Image Courtesy of Free Press Journal
ନୂଆଦିଲ୍ଲୀ: ସବୁ ପିଢ଼ିର କ୍ରିକେଟ୍ ଖେଳାଳିଙ୍କ ସହ କାର୍ଯ୍ୟ କରିଥିବା କିଂବଦନ୍ତି କ୍ରିକେଟ୍ ପ୍ରଶିକ୍ଷକ ତାରକ ସିହ୍ନାଙ୍କର ଆଜି ସକାଳେ ନୂଆଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ୭୧ ବର୍ଷ ବୟସରେ ଉପନୀତ ହୋଇଥିବା ସିହ୍ନା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।
କିଛି ଦିନ ଧରି ଫୁସ୍ଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ଥିବା ତାରକ ସିହ୍ନାଙ୍କର ନିକଟ ଅତୀତରେ ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅକାମିକା ହୋଇଯାଇଥିଲା। ଦେଶପ୍ରେମ ଆଜାଦ୍, ଗୁରଚରଣ ସିଂହ, ରମାକାନ୍ତ ଆଚ୍ରେକର୍ ଏବଂ ସୁନୀତା ଶର୍ମାଙ୍କ ପରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବାରେ ସେ ଥିଲେ ୫ମ ଭାରତୀୟ କ୍ରିକେଟ୍ କୋଚ୍।
ନୂଆଦିଲ୍ଲୀସ୍ଥିତ ‘ସନେଟ୍ କ୍ରିକେଟ୍ କ୍ଲବ୍’ରେ କାର୍ଯ୍ୟ କରିଥିବା ତାରକ ସିହ୍ନା ପ୍ରାୟ ସବୁ ପିଢ଼ିର କ୍ରିକେଟ୍ ଖେଳାଳିମାନଙ୍କ ସହ କାର୍ଯ୍ୟ କରିଥିଲେ। ୭୦ ବର୍ଷ ବୟସରେ ବି ସେ ଉତ୍ସାହୀ ପ୍ରଶିକ୍ଷକ ଭାବେ ଖେଳ ପଡ଼ିଆକୁ ଯାଇ ତରୁଣ କ୍ରିକେଟ୍ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ।
ଏକ ବିବୃତିରେ ‘ସନେଟ୍ କ୍ରିକେଟ୍ କ୍ଲବ୍’ କହିଛି, ଆମେ ଅତିଶୟ ଦୁଃଖର ସହ ଘୋଷଣା କରୁଛୁ ଯେ, ଦୁଇ ମାସ ଧରି ଫୁସ୍ଫୁସ୍ କର୍କଟ ରୋଗ ସହ ଯୁଝିବା ପରେ ‘ସନେଟ୍ କ୍ରିକେଟ୍ କ୍ଲବ୍’ର ସଂସ୍ଥାପକ ତାରକ ସିହ୍ନା ଗତ ରାତି ୩ଟା ବେଳେ ମୃତ୍ୟୁ ବରଣ କରିଛନ୍ତି।
Image Courtesy of India Todayସେ ଥିଲେ ‘ସନେଟ୍ କ୍ରିକେଟ୍ କ୍ଲବ୍’ ଆତ୍ମା। ଭାରତ ଏବଂ ଦିଲ୍ଲୀ କ୍ରିକେଟ୍ ଦଳକୁ ସେ ଅନେକ ରତ୍ନ ଦେଇଛନ୍ତି। ସମୟ ଦେଇ ତାଙ୍କ ପାଇଁ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ତାଙ୍କୁ ଆରୋଗ୍ୟ କରିବାକୁ ଅକ୍ଳାନ୍ତ ଉଦ୍ୟମ କରିଥିବା ଜୟପୁର ଏବଂ ଦିଲ୍ଲୀର ଡାକ୍ତରମାନଙ୍କ ପାଖରେ ଆମ ଋଣୀ।
ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ଭୂଷିତ ହେବା ପରେ ତାଙ୍କୁ ପିତୃତୁଲ୍ୟ ମନେକରୁଥିବା କ୍ରିକେଟ୍ ତାରକା ଋଷଭ ପନ୍ତ ଖୁବ୍ ଆନନ୍ଦିତ ହୋଇଥିଲେ।
ତାଙ୍କ ଠାରୁ ପ୍ରଶିକ୍ଷଣ ପାଇ ସୁନାମ ଅର୍ଜନ କରିଥିବା କ୍ରିକେଟ୍ ଖେଳିଳଙ୍କ ମଧ୍ୟରେ ଅଛନ୍ତି ଋଷଭ ପନ୍ତ, ଆଶିଷ ନେହରା, ସଞ୍ଜୀବ ଶର୍ମା, ଅକାଶ ଚୋପ୍ରା, ଶିଖର ଧାୱନ୍, ଅଞ୍ଜୁମ୍ ଚୋପ୍ରା, ସୁରେନ୍ଦର୍ ଖାନ୍ନା, ରଣଧୀର ସିଂହ, ରମଣ ଲାମ୍ବା, ମନୋଜ ପ୍ରଭାକର, ଅଜୟ ଶର୍ମା, କେ.ପି. ଭାସ୍କର ଏବଂ ଅତୁଲ ୱାସନ୍।
Follow Us