ସେହବାଗଙ୍କୁ ସୁଯୋଗ ଦେବାକୁ ସଚିନ ୪ ନମ୍ବରରେ ଖେଳିଥିଲେ: ରାତ୍ରା

ଶତକରୁ ବଞ୍ଚିତ ରହି ବି ଖୁସି ଥିଲେ ସଚିନ: ସେହବାଗ

Hindi News - India TV

ନୂଆଦିଲ୍ଲୀ: ବିସ୍ଫୋରକ ବୀରେନ୍ଦ୍ର ସେହବାଗଙ୍କୁ ମଧ୍ୟକ୍ରମରୁ ନେଇ ଶୀର୍ଷରେ ଖେଳାଇବାର ଶ୍ରେୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମିଳେ। ହେଲେ ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲଙ୍କରଙ୍କ ମଧ୍ୟ ବଳିଷ୍ଠ ଭୂମିକା ଥିଲା। ସେହବାଗଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେବା ଲାଗି ସେ ନିଜକୁ ଚାରି ନମ୍ବରରେ ଖେଳିବାର ପ୍ରସ୍ତାବ ଦେଇଥିଲେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ ରକ୍ଷକ ଅଜୟ ରାତ୍ରା ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି। ଏକ ସାକ୍ଷାତକାର ଅବସରରେ ରାତ୍ରା କହିଛନ୍ତି ଯେ ସଚିନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ବହୁତ ଭଲ କରୁଥିଲେ। ହେଲେ ସୌରଭ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ସେହବାଗଙ୍କୁ ପାଳି ଆରମ୍ଭ ସୁଯୋଗ ଦେବାକୁ ଚାହୁଥିଲେ। ସେଥିପାଇଁ ସଚିନ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ। ସଚିନ ଯଦି ଏଥିଲାଗି ରାଜି ହୋଇନଥାଆନ୍ତେ ତାହାଲେ ସେହବାଗ ଦିନିକିଆରେ କେବେ ବି ପାଳି ଆରମ୍ଭ କରିବାର ସୁଯୋଗ ପାଇ ନଥା’ନ୍ତେ। ସେ ନିମ୍ନକ୍ରମରେ ‌ବ୍ୟାଟିଂ କରି ଥା‌’ନ୍ତେ ଓ କାହାଣୀ କିଛି ଭିନ୍ନ ହୋଇଥାଆନ୍ତା। ସେହବାଗଙ୍କୁ ପାଳି ଆରମ୍ଭ କରିବାର ଯୋଜନା ଗାଙ୍ଗୁଲି ୨୦୦୧ ମସିହାରେ କରିଥିଲେ। ଆଘାତପ୍ରାପ୍ତ ହୋଇ ସଚିନ ଦଳରୁ ବାଦ ପଡ଼ିଥିଲେ ଏବଂ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ନେଇ ଆୟୋଜିତ ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲା। ଏଣୁ ବିଜୟ ଧାରାକୁ ଫେରିବା ପାଇଁ ଗାଙ୍ଗୁଲି ବ୍ୟାଟିଂକ୍ରମରେ ପରୀକ୍ଷା ନିରୀକ୍ଷା କରିବାକୁ ଚାହୁଥିଲେ। ଯୁବରାଜ ସିଂହ ଓ ଅମିୟ କୁରାସିଆଙ୍କୁ ଶୀର୍ଷରେ ଖେଳାଇବା ଯୋଜନା ବିଫଳ ହୋଇଥିଲା। ବିଭିନ୍ନ ବୟସବର୍ଗ କ୍ରିକେଟ୍‌ରେ ଦିଲ୍ଲୀ ତରଫରୁ ମଧ୍ୟକ୍ରମରେ ଖେଳିଥିବା ସେହବାଗଙ୍କ ପ୍ରତିଭାକୁ ବି ନ୍ୟାୟ ମିଳୁ ନଥିଲା।

