କଲମ୍ବୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏକ ବଡ଼ ଓଲଟପାଲଟ କରିଛି ଜିମ୍ବାଓ୍ବେ। ଏହି ଆଫ୍ରିକୀୟ ଦଳ ଅଷ୍ଟ୍ରେଲିଆ ପରି ପୂର୍ବତନ ବିଶ୍ବ ଚାମ୍ପିୟନ ଦଳକୁ ୨୩ ରନ୍‌ରେ ହରାଇ ଦେଇଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌-ବିର ଏହି ମୁକାବିଲାରେ ଟସ୍‌ ହାରି ଜିମ୍ବାଓ୍ବେ ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ବ୍ରାଏନ୍‌ ବେନେଟ୍‌ (୬୪) ଓ ଟାଡାଓ୍ବାନାସେ ମାରୁମାନି (୩୫) ୬୧ ରନର ଭାଗୀଦାର କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। 

Advertisment

ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା

ମାରୁମାନି ପାଭିଲିୟନ ଫେରିବା ପରେ ବେନେଟ୍‌ ନିଜର ଲଢୁଆ ବ୍ୟାଟିଂ ଜାରି ରଖି ରିୟାନ ବର୍ଲ(୩୫)ଙ୍କ ସହ ୭୧ ରନ ଓ ସିକନ୍ଦର ରାଜା(୨୫)ଙ୍କ ସହ ୩୮ ରନର ଦୁଇଟି ଉପଯୋଗୀ ଭାଗୀଦାର କରିଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍‌ ବିନିମୟରେ ୧୬୯ ରନ୍‌ କରିଥିଲା। ୧୭୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି ୨୯ ରନ୍‌ରେ ଦଳର ୪ ଜଣ ଆଗଧାଡ଼ିର ବ୍ୟାଟର୍‌ ପାଭିଲିୟନ ଫେରିସାରିଥିଲେ। ମଧ୍ୟକ୍ରମରେ ଗ୍ଲେନ୍‌ ମାକ୍ସଓ୍ବେଲ୍‌ (୩୧) ଓ ମାଟ୍‌ ରେନସା(୬୫)ଙ୍କ ମଧ୍ୟରେ ୭୭ ରନ୍‌ର ଏକ ଉପଯୋଗୀ ଭାଗୀଦାର କରିଥିଲେ ବି ଅଷ୍ଟ୍ରେଲିଆକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଦଳ ୧୯.୩ ଓଭରରେ ୧୪୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜିମ୍ବାଓ୍ବେର ପେସର୍‌ ବ୍ଲେସିଙ୍ଗ୍‌ ମୁଜରବାନି ୪ଟି ଓ ବ୍ରାଡ୍‌ ଇଭାନ୍ସ୍‌ ୩ଟି ଓ୍ବିକେଟ୍‌ ନେଇ କଙ୍ଗାରୁ ଦଳର ବିପର୍ଯ୍ୟୟ ଘଟାଇଥିଲେ।

ଆହୁରି ପଢ଼ନ୍ତୁ: Lawrence Bishnoi gang warns: ପୁଣି ରଣବୀର ସିଂହ ଓ ରୋହିତ ଶେଟ୍ଟୀଙ୍କୁ ଧମକ ଦେଲା ବିଷ୍ନୋଇ ଗ୍ୟାଙ୍ଗ୍, ଦାବି କରିଛି ୧କୋଟି