ତନ୍ମୟୀ, ପ୍ରିୟଙ୍କାଙ୍କ ଶତକ: ମିଜୋରାମକୁ ୩୩୪ ରନ୍‌ରେ ହରାଇଲା ଓଡ଼ିଶା

Advertisment
ତନ୍ମୟୀ, ପ୍ରିୟଙ୍କାଙ୍କ ଶତକ: ମିଜୋରାମକୁ ୩୩୪ ରନ୍‌ରେ ହରାଇଲା ଓଡ଼ିଶା

କଟକ: ମଧ୍ୟପ୍ରଦେଶର ଡଲି କଲେଜ ପଡିଆରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ ମ୍ୟାଚ୍‌ରେ ତନ୍ମୟୀ ବେହେରା (୧୨୨) ଓ ପ୍ରିୟଙ୍କା ମୁଦୁଲି (୧୧୩)ଙ୍କ ଶତକୀୟ ପାଳି ବଳରେ ମିଜୋରାମକୁ ୩୩୪ ରନ୍‌ରେ ହରାଇ ଓଡ଼ିଶା ବୃହତ୍‌ ବିଜୟ ହାସଲ କରିଛି। ଏଥିସହ ପ୍ରଥମ ମ୍ୟାଚ୍‌ରେ ସିକ୍କିମ୍‌କୁ ହରାଇଥିବା ଓଡ଼ିଶା ପ୍ରତିଯୋଗିତାରେ କ୍ରମାଗତ ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଓଡ଼ିଶା ୯ ୱିକେଟ୍ ବିନିମୟରେ ବିଶାଳ ୪୨୩ ରନ୍ ସ୍କୋର୍‌ କରିଥିଲା। ତନ୍ମୟୀ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍‌ରେ ହୋଇଥିବା ୨୦୨ ରନ୍‌ର ଭାଗୀଦାରି ଓଡ଼ିଶାକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲା। ଏହି ଦୁଇ ଜଣଙ୍କ ବ୍ୟତୀତ ପୂଜାରାଣୀ ଦାସ ୪୬, ଅଙ୍କିତା ଗିରି ୩୨ ରନ୍‌ କରିଥିଲେ।

ଅତିରିକ୍ତ ଭାବେ ଦଳ୍ଳକୁ ୫୦ ରନ୍‌ ମଳିଥିଲା। ଓଡ଼ିଶା ପାଳିରେ ମୋଟ ୫୩ ଚୌକା ଓ ୩ ଛକା ମରାଯାଇଥିଲା ବେଳେ ପ୍ରିୟଙ୍କା (୧୫ ଚୌକା, ୧ ଛକା) ଓ ତନ୍ମୟୀ (୨୦ ‌ଚୌକା, ୧ ଛକା) ବାଉଣ୍ଡରୀରୁ ୧୫୨ ରନ୍‌ ଉଠାଇଥିଲେ। ମିଜୋରାମର ଥେଲମା ୩ ଓ ରୁଆତି ୨ଟି ୱିକେଟ୍‌ ପାଇଥିଲେ। ୪୨୪ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମିଜୋରାମ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଏସ୍‌ବି ଲରେନ୍ସ (୪/୧୭), ସୁଚିସ୍ମିତା ପଣ୍ଡା (୩/୧୫), ଭବାନୀ ଧଡ଼ା (୨/୧୦)ଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ମିଜୋରାମ ୩୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୮୯ ରନ୍ କରିବାକୁ ସମର୍ଥ ‌ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe