ଖେଲୋ ଇଣ୍ଡିଆ: ଚା’ ବିକାଳିଙ୍କ ଝିଅ ଜିତିଲେ ପ୍ରଥମ ସ୍ବର୍ଣ୍ଣ

Advertisment
ଖେଲୋ ଇଣ୍ଡିଆ: ଚା’ ବିକାଳିଙ୍କ ଝିଅ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ପଞ୍ଚକୁଲା (ହରିୟାଣା): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜଣେ ଚା’ ବିକାଳିଙ୍କ ଝିଅ କାଜଲ ସର୍ଗର। ମହିଳା ୪୦ କେଜି ଭାରୋତ୍ତୋଳନ ବର୍ଗରେ ଏହି ମହାରାଷ୍ଟ୍ର ଝିଅ ମୋଟ ୧୧୩ କେଜି ଉତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। କାଜଲଙ୍କ ସ୍ବର୍ଣ୍ଣ ପଦକ ପରେ ଚଳିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମହାରାଷ୍ଟ୍ର ପଦକ ତାଲିକାର ଶୀର୍ଷରେ ପହଞ୍ଚିଯାଇଛି। ୪୦ କେଜି ମହିଳା ଭାରୋତ୍ତୋଳନ ବର୍ଗରେ କାଜଲ (୬୦ କେଜି ସ୍ନାଚ୍‌ ଏବଂ ୬୩ କେଜି କ୍ଲିନ୍‌ ଓ ଜର୍କ)ଙ୍କ ପଛକୁ ଅରୁଣାଚଳ ପ୍ରଦେଶର ସାଣ୍ଡିୟା ଗୁଙ୍ଗଲି (୧୧୧ କେଜି) ରୌପ୍ୟ ପାଇଥିଲା ବେଳେ ଅନ୍ୟତମ ମହାରାଷ୍ଟ୍ର ବାଳିକା ରେଖାମୋନି (୧୦୯ କେଜି) କାଂସ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ କାଜଲ ୨୦୨୧ ଅଗଷ୍ଟରେ ପତିଆଲାରେ ଆୟୋଜିତ ଯୁବ ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ।

publive-image

ମାତ୍ର ୩ ବର୍ଷ ତଳେ କାଜଲ କ୍ରୀଡ଼ା ଦୁନିଆ ସହ ସଂପର୍କ ବାନ୍ଧିଥିଲେ। ତାଙ୍କ ବଡ଼ ଭାଇ ସଂକେତ ଜଣେ ଭାରୋତ୍ତୋଳକ। ସେତେବେଳେ ସଂକେତ ସ୍ଥାନୀୟ ଏକ ଜିମ୍ନାସିୟମ୍‌ରେ ପ୍ରଶିକ୍ଷଣ ନେଉଥିଲା ବେଳେ କାଜଲ ସେଠାକୁ ଦୈନିକ ଯାଇ ଭାଇର ପ୍ରଦର୍ଶନକୁ ଦେଖୁଥିଲେ। ଏପରିକି ତାଙ୍କ ଭାଇ କିପରି ଉନ୍ନତି ପଥରେ ଆଗେଇ ଚାଲିଛି ତାହାକୁ ମଧ୍ୟ ୧୬ ବର୍ଷ ବୟସ୍କା କାଜଲ ଦେଖୁଥିଲେ। ତଥାପି ସେଥିରେ ପ୍ରେରିତ ହୋଇପାରିନଥିଲେ। ହେଲେ ୨୦୧୯ରେ ତାଙ୍କ ପାଇଁ ସବୁକିଛି ବଦଳି ଯାଇଥିଲା। ଯେତେବେଳେ ନିଜ ଅଞ୍ଚଳ (ସାଙ୍ଗ୍‌ଲି)ର ଜଣେ ଝିଅ ରୁପା ହାଙ୍ଗାଣ୍ଡି ପୁନେରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାର ଦେଖିଲେ ସେତେବେଳେ ଭାରୋତ୍ତୋଳନ ପ୍ରତି ଆକର୍ଷିତ ହେଲେ। ‘‘ମୋ ଭାଇ ମୋ’ଠୁ ୫ ବର୍ଷ ବଡ଼। କେବେ ବି ତାଙ୍କ ସହିତ ଖେଳ ବିଷୟରେ ଆଲୋଚନା କରେନି।’’ ବୋଲି ଚଳିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ କହିଛନ୍ତି କାଜଲ। କେବଳ ରୁପାଙ୍କ ସଫଳତା ପରେ ମୁଁ ବି ଚେଷ୍ଟା କଲେ ପଦକ ଜିତିପାରିବି ବୋଲି ଭାବି ଭାରୋତ୍ତୋଳନକୁ ଆଦରି ନେଇଥିଲି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe