାହା ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ ହୋଇ କଲମ୍ବୋରେ ହେବ। ସେହିପରି ଶ୍ରୀଲଙ୍କା ଯଦି ସେମିଫାଇନାଲ୍‌କୁ ଯାଏ ଓ ଭାରତ ବ୍ୟତୀତ ଅନ୍ୟ କୌଣସି ଦଳ ସହ ସମ୍ମୁଖୀନ ହୁଏ ତେବେ ବି ପ୍ରଥମ ସେମିଫାଇନାଲ୍‌ କଲମ୍ବୋରେ ଖେଳାଯିବ। 

କୋଲକାତା ଓ ମୁମ୍ବାଇ ସେମିଫାଇନାଲ ମ୍ୟାଚ୍‌ ଓ ଅହମଦାବାଦ ଫାଇନାଲ୍‌ ପାଇଁ ଟିକେଟ୍‌ ବିକ୍ରି ମଙ୍ଗଳବାର ସଂଧ୍ୟାରୁ ଆରମ୍ଭ ହୋଇଛି। ଯଦି ସେମିଫାଇନାଲ୍‌ କିମ୍ବା ଫାଇନାଲ୍‌ କଲମ୍ବୋରେ ହେଲା ତେବେ କୋଲକାତା ଓ ଅହମଦାବାଦ ପାଇଁ ଟିକେଟ୍‌ କିଣିଥିବା ଦର୍ଶକମାନଙ୍କୁ ଅର୍ଥ ଫେରସ୍ତ ଦିଆଯିବ। ଏହାର ବିପରୀତ ଯଦି କଲମ୍ବୋରେ ଏହି ଦୁଇଟି ମ୍ୟାଚ୍‌ ନ ହୁଏ, ସେ କ୍ଷେତ୍ରରେ ବି ସେଠାରେ ଟିକେଟ୍‌ କିଣିଥିବା ଦର୍ଶକଙ୍କୁ ଅର୍ଥ ଫେରସ୍ତ ମିଳିବ ବୋଲି ଆଇସିସି ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: Jharkhand Air Ambulance Crash: ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା: ୪ ବର୍ଷ ହେଲା ବ୍ୟବହାର ହୋଇନଥିଲା ବିମାନ, ନଥିଲା ବ୍ଲାକବକ୍ସ