ଏସିଆଡରେ ସ୍ୱର୍ଣ୍ଣ ଜିଣିବା ପରେ ପୁଅ ତେଜିନ୍ଦରକୁ ପଦକ ସହ ଦେଖିବାକୁ ଇଚ୍ଛା କରିଥିଲେ ବାପା! ହେଲେ ଶେଷ ଇଚ୍ଛା ପୂରଣ ହେବା ପୂର୍ବରୁ ଟାଣି ନେଲା ମୃତ୍ୟୁ

Advertisment
ଏସିଆଡରେ ସ୍ୱର୍ଣ୍ଣ ଜିଣିବା ପରେ ପୁଅ ତେଜିନ୍ଦରକୁ ପଦକ ସହ ଦେଖିବାକୁ ଇଚ୍ଛା କରିଥିଲେ ବାପା! ହେଲେ ଶେଷ ଇଚ୍ଛା ପୂରଣ ହେବା ପୂର୍ବରୁ ଟାଣି ନେଲା ମୃତ୍ୟୁ

Zee News

ନୂଆଦିଲ୍ଲୀ : ପୁଅର ସଫଳତାର ଖବର ଶୁଣିଲେ ବାପା, କିନ୍ତୁ ପୁଅକୁ ଦେଖିପାରିଲେ ନାହିଁ। ଜାକାର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ସଟ୍‌ଫୁଟ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ତେଜିନ୍ଦରପାଲ ସିଂଙ୍କ ଜୀବନରେ ଘଟିଛି ଏଭଳି ଏକ ଘଟଣା। ସ୍ୱର୍ଣ୍ଣପଦକ ବିଜେତା ତେଜିନ୍ଦର ନିଜ ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି। ପୁଅ ସ୍ୱର୍ଣ୍ଣ ପଦକ ଜିଣିବା ଖବର ପାଇ ତାଙ୍କ ବାପା ଖୁବ୍‌ ଖୁସୀ ଥିଲେ, ପୁଅର ଆସିବା ବାଟକୁ ଅନାଇ ବସିଥିଲେ। ତାଙ୍କ ଜୀବନର ଶେଷ ଇଚ୍ଛା ଥିଲା ସେ ପୁଅକୁ ମେଡାଲ୍‌ ସହ ଦେଖିବେ। କିନ୍ତୁ ତାହା ହୋଇ ପାରିଲା ନାହିଁ। ହଠାତ୍‌ ତାଙ୍କର ମୃତ୍ୟୁ ହୋଇଗଲା।

ଆଥେଲେଟିକ ଫେଡେରେସନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ପକ୍ଷରୁ ଏକ ଟୁଇଟ୍‌ କରାଯାଇ ଏହି ଦୁଃଖଦ ଖବର ଦିଆଯାଇଛି। ଏଏଫ୍‌ଆଇ ପକ୍ଷରୁ କୁହାଯାଇଛି କି ‘ଆମେ ଅତ୍ୟନ୍ତ ଦୁଃଖିତ। ବିମାନ ବନ୍ଦରରେ ଆମେ ଯେତେବେଳେ ସ୍ୱର୍ଣ୍ଣପଦକ ବିଜେତା ତେଜିନ୍ଦରଙ୍କୁ ସ୍ୱାଗତ କରୁଥିଲୁ, ଠିକ୍‌ ସେତିକିବେଳେ ଖବର ପାଇଲୁ କି ତାଙ୍କ ବାପାଙ୍କର ପରଲୋକ ଘଟିଛି। ଆମେ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛୁ।’


ତେଜିନ୍ଦରଙ୍କ ବାପା କରମ୍‌ ସିଂ ଗତ ୨୩ ବର୍ଷ ଧରି କ୍ୟାନ୍‌ସର ପୀଡ଼ିତ ଥିଲେ। ତାଙ୍କର ଶେଷ ଇଚ୍ଛା ଥିଲା ତେଜିନ୍ଦରଙ୍କୁ ସ୍ୱର୍ଣ୍ଣପଦକ ଧରିଥିବା ଅବସ୍ଥାରେ ଦେଖିବେ। ତେଜିନ୍ଦର ଦିଲ୍ଲୀରେ ପହଞ୍ଚିବା ପରେ ସିଧା ତାଙ୍କ ଗାଁ ପଞ୍ଜାବର ମୋଗାକୁ ଯାତ୍ରାରମ୍ଭ କରିଥିଲେ। ମାତ୍ର ରାସ୍ତାରେ ଏହି ଦୁଃଖଦ ଖବର ଶୁଣିଥିଲେ।

ନିଜ ବାପାଙ୍କ ସଂପର୍କରେ ତେଜିନ୍ଦର କହନ୍ତି, ‘ମୋର କ୍ୟାରିୟର ଲାଗି ସେ ବହୁତ ତ୍ୟାଗ କରିଛନ୍ତି। ମୋ ପରିବାର ବି ମୋର ସ୍ୱପ୍ନ ପୂରଣ ଲାଗି ଅନେକ କଷ୍ଟ ସହିଛନ୍ତି। ଯା’ହେଉ ମୋ ସଫଳତାର ଖବର ଶୁଣିବା ପରେ ତାଙ୍କର ଦେହାନ୍ତ ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe