ପଦାର୍ପଣରେ ତାପସଙ୍କ କମାଲ: ମେଘାଳୟକୁ ୧୯୮ରେ ଅଲଆଉଟ୍ କଲା ଓଡ଼ିଶା

Advertisment

ଅଧିନାୟକ ପରିବର୍ତ୍ତନ ସହ ଓଡ଼ିଶା କ୍ରିକେଟ୍ ଦଳର ଆତ୍ମବିଶ୍ବାସ ଢେର୍‌ ବଢ଼ିଛି। ଯାହାର ଝଲକ ଗୁରୁବାରଠାରୁ ଶିଲଂରେ ଆରମ୍ଭ ହୋଇଥିବା ମେଘାଳୟ ବିପକ୍ଷ ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ ମୁକାବିଲାରେ ଦେଖିବାକୁ ମିଳିଛି।

ଅଧିନାୟକ ପରିବର୍ତ୍ତନ ସହ ଓଡ଼ିଶା କ୍ରିକେଟ୍ ଦଳର ଆତ୍ମବିଶ୍ବାସ ଢେର୍‌ ବଢ଼ିଛି। ଯାହାର ଝଲକ ଗୁରୁବାରଠାରୁ ଶିଲଂରେ ଆରମ୍ଭ ହୋଇଥିବା ମେଘାଳୟ ବିପକ୍ଷ ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ ମୁକାବିଲାରେ ଦେଖିବାକୁ ମିଳିଛି।

fssfssf

ଭୁବନେଶ୍ବର: ଅଧିନାୟକ ପରିବର୍ତ୍ତନ ସହ ଓଡ଼ିଶା କ୍ରିକେଟ୍ ଦଳର ଆତ୍ମବିଶ୍ବାସ ଢେର୍‌ ବଢ଼ିଛି। ଯାହାର ଝଲକ ଗୁରୁବାରଠାରୁ ଶିଲଂରେ ଆରମ୍ଭ ହୋଇଥିବା ମେଘାଳୟ ବିପକ୍ଷ ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ ମୁକାବିଲାରେ ଦେଖିବାକୁ ମିଳିଛି। ବିଶେଷ କରି ଦ୍ରୁତ ବୋଲର ତାପସ ଦାସ (୬/୬୭)ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ରାଜ୍ୟ ଦଳ ପାଇଁ ଟ୍ରମ୍ପ୍‌ କାର୍ଡ ସାବ୍ୟସ୍ତ ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ତାପସ ଘାତକ ବୋଲିଂ କରି ଘରୋଇ ମେଘାଳୟର ୬ ଜଣ ବ୍ୟାଟର୍‌ଙ୍କୁ ଶିକାର କରିନେବା ସହ ଓଡ଼ିଶାକୁ ପ୍ରଥମ ଦିନରୁ ହିଁ ସୁଯୋଗ ପ୍ରଦାନ କରିଛନ୍ତି। ତାଙ୍କ ସହ ଅନ୍ୟତମ ଦ୍ରୁତ ବୋଲର ସୁନୀଲ ରାଉଳ (୩/୩୧) ଏବଂ ସ୍ପିନର୍‌ ସୁମିତ ଶର୍ମା (୧/୨୮) ଉପଯୋଗୀ ଅବଦାନ ରଖିବା ପରେ ମେଘାଳୟ ୬୪.୩ ଓଭରରେ ମାତ୍ର ୧୯୮ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ବୋଲିଂରେ କମାଲ କରିବା ପରେ ବ୍ୟାଟିଂରେ ମଧ୍ୟ ଓଡ଼ିଶା ଦୃଢ଼ ମୁଳଦୁଆ ପକାଇଛି। ଦୁଇ ଓପନର ସ୍ବସ୍ତିକ ସାମଲ (୪୪*) ଓ ଶାନ୍ତନୁ ମିଶ୍ର (୨୩*) ଅବିଭାଜିତ ପ୍ରଥମ ୱିକେଟ୍‌ରେ ୭୦ ରନ୍‌ ଯୋଡ଼ିବା ପରେ ପ୍ରଥମ ଦିନର ସବୁ ସମ୍ମାନ ଆପାତତଃ ଓଡ଼ିଶା ଖାତାକୁ ଯାଇଛି। ହାତରେ ସମସ୍ତ ୧୦ ୱିକେଟ୍ ଥିଲା ବେଳେ ମେଘାଳୟଠାରୁ ଏବେ ସନ୍ଦୀପ ପଟ୍ଟନାୟକଙ୍କ ଦଳ କେବଳ ୧୨୮ ରନ୍ ପଛରେ ରହିଛି।

ରେକର୍ଡ ବୁକ୍‌ରେ ସିଦ୍ଧାର୍ଥ
ଗୁଜରାଟ ବୋଲର୍‌ ସିଦ୍ଧାର୍ଥ ଦେଶାଇ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଗୁରୁବାର ଏକ ଅସାଧାରଣ ରେକର୍ଡ କରିଛନ୍ତି। ପ୍ରତିପକ୍ଷ ଉତ୍ତରାଖଣ୍ଡର ୯ଜଣ ବ୍ୟାଟର୍‌ଙ୍କୁ ଆଉଟ୍ କରି ଗୋଟିଏ ପାଳିରେ ସର୍ବାଧିକ ୱିକେଟ୍ ନେବାରେ ଗୁଜରାଟ ପକ୍ଷରୁ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଛନ୍ତି ସେ। ଗୁଜରାଟ କଲେଜ୍ କ୍ରିକେଟ୍ ପଡ଼ିଆରେ ଆୟୋଜିତ ଏହି ମ୍ୟାଚ୍‌ରେ ବାମହାତୀ ସ୍ପିନର୍ ସିଦ୍ଧାର୍ଥ ୩୬ ରନ୍ ଦେଇ ୯ ୱିକେଟ୍ ନେବା ସହ ରାକେଶ ବିନୁଭାଇ ଧ୍ରୁବଙ୍କ ନାଁରେ ଥିବା ଏହି ଗୁଜରାଟୀ ରେକର୍ଡକୁ ସେ ଭାଙ୍ଗିଥିଲେ। ରାକେଶ ୨୦୧୨ରେ ସୌରାଷ୍ଟ୍ର ବିପକ୍ଷରେ ୩୧ ରନ୍ ଦେଇ ୮ ୱିକେଟ୍ କରାୟତ୍ତ କରିଥିଲେ। ଯାହା ଏହା ପୂର୍ବରୁ ଗୁଜରାଟର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ବୋଲିଂ ପ୍ରଦର୍ଶନ ଥିଲା। ସିଦ୍ଧାର୍ଥଙ୍କ ଘାତକ ବୋଲିଂ ପାଇଁ ଉତ୍ତରାଖଣ୍ଡ ପାଳି ୩୦ ଓଭରରେ ମାତ୍ର ୧୧୧ ରନ୍‌ରେ ଶେଷ ହୋଇଯାଇଥିଲା। ଅବଶିଷ୍ଟ ଗୋଟିଏ ୱିକେଟ୍ ବିଶାଲ ଜୟସ୍ବାଲ ନେଇଥିଲେ। ଗତ ନଭେମ୍ବରରେ କେରଳର ସମସ୍ତ ୧୦ ୱିକେଟ୍ ନେଇ ହରିୟାଣାର ଅନସୁଲ ଖମ୍ବୋଜ ଇତିହାସ ରଚିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍ ନେବାରେ ସେ ଷଷ୍ଠ ଭାରତୀୟ ହୋଇଥିଲେ।

ଶିଲଂର ଶୀତୁଆ ପାଗରେ ଅଧିନାୟକ ସନ୍ଦୀପ ପଟ୍ଟନାୟକ ଟସ୍ ଜିତି ମେଘାଳୟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ମାଷ୍ଟର୍ ଷ୍ଟ୍ରୋକ୍ ସଦୃଶ ହୋଇଥିଲା। ଅଭିଜ୍ଞ ରାଜେଶ ମହାନ୍ତି ଓ ନବାଗତ ତାପସ ଦାସ ଯୋଡ଼ି ନୂଆ ବଲ୍‌ରେ ଜବରଦସ୍ତ ବୋଲିଂ କରି ମେଘାଳୟ ବ୍ୟାଟର୍‌ଙ୍କୁ ବାରମ୍ବାର ପରୀକ୍ଷାରେ ପକାଇଥିଲେ। ଷଷ୍ଠ ଓଭରର ପ୍ରଥମ ବଲ୍‌ରେ ତାପସ ପ୍ରତିପକ୍ଷ ଓପନର୍ ଅର୍ପିତ ଭତେୱାରାଙ୍କୁ ୱିକେଟ୍‌ରକ୍ଷକ ଆଶୀର୍ବାଦ ସ୍ବାଇଁଙ୍କ ହାତରେ କ୍ୟାଚ୍ କରାଇ ଓଡ଼ିଶା ପାଇଁ ପ୍ରଥମ ସଫଳତା ସାଉଣ୍ଟିଥିଲେ। ନିଶାନ୍ତ ଚକ୍ରବର୍ତ୍ତୀ, ଅଜୟ ଦୁହାନ, ବାଲଚନ୍ଦର ଅନିରୁଦ୍ଧ ଓ ବାମନଭ ସାଙ୍ଗପିଲାଙ୍ଗ ଭଲ ଆରମ୍ଭ ପାଇଥିଲେ ମଧ୍ୟ ତାପସ-ସୁନୀଲ ଓ ସୁମିତ ଏମାନଙ୍କୁ ବଡ଼ ସ୍କୋର୍ କରିବା ଆଗରୁ ଅଟକାଇ ଦେଇଥିଲେ। ରାଜେଶ ମଧ ଅନ୍ୟପଟରୁ ଚାପ ହଟିବାକୁ ଦେଇ ନଥିଲେ। ଫଳରେ ମାତ୍ର ୭୬ ରନ୍‌ରେ ଅଧାଦଳ ହରାଇ ମେଘାଳୟ ଘୋର ସଙ୍କଟରେ ପଡ଼ିଥିଲା। ତେବେ ଦୁଇ ମଧ୍ୟକ୍ରମ ବ୍ୟାଟର୍ ସୁମିତ କୁମାର (୪୦) ଓ ଯଶକ୍ରୀତ୍ ସିଂହ ସଚଦେବା (୪୩) ଷଷ୍ଠ ୱିକେଟ୍‌ରେ ୬୫ ରନ୍ ଯୋଡ଼ି ମେଘାଳୟ ଶିବିରରେ ଆଶ୍ବସ୍ତି ଭରିଥିଲେ। ଉଭୟ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ସୁମିତଙ୍କୁ କୌଶଳକ୍ରମେ ଗୋବିନ୍ଦ ପୋଦ୍ଦାରଙ୍କ ହାତରେ କ୍ୟାଚ୍ କରାଇ ତାପସ ସେମାନଙ୍କୁ ଅଲଗା କରିଥିଲେ। ଏହା ପରେ ମେଘାଳୟ ପାଳି ଘଣ୍ଟାକ ଭିତରେ ଶେଷ ହୋଇଯାଇଥିଲା। ପ୍ରଥମ ଦିନର ହିରୋ ତାପସ ଦାସ ପୂର୍ବରୁ ଚାରିଟି ଲିଷ୍ଟ୍-ଏ’ ମ୍ୟାଚ୍ ଖେଳି ୮ ୱିକେଟ୍ ନେଇଛନ୍ତି। ଗତବର୍ଷ ଡିସେମ୍ବର ୮ ତାରିଖରେ ମଣିପୁର ବିପକ୍ଷରେ ବିଜୟ ହଜାରେ ଟ୍ରଫି ମ୍ୟାଚ୍ ଖେଳି ଲିଷ୍ଟ୍‌-ଏ’ ପଦାର୍ପଣ କରିଥିଲେ। ‌ଏହି ମ୍ୟାଚ୍‌ରେ ତାପସ ୧୭ ରନ୍ ଦେଇ ୪ ୱିକେଟ୍ ନେବା ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଝାଡ଼ଖଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ୱିକେଟ୍ ପାଇ ନଥିଲେ ବି ହରିୟାଣା (୧/୨୬) ଓ ଗୁଜରାଟ (୩/୫୪) ବିପକ୍ଷରେ ଭଲ ବୋଲିଂ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ରଣଜୀ ଋତୁର ପ୍ରଥମ ପାଞ୍ଚ ରାଉଣ୍ଡ ମୁକାବିଲାରେ ଓଡ଼ିଶା ମାତ୍ର ଗୋଟିଏ ବିଜୟ ପାଇଛି। ୧୦ ପଏଣ୍ଟ୍‌ ସହ ୮ ଦଳିଆ ଗ୍ରୁପ୍-ଏ’ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ସେଥିପାଇଁ ମେଘାଳୟ ବିପକ୍ଷରେ ଦ୍ବିତୀୟ ବିଜୟ ହାସଲ କରି ସ୍ଥିତି ସୁଧାରିବା ଲକ୍ଷ୍ୟରେ ଅଛି। ଅନ୍ୟପକ୍ଷରେ ପ୍ରଥମ ୫ଟିରୁ ୫ଟି ଯାକ ମ୍ୟାଚ୍ ହାରିଥିବା ମେଘାଳୟ ପ୍ରଥମ ବିଜୟ ଲକ୍ଷ୍ୟ‌ରେ ରହିଛି। 
ସଂକ୍ଷିପ୍ତ ସ୍କୋର୍: ମେଘାଳୟ ୬୪.୩ ଓଭରରେ-୧୯୮ (ଯଶକ୍ରୀତ୍ ସିଂହ ସଚଦେବା ୪୩, ସୁମିତ କୁମାର ୪୦, ନିଶାନ୍ତ ଚୌଧୁରୀ ୨୭, ତାପସ ଦାସ ୬/୬୭, ସୁନୀଲ ରାଉଳ ୩/୩୧)। ଓଡ଼ିଶା ୧୮ ଓଭରରେ-୭୦/୦ (ସ୍ବସ୍ତିକ ସାମଲ ୪୪*, ଶାନ୍ତନୁ ମିଶ୍ର ୨୩*)। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe