ଭୁବନେଶ୍ବର: କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା-ତାମିଲନାଡ଼ୁ ରଣଜୀ ଟ୍ରଫି ମୁକାବିଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ଘରୋଇ ଦଳ ସମ୍ମୁଖରେ ୪୫୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାମିଲନାଡୁ। ଏହାକୁ ପିଛା କରି ଓଡ଼ିଶା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪୭ ରନ୍‌ରେ ୨ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଛି। ପରାଜୟ ଏଡ଼ାଇବା ପାଇଁ ଓଡ଼ିଶାକୁ ରବିବାରର ସମସ୍ତ ୩ ଅଧିବେଶନରେ ବ୍ୟାଟିଂ ଜାରି ରଖିବାକୁ ପଡ଼ିବ। ଏହି ସମୟରେ ଓଡ଼ିଶାର ଅବଶିଷ୍ଟ ୮ ୱିକେଟ୍‌ ଦଖଲ ଲକ୍ଷ୍ୟରେ ରହିବ ସାଇ କିଶୋରଙ୍କ ତାମିଲନାଡୁ ଦଳ।

Advertisment

ଶନିବାର ତାମିଲନାଡୁ ୨୬/୧ରୁ ଖେଳି ୩୧୬ ରନ୍‌ ସଂଗ୍ରହ କରିଥିଲା। ଭଲ ସ୍ଥିତିରେ ଥିବାରୁ ଦଳ ରବିବାର ଓଭର ପିଛା ୪ରୁ ଉର୍ଧ୍ବ ହାରରେ ରନ୍‌ ସଂଗ୍ରହ କରିଥିଲା। ୨୧ ବର୍ଷୀୟ ଓପନର୍‌ ଏସ୍‌ଆର୍‌ ଅତୀଶ ଉଭୟ ପାଳିରେ ଅର୍ଦ୍ଧଶତକ (୫୦, ୮୮) ହାସଲ କରିବାର ଗୌରବ ପାଇଥିବାବେଳେ ସୋନୁ ଯାଦବ ଦ୍ରୁତ ଅର୍ଦ୍ଧଶତକ (୭୫ ବଲ୍‌ରୁ ୭୪ ରନ୍) ହାସଲ କରିଥିଲେ। ଗୁରୁସ୍ବାମୀ ଅଜିତେଶ (୪୯) ଓ ସାଇ କିଶୋର (୪୦) ବି ଭଲ ଅବଦାନ ରଖିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତିଙ୍କ ଛଡ଼ା ଅନ୍ୟ ସମସ୍ତ ବୋଲର ଅନ୍ୟୂନ ଗୋଟିଏ ୱିକେଟ୍‌ ନେଇଥିଲେ। ସ୍ପିନର୍‌ ବାଦଲ ବିଶ୍ବାଳ ୩ ୱିକେଟ୍‌ ନେଇଥିବାବେଳେ ବିପ୍ଳବ ସାମନ୍ତରାୟ ଓ ସମ୍ବିତ ବରାଳ ଦୁଇଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଆହୁରି ପଢ଼ନ୍ତୁ: Cricket: ୧୯ବର୍ଷରୁ କମ୍‌ ବିଶ୍ବକପ୍‌: ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଓଡ଼ିଶାକୁ ୪୫୫ ଲକ୍ଷ୍ୟକୁ ପିଛା କରି ଶାନ୍ତନୁ ମିଶ୍ର ଓ ସ୍ବସ୍ତିକ ସାମଲଙ୍କୁ ଶସ୍ତାରେ ହରାଇଛି। ପ୍ରତ୍ୟାବର୍ତନ ମ୍ୟାଚ୍‌ରେ ଶାନ୍ତନୁ (୬,୦) ନିରାଶ କରିଥିବାବେଳେ ସ୍ବସ୍ତିକ (୧, ୧୦) ବି ଭଲ ଆରମ୍ଭ ଦେବାରେ ବିଫଳ ହୋଇଛନ୍ତି। ସ୍ବସ୍ତିକଙ୍କ ୱିକେଟ୍‌ ପତନ ସହ ତୃତୀୟ ଦିନର ଖେଳ ବନ୍ଦ ବେଳକୁ ଓଡ଼ିଶା ୪୭/୨ରେ ଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି (୩୪ ବଲ୍‌ରୁ ୩୬* ରନ୍‌) ବ୍ୟାଟିଂ କରୁଥିଲେ।

ଆହୁରି ପଢ଼ନ୍ତୁ: Flight Services: ବିମାନ ଚଳାଚଳ କ୍ଷେତ୍ରରେ ୭୧୭ ସ୍ଲଟ୍‌ରୁ ଓହରିଲା ଇଣ୍ଡିଗୋ

ସଂକ୍ଷିପ୍ତ ସ୍କୋର

ତାମିଲନାଡୁ ପ୍ରଥମ ପାଳି: ୨୮୬ (ପ୍ରଦୋଷ ରଂଜନ ପଲ୍-୭୮, ସି ଆନ୍ଦ୍ରେ ସିଦ୍ଧାର୍ଥ-୫୬, ଏସ୍‌ଆର୍‌ ଅତୀଶ-୫୦, ନିଧୀଶ ରାଜଗୋପାଳ-୫୪, ଦେବବ୍ରତ ପ୍ରଧାନ-୩/୩୭, ରାଜେଶ ମହାନ୍ତି-୩/୫୧)। ଓଡ଼ିଶା ପ୍ରଥମ ପାଳି: ୧୪୮ (ଅନିଲ ପରିଡ଼ା-୫୬, ସମ୍ବିତ ବରାଳ-୩୬, ସୋନୁ ଯାଦବ-୫/୩୦, ତ୍ରିଲୋକ ନାଗ-୨/୩୬, ପି ବଦ୍ୟୁତ୍-୨/୧୨)। ତାମିଲନାଡ଼ୁ ଦ୍ବିତୀୟ ପାଳି: ୮୮.୨ ଓଭରରେ ୩୧୬/୧୦ (ଅତୀଶ ଏସ୍‌ଆର୍‌-୮୮, ସୋନୁ ଯାଦବ-୭୪, ଗୁରୁସ୍ବାମୀ ଅଜିତେଶ-୪୯, ସାଇ କିଶୋର-୪୦, ବାଦଲ ବିଶ୍ବାଳ-୩/୫୬, ବିପ୍ଳବ ସାମନ୍ତରାୟ-୨/୨୨, ସମ୍ବିତ ବରାଳ-୨/୬୧, ଦେବବ୍ରତ ପ୍ରଦାନ-୧/୨୪, ଶାନ୍ତନୁ ମିଶ୍ର-୧/୩୪, ଗୋବିନ୍ଦ ପୋଦ୍ଦାର-୧/୬୩)। ଓଡ଼ିଶା ଦ୍ବିତୀୟ ପାଳି (ଲକ୍ଷ୍ୟ ୪୫୫): ୧୫.୩ ଓଭରରେ ୪୭/୨ (ଶୁଭ୍ରାଂଶୁ ସେନାପତି-୩୬*, ସ୍ବସ୍ତିକ ସାମଲ-୧୦, ସାଇ କିଶୋର-୧/୧, ସୋନୁ ଯାଦବ-୧/୧୪)।