ଜୟପୁର: ମାତ୍ର ୧୪ ବର୍ଷ ବୟସରେ ଅବିଶ୍ବସନୀୟ, ଅସାଧାରଣ ତଥା ଅବିସ୍ମରଣୀୟ ବ୍ୟାଟିଂର ବଳିଷ୍ଠ ନମୁନା ଦେଖାଇବା ପରେ ରାଜସ୍ଥାନ ରୟାଲ୍ସର କିଶୋର କ୍ରିକେଟ୍ ଯୋଦ୍ଧା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା। ସୋମବାର ରାତିରେ ଗୋଲାପି ସହର ଜୟପୁରସ୍ଥିତ ସବାଇ ମାନସିଂହ ଷ୍ଟାଡିୟମ୍ରେ ରେକର୍ଡର ଝଡ଼ ସୃଷ୍ଟି କରିଥିବା ବୈଭବଙ୍କ ଚମକ ଏବେ ସମଗ୍ର କ୍ରିକେଟ୍ ଜଗତକୁ ଯେମିତି ଆଲୋକିତ କରିଛି। ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ୱେଷ୍ଟଇଣ୍ଡିଜ୍ର ମହାନ ବ୍ୟାଟର୍ ବ୍ରାଏନ ଲାରା ସମସ୍ତେ ହଠାତ୍ ଯେମିତି ତାଙ୍କର ପ୍ରଶଂସକ ପାଲଟି ଯାଇଛନ୍ତି। ମାତ୍ର ୫ଟି ପ୍ରଥମ ଶ୍ରେଣୀ ଏବଂ ତିନିଟି ଆଇପିଏଲ୍ ମ୍ୟାଚ୍ ଖେଳି ବୈଭବ ନିଜ ୩୫ ବଲ୍ ବିଶିଷ୍ଟ ବିସ୍ଫୋରକ ଶତକ ପାଇଁ ଭାରତ ନୁହେଁ ବରଂ ବିଶ୍ବ କ୍ରିକେଟ୍ର ଉଦୀୟମାନ ନାୟକ ଭାବେ ଉଭା ହୋଇଛନ୍ତି। ସର୍ବକନିଷ୍ଠ ଖେଳାଳିଭାବେ ଟ୍ବେଣ୍ଟି-୨୦ ଶତକ ଅର୍ଜନ କରିବା ତାଙ୍କୁ ଯେତିକି ଚର୍ଚ୍ଚିତ କରିଛି, ତାଠାରୁ ଅଧିକ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସ ବିପକ୍ଷରେ କରିଥିବା ନିର୍ଭୀକ ବ୍ୟାଟିଂ, ଛକା ବର୍ଷା କରିବାର ଅତୁଳନୀୟ ଦକ୍ଷତା, ଦୃଢ଼ ଆତ୍ମବଳ ତଥା ଅନନ୍ୟ ଏକାଗ୍ରତା ପାଇଁ ଲୋକପ୍ରିୟ କରିଛି। ତେବେ ଏବେ କମ୍ ବୟସରେ ଏଭଳି ଷ୍ଟାର୍ଡମ୍ ହାସଲ କରିବା ତାଙ୍କ କ୍ୟାରିୟରକୁ ଆଗକୁ ନେବ ନା ଅନେକ ଉଦୀୟମାନ କ୍ରିକେଟର୍ଙ୍କ ଭଳି ସେ ମଧ୍ୟ ଅକାଳରେ ଅସ୍ତ ହୋଇଯିବେ, ସେ ବିତର୍କ ମଧ୍ୟ ଆରମ୍ଭ ହୋଇଗଲାଣି। ବୈଭବ, ଶୁବମନ ଗିଲ୍ଙ୍କ ଭଳି ସଫଳ ହେବେ ନା ପୃଥ୍ବୀ ସ’ଙ୍କ ଭଳି ବିଗିଡ଼ି ଯିବେ? ସେ ଆଶଙ୍କା ମଧ୍ୟ ଅନେକ ପୂର୍ବତନ କ୍ରିକେଟର୍ ଜାହିର କରୁଛନ୍ତି।
ଗିଲ୍ଙ୍କ ଭଳି ଗର୍ଜିବେ ନା ସ’ଙ୍କ ଭଳି ବାଟ ହୁଡ଼ିବେ
ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପ୍ରତିଷ୍ଠିତ ପ୍ରଶିକ୍ଷକ ଡବ୍ଲ୍ୟୁଭି ରମଣ ବିଶ୍ବାସ କରନ୍ତି ଯେ ବୈଭବ ଅନ୍ତର୍ଜାତୀୟସ୍ତରରେ ସଫଳ ହେବା ଲାଗି ତାଙ୍କ ପରିବାର ବିଶେଷ କରି ମାତାପିତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ପୁଅର ଅଚାନକ ସଫଳତାରେ ଉତ୍ସାହିତ ହୋଇ ଆକାଶରେ ଉଡ଼ିବା ପରିବର୍ତ୍ତେ ସେମାନଙ୍କୁ ସ୍ବାଭାବିକ ଭାବେ ଜୀବନ ଯାପନ କରିବାକୁ ହେବ। ଏହା ହେଲେ ବୈଭବ ମଧ୍ୟ ନିଜ ଷ୍ଟାର୍ଡମ୍ରେ ଭାସି ନଯାଇ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଇ ପାରିବ। ଏହି କ୍ରମରେ ସେ ଲକ୍ଷ୍ମଣ ଶିବରାମକୃଷ୍ଣନ୍ ଓ ସଦାନନ୍ଦ ବିଶ୍ବନାଥଙ୍କ ଉଦାହରଣ ଦେଇଛନ୍ତି। ବିନୋଦ କାମ୍ବଲିଙ୍କୁ ମଧ୍ୟ ଏକ କେସ୍ ଷ୍ଟଡି ଭାବେ ନେବାକୁ କହିଛନ୍ତି। ଶିବରାମକୃଷ୍ଣନ୍ ଓ ବିଶ୍ବନାଥ ମଧ୍ୟ ନିଜ ସମୟରେ ଅଚାନକ ଜାତୀୟ ହିରୋ ପାଲଟି ଯାଇଥିଲେ। ତେବେ ଉଭୟ ମାତ୍ର ଗୋଟିଏ ଦୁଇଟି ବର୍ଷ ଭିତରେ ଅଜଣା ଅଖୋଜା ପାଲଟି ଯାଇଥିଲେ। କାରଣ ସେତେବେଳେ ଶିବରାମକୃଷ୍ଣନଙ୍କୁ ମାତ୍ର ୧୮ ଏବଂ ବିଶ୍ବନାଥଙ୍କୁ ୨୨ ବର୍ଷ ହୋଇଥିଲା। ବିଶ୍ବନାଥଙ୍କ କ୍ରିକେଟ୍ କ୍ୟାରିୟର୍ ମାତ୍ର ତିନିଟି ଟେଷ୍ଟ୍ ଓ ୨୨ ଦିନିକିଆରେ ସୀମିତ ହୋଇଯାଇଥିଲା। ପରେ ସେ ଘରୋଇ କ୍ରିକେଟ୍ରେ ଅମ୍ପାୟାରିଂ କରିବା ଆରମ୍ଭ କରିଥିଲେ। ଶିବରାମକୃଷ୍ଣନ୍ ମଧ୍ୟ କେବଳ ୯ ଟେଷ୍ଟ୍ ଓ ୧୬ ଦିନିକିଆ ଖେଳି ପାରିଥିଲେ। ଏଣୁ ଅଚାନକ ମିଳିଥିବା ଲୋକପ୍ରିୟତା ଓ ପ୍ରଶଂସାରେ ଭାସି ନଯାଇ କ୍ରିକେଟ୍ ଉପରେ ଧ୍ୟାନ ଦେବା ହିଁ ବୈଭବଙ୍କ ପାଇଁ ଆଗାମୀ ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହେବ ବୋଲି କହିଛନ୍ତି ରମଣ।
ଦ୍ରାବିଡ଼-ରାକେଶ-ସଞ୍ଜୟଙ୍କ ସୁରକ୍ଷା ବଳୟ
ବୈଭବଙ୍କୁ ଏବେ ମାତ୍ର ୧୪ ବର୍ଷ। ଦୁନିଆର ରୀତି, ନୀତି, ଆହ୍ବାନ ଓ ସଂଘର୍ଷ ବିଷୟରେ ଅଧିକ କିଛି ସେ ଜାଣି ନାହାନ୍ତି କିମ୍ବା ଶିଖି ନାହାନ୍ତି। ଏଭଳି ସ୍ଥିତିରେ ତାଙ୍କୁ ବାହାର ପ୍ରଭାବରୁ ରୋକିବା ଲାଗି ଏବେଠାରୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ବିହାର କ୍ରିକେଟ୍ ସଂଘର ସଭାପତି ରାକେଶ ତିୱାରୀ, ରାଜସ୍ଥାନ ରୟାଲ୍ସ ଦଳର କର୍ମକର୍ତ୍ତା, ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ କିଂବଦନ୍ତି ରାହୁଲ ଦ୍ରାବିଡ଼ ଏବଂ ବୈଭବଙ୍କ ପିତା ସଂଜୀବ ସୂର୍ଯ୍ୟବଂଶୀ ତାଙ୍କ ଚାରିପଟେ ସୁରକ୍ଷା ଜାଲ ପ୍ରସ୍ତତ କରିଛନ୍ତି। ବାହାର କୁପ୍ରଭାବ ଯେମିତି ବୈଭବଙ୍କ ଉପରେ ନପଡ଼େ, ସେ ପାଇଁ ସମନ୍ବିତ ଯୋଜନା ପ୍ରସ୍ତୁତ କରି ତାକୁ କାମରେ ଲଗାଇବା ଆରମ୍ଭ କରି ଦେଇଛନ୍ତି। ବିଶେଷ କରି ବୈଭବ ଆଗାମୀ କିଛି ବର୍ଷ ଦ୍ରାବିଡ଼ଙ୍କ ମାର୍ଗଦର୍ଶନ ଓ ଛତ୍ରଛାୟାରେ ହିଁ ରହିବେ ବୋଲି ସଂଜୀବ ସ୍ପଷ୍ଟ କରି ଦେଇଛନ୍ତି। ବୈଭବ ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ ହୋଇ ନଥିବାରୁ ତାଙ୍କ ଚାରିପଟେ ସକାରାତ୍ମକ ଓ ସ୍ବଚ୍ଛ ଲୋକ ରହିବା ଉଚିତ ବୋଲି କହିଛନ୍ତି ତିୱାରୀ। ଏଥିନେଇ ଲକ୍ଷ୍ମଣ ଶିବରାମକୃଷ୍ଣନ୍ କହିଛନ୍ତି, ଆମ ବେଳେ ବିଶେଷ କିଛି ନଥିଲା। ସେଥିପାଇ ମନୀନ୍ଦର ସିଂହ ଓ ମୁଁ ଆଗକୁ ବଢ଼ି ପାରି ନଥିଲୁ। ଏବେ କିନ୍ତୁ ବିସିସିଆଇ ପାଖରେ ଅର୍ଥବଳ, ଲୋକବଳ ସବୁକିଛି ଅଛି। ଖେଳାଳିଙ୍କ ସଠିକ୍ ମାର୍ଗଦର୍ଶନ କରିବାକୁ ବିଶେଷଜ୍ଞ ମଧ୍ୟ ଅଛନ୍ତି। ଏଣୁ ବୈଭବଙ୍କୁ ଆମ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ତଥାପି ତାଙ୍କୁ ଅନ୍ୟ କଥା ଅପେକ୍ଷା କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। କୌଣସି ପରିସ୍ଥିତିରେ ତାଙ୍କୁ ମହାନ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ସହ ତୁଳନା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
୨ ବର୍ଷ ଭିତରେ ବୈଭବ ଭାରତ ପକ୍ଷରୁ ଖେଳିବେ: ପ୍ରଶିକ୍ଷକ
ସବୁ ଚର୍ଚ୍ଚା, ତର୍କ, ବିତର୍କ ଓ ଆଶଙ୍କା ଭିତରେ ବୈଭବଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି ତାଙ୍କ ବାଲ୍ୟ ପ୍ରଶିକ୍ଷକ ମନୀଷ ଓଝା। ଏପରିକି ଆସନ୍ତା ଗୋଟିଏରୁ ଦୁଇବର୍ଷ ଭିତରେ ବୈଭବ ଭାରତୀୟ ଦଳ ପକ୍ଷରୁ ଖେଳିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ସେ। ଓଝା କହିଛନ୍ତି, ଜଣେ ପ୍ରଶିକ୍ଷକ ଭାବେ ମୋ ପାଇଁ ଏହା ଗର୍ବର ମୁହୂର୍ତ୍ତ। ବିହାର ଭଳି ଏକ ରାଜ୍ୟ ଯେଉଁଠି କ୍ରୀଡ଼ା ଭିତ୍ତିଭୂମି ସେତେଟା ଶକ୍ତିଶାଳୀ ନୁହେଁ, ବୈଭବଙ୍କ ଐତିହାସିକ ସଫଳତା ଆଶାର ଆଲୋକଠାରୁ କିଛି କମ୍ ନୁହେଁ। ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ମୁଁ ଭାବୁଛି ସେ ଯଦି ଏଭଳି କ୍ରିକେଟ୍ ଖେଳିବା ଜାରି ରଖନ୍ତି ତେବେ ଖୁବ୍ କମ୍ ସମୟ ଭିତରେ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପକ୍କା କରିନେବେ।
Follow Us