ଏଣୁ ଜୁଲାଇ ୨୬ , ୨୦୧୧ରେ ଏହି ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଗାଙ୍ଗୁଲି ଆଉ ଏକ ଜୁଆ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଏହି ମ୍ୟାଚ୍‌ ମଧ୍ୟ ହାରିଥିଲା। ପ୍ରଥମ ଥର ପାଳି ଆରମ୍ଭ କରି ସେହବାଗ ୫୪ ବଲ୍‌ରୁ ୩୩ ରନ୍ କରିଥିଲେ। ଅବଶ୍ୟ ଏହା ଭାରତୀୟ ପାଳିର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା। ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ସେହବାଗ ପୁଣି ବିଫଳ ହୋଇଥିଲେ। ହେଲେ ଚତୁର୍ଥ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରି ଗାଙ୍ଗୁଲିଙ୍କୁ ଖୁସି କରି ଦେଇଥିଲେ। ଭାରତୀୟ କ୍ରିକେଟ୍‌ରେ ନୂଆ ଅଧ୍ୟାୟ ଯୋଡ଼ିହେବା ସହ ସେହବାଗଙ୍କର ଏକପ୍ରକାର ପୁନଃଜନ୍ମ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ପରବର୍ତ୍ତୀ ଶୃଙ୍ଖଳାରେ ସଚିନ ଫେରିବା ପରେ କିନ୍ତୁ ସେହବାଗ ପୁଣି ଥରେ ମଧ୍ୟକ୍ରମରେ ଖେଳିବା ଆରମ୍ଭ କରିଥିଲେ। ହେଲେ ଇଂଲଣ୍ଡ ବିପକ୍ଷ ୬ ମ୍ୟାଚ୍ ବିଶିଷ୍ଟ ଘରୋଇ ଶୃଙ୍ଖଳାରେ ସେହବାଗ ପୁନର୍ବାର ପାଳି ଆରମ୍ଭ କରିଥିଲେ। ସେହି ଶୃଙ୍ଖଳାରେ ୫୧, ୮୨, ୪୨ ଓ ୩୧ ରନ୍ କରି ସେହବାଗ ନିଜ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ। ଏହି ଶୃଙ୍ଖଳାରେ ହିଁ ରାତ୍ରା ଦିନିକିଆ ପଦାର୍ପଣ କରିଥିଲେ। ଶୃଙ୍ଖଳାରେ ସଚିନ ଓ ସେହବାଗ ପାଳି ଆରମ୍ଭ କରୁଥିଲା ବେଳେ ଗାଙ୍ଗୁଲି ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିଲେ। ହେଲେ ବାମ-ଡାହାଣ ସନ୍ତୁଳନ ରକ୍ଷା ପାଇଁ ସେହବାଗ ଓ ଗାଙ୍ଗୁଲି ପାଳି ଆରମ୍ଭ କରନ୍ତୁ ବୋଲି ଦଳୀୟ ପରିଚାଳକମାନେ ଚାହୁଥିଲେ। ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନଙ୍କୁ ତଳେ ଖେଳିବା ଲାଗି କହିବାର ସାହସ କିନ୍ତୁ କାହାର ନଥିଲା। ଏକଥା ଜାଣିପାରି ସଚିନ ନିଜ ଆଡ଼ୁ ଚାରି ନମ୍ବରରେ ଖେଳିବାକୁ ପ୍ରସ୍ତାବ ଦେଇଥିଲେ। ଦଳ ପାଇଁ ସେ ନିଜ ସ୍ଥାନ ଉତ୍ସର୍ଗ କରି ଦେଇଥିଲେ। ଏହା ପରେ ସଚିନଙ୍କ ଭୂମିକା ଥିଲା ୪୫ତମ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବା। ୨୦୦୧ରୁ ୨୦୦୭ ମଧ୍ୟରେ ସେହବାଗଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେବା ଲାଗି ସଚିନ ୧୯ ଥର ୪ ନମ୍ବରରେ ବ୍ୟାଟିଂ କରିଥିଲେ। ସେପଟେ ସେହବାଗ ହାସଲ କରିଥିବା ୧୫ ଶତକ ମଧ୍ୟରୁ ୧୪ଟି ପାଳି ଆରମ୍ଭ କରି ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe